ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦକୁ ବିରୋଧ କରି ଏବେ ବିରୋଧୀ ନେତାମାନେ ଏକଜୁଟ୍‌ ହୋଇଛନ୍ତି। ଅତ୍ୟନ୍ତ ଅପ୍ରତ୍ୟାଶିତ ଘଟଣାକ୍ରମରେ ଟିଏମ୍‌ସି ସୋମବାର ଦିନ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ରଣନୀତି ବୈଠକରେ ଯୋଗ ଦେଇଛି ଏବଂ ରାହୁଲଙ୍କ ଅଯୋଗ୍ୟ ଘୋଷଣା ବିରୋଧରେ କଂଗ୍ରେସ କରିଥିବା କଳା ପୋଷାକ ଆନ୍ଦୋଳନରେ ଅଂଶଗ୍ରହଣ କରିଛି। ଟିଏମ୍‌ସିର ପ୍ରଶୂନ ବାନାର୍ଜୀ ଏବଂ ଜବାହର ସରକାର ଆଜି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଫିସରେ ହୋଇଥିବା ବୈଠକରେ ଯୋଗ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ ଟିଏମ୍‌ସି ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ଅବଲମ୍ବନ କରିବ ବୋଲି ନିକଟରେ ଘୋଷଣା କରିଥିଲେ ସୁଦ୍ଧା ଆଜି କଂଗ୍ରେସ ସହ ଆନ୍ଦୋଳନରେ ସାମିଲ ହୋଇଛି। କଂଗ୍ରେସ ମଧ୍ୟ ଟିଏମ୍‌ସିର ଏହି ଯୋଗଦାନକୁ ସ୍ବାଗତ କରିଛି। ଟିଏମ୍‌ସିର ସରପ୍ରାଇଜ୍‌ ଏଣ୍ଟ୍ରିରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ସଭାପତି ଖଡ଼ଗେ କହିଛନ୍ତି, ଗଣତନ୍ତ୍ର ସୁରକ୍ଷା ପାଇଁ ଯିଏ ଆଗକୁ ଆସିବ କଂଗ୍ରେସ ତାକୁ ସ୍ବାଗତ କରିବ। ଏଭଳି ଏକ ଜଟିଳ ସମୟରେ ମିଳିଥିବା ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।

publive-image

କଂଗ୍ରେସର ଏହି ରଣନୈତିକ ବୈଠକରେ ୧୭ଟି ବିରୋଧୀ ଦଳ ତଥା ଆଇଏନ୍‌ସି, ଡିଏମ୍‌କେ, ଏସ୍‌ପି, ଜେଡିୟୁ, ବିଆରଏସ୍‌, ସିପିଏମ୍‌, ଆରଜେଡି, ଏନ୍‌ସିପି, ସିପିଆଇ, ଆଇୟୁଏମଏଲ, ଏମ୍‌ଡିଏମ୍‌କେ, କେସି, ଟିଏମ୍‌ସି, ଆର୍‌ଏସପି, ଆପ୍‌, ଏନ୍‌ସି, ଶିବସେନା (ୟୁବିଟି) ଯୋଗ ଦେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତେଲେଙ୍ଗାନାରେ କଂଗ୍ରେସର ପ୍ରତିଦ୍ବନ୍ଦ୍ବୀ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍‌ (ଭାରତ ରାଷ୍ଟ୍ର ସମିତି) ମଧ୍ୟ କଂଗ୍ରେସର ‘କଳା ପୋଷାକ’ ଆନ୍ଦୋଳନରେ ‌ଯୋଗ ଦେଇଛି।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ନେଇ ଲୋକସଭା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସୁରଟର ଏକ ଅଦାଲତ ଦ୍ବାରା ରାହୁଲଙ୍କୁ ୨ ବର୍ଷ ପାଇଁ ଦଣ୍ଡାଦେଶ ହେବାପରେ ‌ଏଭଳି ସ୍ଥିତି ଉପୁଜିଛି।