ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଦ୍ୟମ ଜାରି ରଖିଛନ୍ତି। କେଜ୍ରିୱାଲ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଅଧ୍ୟାଦେଶ ବିରୋଧରେ ତାଙ୍କ ସମର୍ଥନ ଲୋଡ଼ିଛନ୍ତି। କେଜ୍ରିୱାଲ କହିଛନ୍ତି, ମୋ ସରକାର ଗଠନ ହେବା ପରେପରେ ସରକାର ଆମଠାରୁ ସମସ୍ତ କ୍ଷମତା ନେଇଗଲେ। ଆମେ ୮ ବର୍ଷ ଧରି ଲଢ଼ିଲୁ ଏବଂ ଶେଷରେ ଆମେ ସୁପ୍ରିମକୋର୍ଟରେ ବିଜୟୀ ହେଲୁ। କିନ୍ତୁ ଏବେ ସେମାନେ ଅଧ୍ୟାଦେଶ ଆଣୁଛନ୍ତି। ସେମାନେ ଗଣତନ୍ତ୍ରକୁ ପରିହାସରେ ପରିଣତ କରିଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ସୁପ୍ରିମକୋର୍ଟକୁ ସମ୍ମାନ କରୁ ଏବଂ କେବଳ ସୁପ୍ରିମକୋର୍ଟ ହିଁ ଦେଶକୁ ସୁରକ୍ଷା ଦେଇପାରିବେ। ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି। ମୁଁ ସମସ୍ତ ପକ୍ଷଙ୍କୁ ଏହା ଅନୁରୋଧ କରିବାକୁ ଚାହେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ହରାଇବାପାଇଁ ସମସ୍ତ ଦଳ ଏକଜୁଟ୍ ହୁଅ। ଏହା ଏକ ବଡ଼ ସୁଯୋଗ। ଆମ ଦଳ ରାଜ୍ୟସଭାରେ ଏହି ଅଧ୍ୟାଦେଶକୁ ବିରୋଧ କରିବ। ପଂଜାବ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ନେତା ଭଗୱନ୍ତ ମାନ ମଧ୍ୟ କେନ୍ଦ୍ରରେ ବିଜେପି ସରକାର ଉପରେ ବର୍ଷି କହିଛନ୍ତି, ଯଦି ୩୦ ରାଜ୍ୟପାଳ ଏବଂ ପ୍ରଧାନମନ୍ତ୍ରୀ ଦେଶ ଚଳାଇବେ ତେବେ ନିର୍ବାଚନ ହେବାର ଆବଶ୍ୟକତା କ’ଣ ଅଛି। ଯଦି ଏଲ୍ଜି ଏବେ ସରକାର ତେବେ ଦିଲ୍ଲୀର ଲୋକମାନେ ଭୋଟ୍ କାହିଁକି ଦେବେ ବୋଲି ପ୍ରଶ୍ନକରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଅଧ୍ୟାଦେଶ ବିରୋଧରେ ତାଙ୍କ ଲଢ଼େଇ ହେଉଛି ଦେଶର ଲଢ଼େଇ। ମମତା କହିଛନ୍ତି, ଏବେ ମତେ ଏହା ଭୟ ଲାଗୁଛି ଯେ ସେମାନେ ସମ୍ବିଧାନକୁ ବଦଳାଇଦେବେ ଏବଂ ଦେଶର ନାଁ ବି ବଦଳାଇ ଦେବେ।