ବିରୋଧୀ ନେତାଙ୍କ ‘କଶ୍ମୀର ରାଜନୀତି’ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସ୍ଥିତି ସମୀକ୍ଷା ପାଇଁ ବିରୋଧୀ ଦଳ ନେତାମାନଙ୍କ କଶ୍ମୀର ଗସ୍ତ ପ୍ରସଙ୍ଗକୁ ବସପା ସୁପ୍ରିମୋ ମାୟାବତୀ ତୀବ୍ର ବିରୋଧ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ବି‌ରୋଧୀ ଦଳ ନେତାମାନଙ୍କ କଶ୍ମୀର ଗସ୍ତ ବିରୋଧରେ ତୀବ୍ର ପ୍ରତିକ୍ରିୟ‌ା ପ୍ରକାଶ କରି ମାୟାବତୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଏଭଳି ଗସ୍ତ ଆଦୌ ଉଚିତ ନଥିଲା। କଶ୍ମୀରରେ ସ୍ଥିତି ସୁଧୁରିବାକୁ ଆହୁରି କିଛି ଦିନ ଲାଗିବ ଏବଂ ଏଥିପାଇଁ ଧୈର୍ଯ୍ୟ ଆବଶ୍ୟକ। ବିରୋଧୀ ଦଳଗୁଡ଼ିକ କଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କୁ ରାଜନୀତି କରିବାକୁ ସୁଯୋଗ ଦେବା ପୂର୍ବରୁ ନିଶ୍ଚିତ ଭାବେ ଦୁଇ ଥର ଚିନ୍ତା କରିବା ଉଚିତ୍‌ ଥିଲା ବୋଲି ମାୟାବତୀ କହିଛନ୍ତି । କଶ୍ମୀରରେ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ବିରୋଧୀ ଦଳଗୁଡ଼ିକ ଅପେକ୍ଷା କରିବା ଉଚିତ୍‌। ଅନ୍ୟପକ୍ଷେ ବସପା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିବାର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଡ. ଭିମରାଓ ଆମ୍ବେଦକର ଧାରା ୩୭୦କୁ ଆଦୌ ସମର୍ଥନ କରୁନଥିଲେ। ‌ସେ ସର୍ବଦା ଏକତା, ଅଖଣ୍ଡତା ଏବଂ ସମାନତାରେ ବିଶ୍ବାସ କରୁଥିଲେ। ଏଥିପାଇଁ ବିଜେପି ସରକାରଙ୍କ ନିଷ୍ପତ୍ତି ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଥିଲା ବୋଲି ମାୟାବତୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଗତ ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ଏବଂ କେସି ‌ବେଣୁଗୋପାଳ, ସିପିଏମ୍‌ ନେତା ସୀତାରାମ ୟେଚୁରି, ସିପିଆଇ ନେତା ଡି ରାଜା, ଆରଜେଡି ନେତା ମନୋଜ ଝା, ଜେଡିଏସ୍‌ର କୁପେନ୍ଦ୍ର ରେଡ୍ଡି, ଏନ୍‌ସିପିର ମଜିଦ୍‌ ମେମନ୍‌, ଡିଏମ୍‌କେର ତିରୁଚି ଶିବ , ଏଲ୍‌ଜେଡିର ଶରଦ ଯାଦବ ଏବଂ ଟିଏମ୍‌ସିର ଦିନେଶ ତ୍ରିବେଦୀ ପ୍ରମୁଖ ଜମ୍ମୁ କଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗର ଗସ୍ତରେ ଯାଇଥିଲେ। କିନ୍ତୁ ସେମାନଙ୍କୁ ଶ୍ରୀନଗର ବିମାନବନ୍ଦର ବାହାରକୁ ଯିବାର ଅନୁମତି ମିଳିନଥିଲା ଏବଂ ପରେ ସେମାନଙ୍କୁ ଦିଲ୍ଲୀ ଫେରାଇ ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର