ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ‘ଭାରତ ବନ୍ଦ’ ସଫଳ ହୋଇଛି। ଦେଶବ୍ୟାପୀ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍ନ ୧୧ଟାରୁ ୩ଟା ଯାଏ ଚକା ଜାମ୍ ରହିଥିଲା। ୧୮ଟି ରାଜନୈତିକ ଦଳ ବନ୍ଦକୁ ସମର୍ଥନ କରିବା ସହ କୃଷି ଆଇନକୁ ବିରୋଧ କରିଥିଲେ। ସମଗ୍ର ଦେଶରେ ଆଜି ପରିବହନ ସେବା ଠପ୍ ହୋଇଯାଇଥିଲା। ବନ୍ଦ ଯୋଗୁଁ ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରହିଥିଲା। ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି କୃଷକ ନେତା ଗୁର୍ନାମ ସିଂହ ଚାଧୁନି ଗଣମାଧ୍ୟମକୁ କହିଛନ୍ତି। ଅପରପକ୍ଷେ, କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନେ ନିଜ ଜିଦରେ ଅଟଳ ରହିଛନ୍ତି।
ଆନ୍ଦୋଳନ ସ୍ଥଳକୁ ନେଇ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁରାଡି ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକ ସଂଗଠନଗୁଡ଼ିକ ମନା କରିଦେଇଛନ୍ତି। ସେମାନଙ୍କୁ ରାମଲୀଲା ମୈଦାନରେ ଆନ୍ଦୋଳନ ପାଇଁ ଅନୁମତି ଦିଆଯାଉ ବୋଲି ଆଜି ଜୋର୍ଦାର ଦାବି ହୋଇଛି। ‘ଭାରତ ବନ୍ଦ’ ସଫଳତାରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି ବୋଲି କୃଷକ ନେତା ରୁଦ୍ରୁ ସିଂହ ମନ୍ସା କହିଛନ୍ତି। ବିଭିନ୍ନ ରାଜ୍ୟରେ ଆଜି ଆନ୍ଦୋଳନକାରୀମାନେ ରେଳରୋକ୍ ମଧ୍ୟ କରିଥିଲେ। ଦିଲ୍ଲୀର ସମସ୍ତ ଜାତୀୟ ରାଜପଥ ଅବରୋଧ କରାଯିବାରୁ ଦିଲ୍ଲୀକୁ ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବ ମଧ୍ୟରେ ଯୋଗାଯୋଗ ଠପ୍ ହୋଇଯାଇଥିଲା। ୨୪ ନମ୍ବର ଜାତୀୟ ରାଜପଥ ବନ୍ଦ ରହିବା ଯୋଗୁଁ ଦିଲ୍ଲୀ-ଉତ୍ତରପ୍ରଦେଶ ମଧ୍ୟରେ ଯାନ ଚଳାଚଳ ଠପ୍ ହୋଇଯାଇଥିଲା। କଂଗ୍ରେସ ଶାସିତ ପଞ୍ଜାବରେ ବନ୍ଦ ସଫଳ ହୋଇଥିଲା। ତେଲେଙ୍ଗାନାରେ ବନ୍ଦ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଦଳର କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତେଲେଙ୍ଗାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।
ରାଜସ୍ଥାନରେ ଭାରତ ବନ୍ଦର ମିଶ୍ର ଫଳ ଦେଖିବାକୁ ମିଳିଥିଲା। ମୁମ୍ବାଇର ବାସିଠାରେ ଅବସ୍ଥିତ ସବୁଠୁ ବଡ଼ କୃଷି ମାର୍କେଟ ଆଜି ବନ୍ଦ ରହିଥିଲା। ମହାରାଷ୍ଟ୍ରରେ ବନ୍ଦକୁ ଏନ୍ସିପି ସମର୍ଥନ କରିଥିଲା। ଏଣୁ ମହାରାଷ୍ଟ୍ରରେ ବନ୍ଦର ପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇଥିଲା। ସେହିଭଳି ଉତ୍ତରପ୍ରଦେଶର ସର୍ବବୃହତ୍ ଫଳ ଓ ପରିବା ବଜାର ଆଜି ବନ୍ଦ ରହିଥିଲା। ଏହି ହାଟରେ ଦୈନିକ ୧୫ ହଜାର ଚାଷୀ ନିଜର କୃଷି ସାମଗ୍ରୀର ବିକ୍ରିବଟା କରିଥାନ୍ତି। ସେହିଭଳି ୯, ୧୯, ୪୪ ଏବଂ ୪୮ ନମ୍ବର ଜାତୀୟ ରାଜପଥ ବନ୍ଦ ଥିବାରୁ ଦିଲ୍ଲୀ-ହରିୟାଣା ମଧ୍ୟରେ ଯାତାୟତ ବ୍ୟାହତ ହୋଇଥିଲା। ବନ୍ଦବେଳେ ରାଜସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଉତ୍ତରାଖଣ୍ଡରେ ଭାରତ ବନ୍ଦ ଆଂଶିକ ସଫଳ ହୋଇଛି। ଗୁଜରାଟରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ଅହମଦାବାଦ- ଭଦୋଦରା ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।
ଉତ୍ତରପ୍ରଦେଶରେ ବନ୍ଦ ବେଳେ ସମାଜବାଦୀ ପାର୍ଟି କର୍ମୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। ସମାଜବାଦୀ ପାର୍ଟି କର୍ମୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବା ବେଳେ ପୁଲିସ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ବୋଲି ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଅରବିନ୍ଦ ସିଂହ ଗୋପ୍ କହିଛନ୍ତି। ଅପରପକ୍ଷେ, ବସ୍ତି, ଗୋରଖପୁର, ଚାନ୍ଦୌଲି, ସନ୍ଭଦ୍ରା,ଏଟାୱା ଜିଲ୍ଲାରେ ସମାଜବାଦୀ ପାର୍ଟି କର୍ମୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ରିପୋର୍ଟ ମିଳିଛି।