ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣବଳାତ୍କାର କରିଥିବା ଓ ତାଙ୍କ ପୂରା ପରିବାରକୁ ହତ୍ୟା କରିଥିବା ୧୧ ଜଣ ଅଭିଯୁକ୍ତଙ୍କୁ ଗତ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଖଲାସ କରିଦିଆଯିବା ବିରୋଧରେ ବାନୋ ଆଜି ସୁପ୍ରିମ୍କୋର୍ଟରେ ଫେରାଦ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ଗୁଜରାଟ ସରକାରଙ୍କ ଏକ ପୁରୁଣା ନୀତି ବଳରେ ଖଲାସ କରି ଦିଆଯାଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଥିଲା।
ଏହା ସପକ୍ଷରେ ଗୁଜରାଟ ସରକାର ଯୁକ୍ତି ବାଢ଼ିଥିଲେ ଯେ ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ଏବଂ ଭଲ ବ୍ୟବହାର ଆଧାରରେ ଆଜୀବନ କଏଦୀଙ୍କୁ ମୁକ୍ତି ଦିଆଯାଇପାରିବ ବୋଲି ସୁପ୍ରିମ୍କୋର୍ଟଙ୍କ ଏକ ନିର୍ଦ୍ଦେଶନାମା ଅନୁଯାୟୀ ବନ୍ଦୀମାନଙ୍କୁ ମୁକ୍ତି ଦିଆଯାଇଛି। ପୁନଶ୍ଚ ସୁପ୍ରିମ୍କୋର୍ଟ ଗୁଜରାଟ ସରକାରଙ୍କ ୧୯୯୨ ମୁକ୍ତି ନୀତି ଅନୁଯାୟୀ ବନ୍ଦୀମାନଙ୍କୁ ମୁକ୍ତ କରିବା ବିଷୟରେ ନିଷ୍ପତ୍ତି ନେଇପାରିବେ ବୋଲି ରାୟ ଦେଇଥିଲେ। ଏହାକୁ ଆଧାର କରି ସିବିଆଇର ଆପତ୍ତି ସତ୍ତ୍ବେ ଗୁଜରାଟ ସରକାର ସମସ୍ତ ୧୧ ଜଣ କଏଦୀଙ୍କୁ ଗତ ଅଗଷ୍ଟ ୧୫ରେ ମୁକ୍ତ କରିଥିଲେ।