ପିଏଫ୍‌ଆଇକୁ ବିରୋଧ: ଦେଶବ୍ୟାପୀ ଏନ୍‌ଆଇଏ ଚଢ଼ଉ, ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

ଏନ୍‌ଆଇଏ ମୁଖ୍ୟାଳୟରେ ସୁରକ୍ଷା କଡ଼ାକଡ଼ି, ପିଏଫ୍‌ଆଇ ମୁଖ୍ୟ ସମେତ ଶତାଧିକ ଗିରଫ

ନୂଆଦିଲ୍ଲୀ: ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ ( ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଆଜି ଦେଶବ୍ୟାପୀ ଏନ୍‌ଆଇଏ ଚଢ଼ଉ କରିଛ। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିବା ଏବଂ ସିଧାସଳଖ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ନେଇ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା), ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ବିଭିନ୍ନ ରାଜ୍ୟ ପୁଲିସ ପକ୍ଷରୁ ମିଳିତ ଚଢ଼ଉ ଅଭିଯାନ ହୋଇଥିଲା। ଏନ୍‌ଆଇଏର ଇତିହାସରେ ଏହା ସବୁଠାରୁ ବଡ଼ ଚଢ଼ଉ ଅଭିଯାନ। ଏଥିରେ ୧୦୦ରୁ ଅଧିକ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି। ପିଏଫ୍‌ଆଇ ଅଧ୍ୟକ୍ଷ ଓମା ସଲାମ ଏବଂ ଏହାର ବରିଷ୍ଠ ସଂଚାଳକ ସିପି ମହମ୍ମଦ ବଶିର ମଲପ୍ପୁରମର ମଞ୍ଜେରିରୁ ଗିରଫ ହୋଇଛନ୍ତି। ଆଜି ଦିଲ୍ଲୀ ପିଏଫ୍‌ଆଇ ମୁଖ୍ୟ ପରଭେଜ ଅହମଦ ଏବଂ ତାଙ୍କ ଭାଇଙ୍କୁ ମଧ୍ୟ ଆଜି ଭୋର୍‌ ୩.୩୦ରେ ଏନ୍‌ଆଇଏ ଗିରଫ କରିଛି। ଏହି ଅପରେସନରେ ମୋଟ୍‌ ୧୦୬ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଦେଶବ୍ୟାପୀ ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଚଢ଼ଉ ହୋଇଛି। ଦକ୍ଷିଣ ଭାରତରେ ପିଏଫ୍‌ଆଇର ଦେଶବିରୋଧୀ କାର୍ଯ୍ୟ ନେଇ ଅନେକ ବଳିଷ୍ଠ ପ୍ରମାଣ ମିଳିଛି। ଗିରଫ ପିଏଫ୍ଆଇ କାର୍ଯ୍ୟକର୍ତ୍ତାଙ୍କୁ ଆଜି ଦିଲ୍ଲୀର ପଟିଆଲା ହାଉ‌ସ କୋର୍ଟରେ ହାଜର କରାଯାଇଥିଲା। ପିଏଫ୍‌ଆଇ ସାଧାରଣ ସଚିବ ମହମ୍ମଦ ଅଲି ଜିନ୍ନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ଏଥିପାଇଁ ଆଜି କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗିରଫ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ଏନ୍‌ଆଇଏ ୪ ଦିନ ରିମାଣ୍ଡ‌ରେ ନେଇଛି।

ପିଏଫ୍‌ଆଇ ବିରୋଧରେ ଦେଶବ୍ୟାପୀ ଏନ୍‌ଆଇଏ ଚଢ଼ଉ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏନ୍‌ଏସଏ, ଗୃହ ସଚିବ, ଏନ୍‌ଆଇଏ ଡିଜିଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏନ୍‌ଆଇଏ ଦ୍ବାରା ଗିରଫ ୪ ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ଏନ୍‌ଆଇଏ ପକ୍ଷରୁ ରିମାଣ୍ଡ ରିପୋର୍ଟ ଦାଖଲ ହୋଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ପିଏଫ୍‌ଆଇ ପକ୍ଷରୁ ଦେଶବ୍ୟାପୀ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ହତ୍ୟା କରିବାପାଇଁ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ଦିଆଯାଉଥିବା ଏହି ରିପୋର୍ଟରେ ଉଲ୍ଲେଖ ଅଛି। ପିଏଫ୍‌ଆଇ ବିରୋଧରେ ଚଢ଼ଉ ସମୟରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ଅଣାଯିବାକୁ ଥିବାରୁ ଏନ୍‌ଆଇଏ ମୁଖ୍ୟାଳୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଆସାମ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ପୁଡ଼ଚେରୀରୁ ପିଏଫ୍‌ଆଇର ଟେରର୍‌ ନେଟ୍‌ୱର୍କ ନେଇ କେତେକ ଦସ୍ତାବିଜ ହାସଲ ହୋଇଛି। କେରଳରୁ ୨୨ ଜଣ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତା ଗିରଫ ହୋଇଥିବା ବେଳେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ୨୦ ଲେଖାଏଁ କାର୍ଯ୍ୟକର୍ତ୍ତା, ତାମିଲନାଡ଼ୁରୁ ୧୦, ଆସାମରୁ ୯, ଉତ୍ତରପ୍ରଦେଶରୁ ୮, ଆନ୍ଧ୍ରପ୍ରଦେଶରୁ ୫, ମଧ୍ୟପ୍ରଦେଶରୁ ୪, ଦିଲ୍ଲୀ ଏବଂ ପୁଡ଼ୁଚେରୀରୁ ୩ ଲେଖାଏଁ ଏବଂ ରାଜସ୍ଥାନରୁ ୨ ଜଣ ଗିରଫ ହୋଇଛନ୍ତି। ଆଜିର ଚଢ଼ଉ ପାଇଁ ୬ଟି କଣ୍ଟ୍ରୋଲ ରୁମ୍‌ ସ୍ଥାପନ ହୋଇଥିଲା ଏବଂ ଗୃହ ମନ୍ତ୍ରାଳୟ ଓ ଆଇବି (ଗୁଇନ୍ଦା ବ୍ୟୁରୋ) ଦ୍ବାରା ଏହି ପ୍ରକ୍ରିୟା ଯାଞ୍ଚ କରାଯାଇଥିଲା। ଅନ୍ୟପକ୍ଷରେ ପିଏଫ୍‌ଆଇ ଏଭଳି କାର୍ଯ୍ୟାନୁଷ୍ଠାନକୁ କଡ଼ା ବିରୋଧ କରିଛି। କେରଳରେ ପିଏଫ୍‌ଆଇ ପକ୍ଷରୁ ଆସନ୍ତାକାଲି ଆନ୍ଦୋଳନ ଡାକରା ଦିଆଯାଇଛି। ଚେନ୍ନାଇରେ ପିଏଫ୍‌ଆଇ କର୍ମୀମାନେ ଚଢ଼ଉକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ୟୁପି ଏବଂ ବିହାରରେ ମଧ୍ୟ ବିରୋଧ ପାଇଁ ସଜାବଜ ଚାଲିଛି।

 ପିଏଫ୍‌ଆଇ ମୁଖ୍ୟ ସମେତ ଶତାଧିକ ଗିରଫ
୪ ଦିନ ରିମାଣ୍ଡରେ ନେଲା ଏନ୍‌ଆଇଏ
ଶାହଙ୍କ ଉଚ୍ଚସ୍ତରୀୟ ବୈଠକ
ଏନ୍‌ଆଇଏ ମୁଖ୍ୟାଳୟରେ ସୁରକ୍ଷା କଡ଼ାକଡ଼ି

ପିଏଫ୍‌ଆଇ କ’ଣ ?
୨୦୦୭ରେ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଗଠନ ହୋଇଥିଲା। ଦକ୍ଷିଣ ଭାରତର ୩ଟି ମୁସଲିମ ସଂଗଠନ ତଥା କେରଳର ‘ନ୍ୟାସନାଲ ଡିମୋକ୍ରାଟିକ ଫ୍ରଣ୍ଟ୍‌’, କର୍ଣ୍ଣାଟକର ‘ଫୋରମ୍‌ ଫର ଡିଗ୍‌ନିଟି’ ଏବଂ ତାମିଲନାଡ଼ୁର ‘ମନିଥା ନିଥି ପସାରାଇ’ର ସମ୍ମିଶ୍ରଣରେ ପିଏଫ୍‌ଆଇ ସୃଷ୍ଟି ହୋଇଥିଲା। ନଭେମ୍ବର ୨୦୦୬ରେ କେରଳର କୋଝିକୋଡ଼ରେ ଆୟୋଜିତ ଏକ ବୈଠକରେ ଉପରୋକ୍ତ ୩ଟି ସଂଗଠନକୁ ଏକାଠି କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୦୭, ଫେବ୍ରୁଆରିରେ ବେଙ୍ଗାଲୁରୁରେ ଆୟୋଜିତ ଏକ ରୢାଲିରେ ପିଏଫ୍‌ଆଇ ପ୍ରତିଷ୍ଠା ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା ହୋଇଥିଲା। ସିମି (ଷ୍ଟୁଡେଣ୍ଟ୍‌ସ ଇସଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ) ନିଷିଦ୍ଧ ହେବାପରେ ପିଏଫ୍ଆଇ ଆସିଥିଲା। ସଂଖ୍ୟାଲଘୁ ଏବଂ ଅବହେଳିତ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼ିବା ଉଦ୍ଦେଶ୍ୟରେ ପିଏଫ୍‌ଆଇର ସୃଷ୍ଟି ହୋଇଥିଲା। ତେବେ ଆତଙ୍କବାଦକୁ ପ୍ରୋତ୍ସାହନ ଓ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ସଂପୃକ୍ତି ପାଇଁ ପିଏଫ୍‌ଆଇ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ସଂସ୍ଥାର ରାଡାର୍‌ରେ ରହି ଆସିଛି।

ସମ୍ବନ୍ଧିତ ଖବର