ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳପ୍ରଦେଶ ଏବଂ ପଂଜାବରେ ମାରାଥନ୍‌ ପ୍ରଚାର କରିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଏବଂ ସିମଲାରେ ଆଜି ମୋଦୀ ରାଲି ଓ ରୋଡ୍‌ସୋ କରି ଇଣ୍ଡି ମେଣ୍ଟ ଏବଂ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ସିମଲାରେ ଏକ ରାଲିରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଇଣ୍ଡି ମେଣ୍ଟ ସମ୍ବିଧାନ ଉଲ୍ଲଂଘନ କରିଛି। ପଶ୍ଚିମବଙ୍ଗରେ ନିକଟରେ ଘଟିଥିବା ଏକ ଘଟଣା ହେଉଛି ଏହାର ଉଦାହରଣ। ମୋଦୀ କହିଛନ୍ତି, ଦୁଇ ଦିନ ତଳେ କାଲକାଟା ହାଇକୋର୍ଟ କେତେକ ମୁସଲମାନ ସମ୍ପ୍ରଦାୟକୁ ମିଳିଥିବା ସଂରକ୍ଷଣକୁ ରଦ୍ଦ କରିଦେଇଥିଲେ। ଇଣ୍ଟି ମେଣ୍ଟ ପୂର୍ବରୁ ଅନେକ ମୁସ୍‌ଲିମ ସମ୍ପ୍ରଦାୟଙ୍କୁ ଓବିସି ଦର୍ଶାଇ ସେମାନଙ୍କୁ ସବୁ ସୁବିଧା ଦେଇଛି। କିନ୍ତୁ ଏହା ପ୍ରକୃତ ଓବିସି ବର୍ଗର ଅଧିକାର ଛଡ଼ାଇ ନେବା ସହ ସମ୍ବିଧାନର ଉଲ୍ଲଂଘନ କରିଛି।

Advertisment

ସେହିପରି କଂଗ୍ରେସକୁ କଡ଼ା ସମାଲୋଚନା ମୋଦୀ କହିଛନ୍ତି, କଂଗ୍ରେସ କେବେ ବି ସାଧାରଣ ବର୍ଗର ଗରିବ ଲୋକଙ୍କ କଥା ଚିନ୍ତା କରିନାହିଁ। ୬୦ ବର୍ଷ ଧରି କଂଗ୍ରେସ କେବେ ବି ଚିନ୍ତା କରିନଥିଲା ଯେ ସାଧାରଣ ଶ୍ରେଣୀରେ ବି ଗରିବ ଲୋକ ଅଛନ୍ତି। ସେମାନଙ୍କୁ ବି ସଂରକ୍ଷଣ ଦରକାର। କଂଗ୍ରେସ କେବେ ବି ଏସବୁ ସମ୍ପ୍ରଦାୟ କଥା ଚିନ୍ତା ନକରି କେବଳ ତୁଷ୍ଟୀକରଣ ରାଜନୀତିରେ ବ୍ୟସ୍ତ ରହିଲା। ମୋଦୀ କହିଛନ୍ତି, କଂଗ୍ରେସ ହିମାଚଳରେ ମିଥ୍ୟା ପ୍ରତିଶ୍ରୁତି ଦେଇଛି। ହିମାଚଳପ୍ରଦେଶର ମଣ୍ଡିରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, କଂଗ୍ରେସ ୟୁସିସି (ସମାନ ନାଗରିକ ସଂହିତା)କୁ ବିରୋଧ କରିବା ସହ ମୁସଲିମ ପର୍ସନାଲ୍‌ ଲ’ ନାଁରେ ଏହା ଶା‌ରିଆକୁ ସମର୍ଥନ କରିଛି। ମୋଦୀ ମଣ୍ଡିରେ କଙ୍ଗନା ରାଣାୱତଙ୍କ ପାଇଁ ପ୍ରଚାର କରିଛନ୍ତି।

ମୋଦୀ କହିଛନ୍ତି, ବିଜେପି ପ୍ରାର୍ଥୀ କଙ୍ଗନା ଯୁବପିଢ଼ି ଏବଂ ଆମ ଝିଅମାନଙ୍କର ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିନିଧିତ୍ବ କରୁଛନ୍ତି। କଙ୍ଗନାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା କଂଗ୍ରେସକୁ ମଣ୍ଡିର ଲୋକମାନେ ଉଚିତ ଜବାବ ଦେବାପାଇଁ ମୋଦୀ ମଣ୍ଡିର ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ମୋଦୀ ମଧ୍ୟ ପଂଜାବରେ ରାଲି କରିଛନ୍ତି। ପଂଜାବରେ ଗତକାଲି ମୋଦୀଙ୍କର ପ୍ରଥମ ରାଲି ଥିଲା। ପ୍ରଧାନମନ୍ତ୍ରୀ ଜଳନ୍ଧର ରାଲିରେ କହିଥିଲେ ଯେ ମୋ ସରକାର ଗତ ୧୦ ବର୍ଷ ମଧ୍ୟରେ ଆତଙ୍କବାଦକୁ ଶେଷ କରିଦେଇଛି। ପୂର୍ବରୁ ପାକିସ୍ତାନ ଭାରତକୁ ଡରୁନଥିଲା। କିନ୍ତୁ ‌‌ଆମେ ଯେ‌ବେଠାରୁ ଏହାର ଘରେ ପଶି ଆକ୍ରମଣ କଲୁ ସେବେଠାରୁ ପାକିସ୍ତାନ କିଛି କରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛି।