ଗର୍ଜିଲେ ବିରୋଧୀ: ବଜେଟ୍‌ରେ କିଛି ନାହିଁ; ଅମୃତ କାଳ ନୁହେଁ, ‘ମିତ୍ର କାଳ’ ବଜେଟ

ବଜେଟ୍‌ ଲୋକଙ୍କ ଆଶାକୁ ଧୂଳିସାତ କରିଦେଇଛି: ପି ଚିଦମ୍ବରମ

ନୂଆ‌ଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ‘ଅମୃତ କାଳ’ ବଜେଟକୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଏହା ‘ଅମୃତ କାଳ’ ବଜେଟ୍‌ ନୁହେଁ। ଏହା ହେଉଛି ଏକ ‘ମିତ୍ର କାଳ’ ବଜେଟ। ଚାକିରି ସୃଷ୍ଟି କରିବା ଏବଂ ଦେଶର ଭବିଷ୍ୟତ ନିର୍ମାଣ ଦିଗରେ ବଜେଟରେ କୌଣସି ଲକ୍ଷ୍ୟ ନାହିଁ। ରାହୁଲ ଗାନ୍ଧି ଟ୍ବିଟ୍‌ କରି କହିଛନ୍ତି, ୧ ପ୍ରତିଶତ ଧନୀ ୪୦ ପ୍ରତିଶତ ସମ୍ପତ୍ତିର ମାଲିକ, ୫୦ ପ୍ରତିଶତ ଗରିବ ୬୪ ପ୍ରତିଶତ ଜିଏସ୍‌ଟି ଦେଉଛନ୍ତି ଏବଂ ୪୨ ପ୍ରତିଶତ ଯୁବପିଢ଼ି ବେକାର। ତଥାପି ପ୍ରଧାନମନ୍ତ୍ରୀଙ୍କର କିଛି ଚିନ୍ତା ନାହିଁ।

ବଜେଟ୍‌ ଲୋକଙ୍କ ଆଶାକୁ ଧୂଳିସାତ କରିଦେଇଛି: ପି ଚିଦମ୍ବରମ

 

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଆଜି ଉପସ୍ଥାପନ ହୋଇଥିବା କେନ୍ଦ୍ର ବଜେଟକୁ ବେପରୁଆ କହ‌ିଛନ୍ତି। ଚିଦମ୍ବରମ କହିଛନ୍ତି, କେନ୍ଦ୍ର ବଜେଟ ସଂଖ୍ୟାଧିକ ଭାରତୀୟଙ୍କ ଆଶାକୁ ଧୂଳିସାତ କରିଦେଇଛି ଏବଂ ସେମାନଙ୍କ ଆଶା ସହ ବିଶ୍ବାସଘାତ କରିଛି। ଜୀବନ, ଜୀବିକା ଏବଂ ଗରିବ ଓ ଧନୀଙ୍କ ମଧ୍ୟରେ ବଢ଼ୁଥିବା ଅସାମନତା ପ୍ରତି ସରକାରଙ୍କ ଉଦାସୀନତା ଏଥିରୁ ଜଣାପଡ଼ୁଛି। ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଚିଦମ୍ବରମ ବଜେଟକୁ ‘ବେପରୁଆ’ କହ‌ିଛନ୍ତି। ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ‘ବେକାରି, ଦାରିଦ୍ର୍ୟ, ଅସମାନତା, ସୁଷମ ବଣ୍ଟନ’ ପ୍ରସଙ୍ଗରେ କିଛି କହିନାହାନ୍ତି ବୋଲି ସେ କହିଛନ୍ତି। ଏଭଳି ବଜେଟ୍‌ ଯୋଗୁଁ ଗରିବ କିମ୍ବା ଚାକିରି ପାଇଁ ଆଶାୟୀ ଥିବା ଯୁବପିଢ଼ି ଉପକୃତ ହେବେନି।

କେନ୍ଦ୍ର ବଜେଟ ଉପରେ ବିଜେପିର ୧୨ ଦିନିଆ ପ୍ରଚାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାପାଇଁ ବିଜେପି ଆଜିଠାରୁ ଦେଶବ୍ୟାପୀ ପ୍ରଚାର ଆରମ୍ଭ କରିଛି। ବିଜେପି ଦ୍ବାରା ୧୨ ଦିନ ପର୍ଯ୍ୟନ୍ତ ଏହି ପ୍ରଚାର ଚାଲିବ। କେନ୍ଦ୍ର ବଜେଟରେ ଲୋକଙ୍କୁ ସୁହାଇବା ଭଳି ଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଲୋକଙ୍କୁ ଜଣାଇବାପାଇଁ ଏହି ପ୍ରଚାର ଆରମ୍ଭ ହୋଇଛି। ବିଜେପି ସଭାପତି ଜେପି ନଡ୍ଡା ୯ ସଦସ୍ୟଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଦଳର ସାଧାରଣ ସଚିବ ସୁନୀଲ ବଂସଲ ଏବଂ କୃଷକ ଓ ଯୁବଶାଖାର ମୁଖ୍ୟମାନେ ଏହି ଟାସ୍କ ଫୋର୍ସରେ ଅଛନ୍ତି। ଦେଶର ସମସ୍ତ ଜିଲ୍ଲାରେ ଏହି ଟାସ୍କଫୋର୍ସର ସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀ ଏବଂ ସେମିନାର କରି ବଜେଟ ସଂକ୍ରାନ୍ତରେ ‌ଲୋକଙ୍କୁ ବୁଝାଇବେ। ଏହି ପ୍ରଚାର କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବ‌ଜେଟ ସଂକ୍ରାନ୍ତରେ ବୁଝାଇବେ। ଦଳ କ୍ଷମତା‌‌ରେ ନଥିବା ରାଜ୍ୟରେ ମଧ୍ୟ ବିଜେପି ରାଜ୍ୟ ମୁଖ୍ୟ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ସାମ୍ବା‌ଦିକ ସମ୍ମିଳନୀ କରିବେ। ଦେଶର ୫୦ ପ୍ରମୁଖ ସହରରେ ମୋଦୀ ସରକାରର ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ କେନ୍ଦ୍ର ବ‌ଜେଟ୍‌ ସଂକ୍ରାନ୍ତରେ ବୁଝାଇବେ।

ସମ୍ବନ୍ଧିତ ଖବର