ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଏବେ ଦେଶର ସଂସଦକୁ ଅଣଦେଖା କରି ସୁପର୍‌ ପାର୍ଲାମେଣ୍ଟ ଭାବେ କାର୍ଯ୍ୟ କରୁଛି ଏବଂ  ସମ୍ବିଧାନର ଧାରା ୧୪୨କୁ ଗଣତାନ୍ତ୍ରିକ ସରକାର ବିରୋଧରେ ପରମାଣୁ କ୍ଷେପଣାସ୍ତ୍ର ଭଳି ବ୍ୟବହାର କରାଯାଉଛି ବୋଲି ଗତକାଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଇଥିବା ବୟାନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଉପରାଷ୍ଟ୍ରପତିଙ୍କ ବୟାନକୁ ନ୍ୟାୟପାଳିକା ପ୍ରତି ଅପମାନ ବୋଲି ଦର୍ଶାଇ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି। କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି ସମେତ  ବିଭିନ୍ନ ବିରୋଧୀ ଦଳର ନେତା ଆଜି ଏହି ପ୍ରସଙ୍ଗରେ ଧନଖଡ଼ଙ୍କୁ ନିଶାଣ କରିଥିବା ବେଳେ କେତେକ ଆଇନ ବିଶେଷଜ୍ଞ  ମଧ୍ୟ ଧନଖଡ଼ଙ୍କ ବିରୋଧରେ ସମ୍ବିଧାନ ଏବଂ ଅଦାଲତର ମର୍ଯ୍ୟାଦାକୁ ଆଘାତ ଦେଇଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ବିଜେପି ଏହି ବିବାଦରେ ଉପରାଷ୍ଟ୍ରପତିଙ୍କୁ ଦୃଢ଼ ସମର୍ଥନ କରିଛି। ବିରୋଧୀ ଦଳମାନେ ସୀମିତ ରାଜନୈତିକ ସ୍ବାର୍ଥ ପାଇଁ ଶୃଙ୍ଖଳା ଶିଖାଇବା ଆବଶ୍ୟକ ନାହିଁ ବୋଲି ବିଜେପି କହିଛି।

Advertisment

ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୁର୍‌ଜେୱାଲା କହିଛନ୍ତି, ଆମ ଗଣତନ୍ତ୍ରରେ ଯଦି  କିଛି ସର୍ବୋଚ୍ଚ ଥାଏ, ତାହା ହେଉଛି ଭାରତର ସମ୍ବିଧାନ। ସମ୍ବିଧାନ  ସର୍ବୋଚ୍ଚ ଏବଂ ରାଷ୍ଟ୍ରପତି,  ପ୍ରଧାନମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ କୌଣସି ବ୍ୟକ୍ତି ବିଶେଷ  ଏହାର କ୍ଷମତାକୁ ଚ୍ୟାଲେଂଜ କରିପାରିବେ ନାହିଁ।   ରାଜ୍ୟପାଳଙ୍କ ଦ୍ୱାରା ଅଟକି ରହିଥିବା ବିଲ୍ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ସୁର୍‌ଜେୱାଲା ପ୍ରଶଂସା କରିଛନ୍ତି। ସେ ଏହାକୁ ଏକ ସାହସିକ ଏବଂ ସମୟୋପଯୋଗୀ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ରାଜ୍ୟସଭା ସାଂସଦ କପିଲ ସିବଲ ଉପରାଷ୍ଟ୍ରପତିଙ୍କ ବୟାନକୁ ବିରୋଧ କରି କହିଛନ୍ତି ଯେ ରାଷ୍ଟ୍ରପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍‌ ଅଟକାଇ ପାରିବେ ନାହିଁ ଏବଂ ସୁପ୍ରିମ୍‌କୋର୍ଟଙ୍କ ଏ ବାବଦ ରାୟ ଯଥାର୍ଥ। ଉପରାଷ୍ଟ୍ରପତିଙ୍କ ବୟାନ ଏ ଦିଗରେ ଏକ ଓଲଟା ଆଭିମୁଖ୍ୟ ବୋଲି ସେ କହିଛନ୍ତି। ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କ ବୟାନକୁ ଅତ୍ୟନ୍ତ ଆପତ୍ତିଜନକ ବୋଲି କହିବା ସହ ଏହା ଅଦାଲତ ଅବମାନନା ବୋଲି କହିଛନ୍ତି। ଉପରାଷ୍ଟ୍ରପତିଙ୍କ ଭଳି ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତି  ଅନ୍ୟ ସାମ୍ବିଧାନିକ ଅନୁଷ୍ଠାନକୁ ସମାଲୋଚନା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହାର ଜବାବରେ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ଯେଉଁ ଦଳ ସଂସଦରେ ପାରିତ ଆଇନକୁ କାର୍ଯ୍ୟକାରୀ କରିବାକୁ ମନା କରୁଛି, ଯାହା ଦଙ୍ଗାକାରୀଙ୍କୁ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସୁରକ୍ଷା ଦେଉଛି, ସେହି ଦଳ ଆମକୁ ସମ୍ବିଧାନର ମର୍ଯ୍ୟାଦା ଶିଖାଇବା ଉଚିତ ନୁହେଁ। 

କ’ଣ ଥିଲା ଉପରାଷ୍ଟ୍ରପତିଙ୍କ ବୟାନ?
ରାଷ୍ଟ୍ରପତି ବିଲ୍‌ ଉପରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମ୍‌କୋର୍ଟ ସମୟସୀମା ଧାର୍ଯ୍ୟ କରିବା ସହ ସିଧାସଳଖ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରି କରିଥିବାରୁ ଉପରାଷ୍ଟ୍ରପତି ଏହାର କଡ଼ା ସମାଲୋଚନା କରିଥିଲେ। ଏହା ସହିତ ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ଉପରାଷ୍ଟ୍ରପତି ଏ ବାବଦ  ଉଦାହରଣ ଦେବା ସହ  ବିଚାରପତିଙ୍କ ଆଚରଣକୁ ନିନ୍ଦା କରିଥିଲେ।  ସୁପର ପାର୍ଲାମେଣ୍ଟ ଭାବେ ନ୍ୟାୟପାଳିକା କାମ କରୁଛି ବୋଲି ଦର୍ଶାଇ ରାଜ୍ୟସଭା ଅଧ୍ୟକ୍ଷ  କହିଥିଲେ ଯେ ସୁପ୍ରିମକୋର୍ଟ ଗଣତାନ୍ତ୍ରିକ ଶକ୍ତି ଉପରେ ପରମାଣୁ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବେ ନାହିଁ। ସୁପ୍ରିମ୍‌କୋର୍ଟଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୧୪୨କୁ  ଅଦାଲତ ୨୪ ଘଣ୍ଟିଆ ‘ପରମାଣୁ କ୍ଷେପଣାସ୍ତ୍ର’ ଭାବେ ସରକାରଙ୍କ ବିରୋଧରେ ପ୍ରୟୋଗ କରିବା ବିସ୍ମୟକର ବୋଲି ଉପରାଷ୍ଟ୍ରପତି କହିଥିଲେ।

ଧାରା ୧୪୨ କ’ଣ?
ଭାରତୀୟ ସମ୍ବିଧାନର ଧାରା ୧୪୨ରେ ସୁପ୍ରିମ୍‌କୋର୍ଟକୁ ଯେ କୌଣସି ମାମଲାରେ ସମ୍ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବାର ପ୍ରଚୁର କ୍ଷମତା ପ୍ରଦାନ କରାଯାଇଛି। ସୁପ୍ରିମ୍‌କୋର୍ଟ ନିଜ ଅଧିକାର ବଳରେ ବିଚାରାଧୀନ ଯେ କୌଣସି ମାମଲାରେ ସମ୍ପୂର୍ଣ୍ଣ ନ୍ୟାୟ ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇପାରିବେ।  ସମ୍ବିଧାନର ଏହି ଧାରା ସର୍ବୋଚ୍ଚ ଅଦାଲତକୁ ଅସାଧାରଣ ଶକ୍ତି ପ୍ରଦାନ କରିଛି।   ଧାରା ୧୪୨ ଅଧୀନରେ ଦିଆଯାଇଥିବା  ଆଦେଶ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏବଂ ଏହା ସମସ୍ତ ଅଦାଲତ ଏବଂ କର୍ତ୍ତୃପକ୍ଷଙ୍କ ପାଇଁ ବାଧ୍ୟତାମୂଳକ ଅଟେ ।  ତେବେ ଏହି ଶକ୍ତିକୁ ସୁପ୍ରିମ୍‌କୋର୍ଟ ଏବେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ବିରୋଧରେ ବ୍ୟବହାର କରୁଛନ୍ତି ଏବଂ ବିଚାରପତିମାନେ ସଂସଦର ଆଇନକୁ ସମ୍ମାନ ନଦେଇ ନିଜକୁ ସୁପର୍‌ ପାର୍ଲାମେଣ୍ଟ ଭାବି କାର୍ଯ୍ୟ କରୁଛନ୍ତି ବୋଲି ଉପରାଷ୍ଟ୍ରଙ୍କ ବୟାନକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି।