ନୂଆଦିଲ୍ଲୀ : ନିଟ୍-ଜେଇଇ ପରୀକ୍ଷା ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳମାନେ ଜୋରଦାର ବିରୋଧ କରିବା ଆରମ୍ଭ କରିଛନ୍ତି। ଅଣ ବିଜେପି ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟ ଯଥା ପଶ୍ଚିମବଙ୍ଗ, ପଂଜାବ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଭଳି ୬ଟି ରାଜ୍ୟ ଆଜି ମିଳିତ ଭାବେ ସୁପ୍ରିମକୋର୍ଟ୍ରେ ଜେଇଇ-ନିଟ୍ ପରୀକ୍ଷାକୁ ବିରୋଧ କରି ଆବେଦନ ଦାଖଲ କରିଛନ୍ତି। କୋଭିଡ୍-୧୯ ମହାମାରୀ ସମୟରେ ନିଟ୍-ଜେଇଇ ପରୀକ୍ଷା ଆୟୋଜନ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଏହି ରାଜ୍ୟମାନେ ଦର୍ଶାଇଛନ୍ତି। ଏସବୁ ରାଜ୍ୟର ୬ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ, ସେମାନେ ନିଜ ନିଜ ରାଜ୍ୟରେ ପରୀକ୍ଷା ଆୟୋଜନ ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ପରୀକ୍ଷା ପାଇଁ ଏବେ ପରିସ୍ଥିତି ଆଦୌ ନିରାପଦ ନୁହେଁ ବୋଲି ଦର୍ଶାଇଛନ୍ତି। ନିଟ୍ -ଜେଇଇ ପରୀକ୍ଷା ଆୟୋଜନ ଦ୍ବାରା ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ଘେରକୁ ଚାଲିଯିବ ବୋଲି ସେମାନେ କହିଛନ୍ତି। ପରୀକ୍ଷା ଆୟୋଜନ ପାଇଁ ଯେଭଳି ସୁରକ୍ଷା ବନ୍ଦୋବସ୍ତ ଏବଂ ଛାତ୍ରଛାତ୍ରୀଙ୍କ ପରିବହନ ବ୍ୟବସ୍ଥା ରହିଛି ତାହାକୁ ଯଥାରୀତି କାର୍ଯ୍ୟକାରୀ କରିବା ମହାମାରୀ ସମୟରେ ସମ୍ଭବ ନୁହେଁ ବୋଲି ଏହି ୬ ରାଜ୍ୟର ମନ୍ତ୍ରୀମାନେ ଆବେଦନରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀମାନେ ହେଲେ ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ବର ଓରାଓଁ , ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ଡ. ରଘୁ ଶର୍ମା, ଛତିଶଗଡ଼ ଖାଦ୍ୟ ମନ୍ତ୍ରୀ ଅମରଜିତ ଭଗତ , ପଂଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ଏବଂ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଉଦୟ ଆର୍ ସାମନ୍ତ।
ଚଳିତମାସରେ ୧୧ଟି ରାଜ୍ୟର ୧୧ ଜଣ ଛାତ୍ର ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କରିଥିବା ଏକ ଆବେଦନର ଶୁଣାଣି ସୁପ୍ରିମ କୋର୍ଟ କରିଥିଲେ। କରୋନା ମହାମାରୀ ସମୟରେ ଏହି ପରୀକ୍ଷା ସେପ୍ଟେମ୍ବରରେ ନକରିବା ପାଇଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଆବଦେନରେ ଦର୍ଶାଇଥିଲେ। କିନ୍ତୁ ସୁପ୍ରିମ କୋର୍ଟ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଧାର୍ଯ୍ୟ ସମୟରେ ହେବ ବୋଲି ରାୟ ଦେଇଥିଲେ। ଏହାପରେ ଏନଟିଏ ପକ୍ଷରୁ ଆଡମିଟ୍ କାର୍ଡ ପ୍ରଦାନ ପ୍ରକ୍ରିୟା ଜାରି ରହିଛି।