୨୦୧୯ ପାଇଁ ବିରୋଧୀ ଦଳର ମିଳିତ ରଣନୀତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୈରାନା ଲୋକସଭା ଆସନରେ ବିଜେପିର ପରାଜୟ ବିରୋଧୀଙ୍କୁ ଏକ ନୂଆ ଫର୍ମୁଲା ଯୋଗାଇ ଦେଇଛି । ରାଷ୍ଟ୍ରୀୟ ଲୋକଦଳ ପ୍ରାର୍ଥୀ ଏଠାରେ ବିଜେପିକୁ ପ୍ରାୟ ୫୫ ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଓ ନୀତି ଉପରେ ପ୍ରଶ୍ନଚିହ୍ନ ଲାଗି ଯାଇଛି। ଏହି ଆସନରେ ବିରୋଧୀ ଦଳଙ୍କ ମିଳିତ ରଣନୀତି ଆଗରେ ବିଜେପିର ସମସ୍ତ ଉଦ୍ୟମ ବିଫଳ ହୋଇଛି। ପୂର୍ବରୁ ମଧ୍ୟ ୟୁପିର ଗୋରଖପୁର ଓ ଫୁଲପୁର ଲୋକସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିବା ବେଳେ ଏବେ କୈରାନା ହାତରୁ ଖସି ଯିବାରୁ ଆଗାମୀ ନିର୍ବାଚନରେ ଏସ୍‌୍‌ପି-ବିଏସ୍‌ପି ମେଣ୍ଟ ଚୂଡ଼ାନ୍ତ ନିଶ୍ଚିତ ବୋଲି କୁହାଯାଉଛି । କୈରାନାରେ ବିରୋଧୀ ଦଳଙ୍କ ମିଳିତ ରଣନୀତି ସଫଳ ହେବା ପରେ ଏହି ଫର୍ମୁଲାକୁ ସେମାନେ ୨୦୧୯ ନିର୍ବାଚନରେ ପୁଣିଥରେ ପ୍ରୟୋଗ କରିପାରନ୍ତି। ଏଭଳି ସ୍ଥିତି ଉପୁଜିଲେ, ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଢିବା ମୁସ୍କିଲ ହୋଇପଡ଼ିବ। ଯେଉଁଭଳି ଭାବେ ୨୦୧୪ ନିର୍ବାଚନରେ ବିଜେପି ୟୁପିରେ ପ୍ରଚଣ୍ଡ ବିଜୟ ହାସଲ କରିଥିଲା, ଆସନ୍ତା ସାଧାରଣ ନିର୍ବାଚନରେ ସେହିଭଳି ସ୍ଥିତି ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ସେହି ସମୟରେ ବିଜେପି ୮୦ଟି ଆସନରୁ ୭୨ଟିରେ ବିଜୟୀ ହୋଇଥିଲୋ। ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ୪୦୩ଟି ଆସନରୁ ବିଜେପି ୩୧୨ଟିରେ ବିଜୟୀ ହୋଇଥିଲା। କିନ୍ତୁ ଏବେ ୩ଟି ଲୋକସଭା ଆସନ ବିଜେପି ହାତରୁ ଖସିସାରିଛି। ଉପ ନିର୍ବାଚନଗୁଡ଼ିକରେ ବିରୋଧୀ ଶତ ପ୍ରତିଶତ ସଫଳତା ପାଉଥିବା ବେଳେ ଏଭଳି ସ୍ଥିତି ଜାରି ରହିଲେ ୨୦୧୯ରେ ବିଜେପି ପୁଣିଥରେ ଇତିହାସ ସୃଷ୍ଟି କରିବା ଅସମ୍ଭବ ହୋଇଯିବ। ଚଳିତବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ଏହି ତିନି ରାଜ୍ୟରେ ବିଜେପିର ସରକାର ରହିଛି। କର୍ଣ୍ଣାଟକ ଓ ୟୁପିରେ ମିଳିତ ବିରୋଧୀ ରଣନୀତି ସଫଳ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବିଜେପିକୁ ମାତ୍‌ ଦେବା ପାଇଁ ଛୋଟ ଛୋଟ ଦଳଗୁଡ଼ିକ ଏକାଠି ହେଉଥିବା ଜଣାପଡ଼ିଛି।

ନିଜର ମଜବୁତ ଗଡ଼ରେ ହିଁ ବିଜେପି ପରାସ୍ତ ହେଉଥିବା ଦେଖିବାକୁ ମିଳୁଛି। ନିକଟରେ ହୋଇଥିବା ଉପ ନିର୍ବାଚନଗୁଡ଼ିକୁ ଦେଖିବାକୁ ଗଲେ ବିଜେପି ନିଜ ଗଡ଼ରେ ନିଜେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଏଭଳି ସ୍ଥିତି ଲାଗି ରହିଲେ ୨୦୧୯ରେ ସାରା ଦେଶରେ ବିଜେପି ପୁଣିଥରେ ତା’ର ସଫଳତା ଦୋହରାଇ ପାରିବ ନାହିଁ। ବିଗତ କିଛି ଦିନ ହେବ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସହଯୋଗୀ ଦଳ ବିଜେପି ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ଅତିଶୀଘ୍ର ଆନ୍ଧ୍ରପ୍ରଦେଶ ପରି ବିହାରରେ ମଧ୍ୟ ଜେଡିୟୁ -ବିଜେପି ମେଣ୍ଟ ଭାଙ୍ଗିଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର