ନୂଆଦିଲ୍ଲୀ : ବିଜେପି ନେତା ତଜିନ୍ଦର ସିଂହ ବଗ୍ଗା ପଂଜାବ ପୁଲିସ ଦ୍ବାରା ଗିରଫ ହେବାର ଦିନକ ପରେ ଶନିବାର ଦିନ ବିଜେପି କର୍ମୀ ଏବଂ ନେତାମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି। ଶନିବାର ପ୍ରାୟ ୭୦ରୁ ଅଧିକ ବିଜେପି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଏହି ଆନ୍ଦୋଳନକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ବଗ୍ଗାଙ୍କ ଗିରଫକୁ ନେଇ ଦିଲ୍ଲୀ, ପଂଜାବ ଏବଂ ହରିୟାଣାରେ ହାଇଡ୍ରାମା ହେବାର ଦିନକ ପରେ ଶନିବାର ପୁଣି ପଂଜାବର ‌ମୋହାଲି କୋର୍ଟ ବଗ୍ଗାଙ୍କୁ ଗିରଫ କରିବାପାଇଁ ଏକ ସଦ୍ୟ ଆରେଷ୍ଟ ୱାରେଣ୍ଟ୍ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ତଜିନ୍ଦର ବଗ୍ଗାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବା ପାଇଁ ସାଇବର ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ବଗ୍ଗାଙ୍କ ଗିରଫ ପ୍ରସଙ୍ଗ‌ରେ ପଂଜାବ ସରକାର ଗତକାଲି ପଂଜାବ ଏବଂ ହରିୟାଣା କୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି ଆସନ୍ତା ୧୦ ତାରିଖରେ ଅଛି।

Advertisment

ଇତି ମଧ୍ୟରେ ବଗ୍ଗା ନିଜ ସୁରକ୍ଷାକୁ ନେଇ ଚିନ୍ତା‌ ପ୍ରକଟ କରିଥିବାରୁ ଦିଲ୍ଲୀ ପୁଲିସ ବଗ୍ଗାଙ୍କୁ ସୁରକ୍ଷା ଦେବ। ଦିଲ୍ଲୀ ପୁଲିସ ବଗ୍ଗାଙ୍କ ପାଇଁ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବ। ବଗ୍ଗା କହିଛନ୍ତି, ତାଙ୍କୁ ୫୦ରୁ ଅଧିକ ପଂଜାବ ପୁଲିସ ଗିରଫ କରିବାପାଇଁ ଆସିଥିଲେ। ତାଙ୍କୁ କୌଣସି ୱାରେଣ୍ଟ୍‌ ଦେଖାଯାଇନଥିଲା। ସେ ତାଙ୍କ ପଗଡ଼ି ପିନ୍ଧିବାପାଇଁ କହିଥିଲେ ସୁଦ୍ଧା ଏଥିପାଇଁ ତାଙ୍କୁ ଅନୁମତି ମିଳିନଥିଲା। ବଗ୍ଗା କହିଛନ୍ତି, ତାଙ୍କୁ ପଂଜାବ ପୁଲିସ ଅପହରଣ କରିନେଇଥିଲା। ସ୍ଥାନୀୟ ପୁଲିସକୁ ମଧ୍ୟ ଏନେଇ ଅବଗତ କରାଯାଇ ନାହିଁ। ବଗ୍ଗାଙ୍କ ଗିରଫକୁ ନେଇ ବିଜେପି ଏବଂ ଆପ୍‌ ମଧ୍ୟରେ ଜୋରଦାର ରାଜନୀତି ହୋଇଛି। ବିଜେପି କହୁଛି ଆପ୍‌ ରାଜ୍ୟ ପୁଲିସ ଦ୍ବାରା ପ୍ରତିଶୋଧମୂଳକ ରାଜନୀତି କରୁଛି। ଅନ୍ୟପକ୍ଷେ ଆପ୍‌ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ପଂଜାବରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ପ୍ରୟାସ କରିଥିବାରୁ ବଗ୍ଗାଙ୍କୁ ଗିରଫ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ଆପ୍‌ କହିଛି।