ଚେନ୍ନାଇ: ତାମିଲନାଡ଼ୁରେ ଆଜି ଏକ ନାଟକୀୟ ରାଜନୈତିକ ଘଟଣାକ୍ରମରେ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ବହିଷ୍କୃତ ଏଆଇଏଡିଏମ୍କେ ନେତା ଓ ପନିରସେଲଭମ୍ (ଓପିଏସ୍) ଆଜି ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ଛାଡ଼ି ଦେଇଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ରୁଟିନ୍ ମର୍ଣ୍ଣିଂ ୱାକ୍ ସମୟରେ ଓପିଏସ୍ ଆଜି ତାଙ୍କୁ ଭେଟିବାର କିଛି ଘଣ୍ଟାପରେ ତାଙ୍କ ଗୋଷ୍ଠୀ ଏନ୍ଡିଏରୁ ଓହରୁଥିବା ଘୋଷଣା କରିଛନ୍ତି। ଓପିଏସ୍ଙ୍କ ବିଶ୍ବସ୍ତ ତଥା ପୂର୍ବତନ ମନ୍ତ୍ରୀ ପନରୁତି ଏସ୍ ରାମଚନ୍ଦ୍ରନଙ୍କ ଦ୍ବାରା ଆଜି ଏହି ଘୋଷଣା କରାଯାଇଛି। ଏନ୍ଡିଏ ସହ ଆମେ ମେଣ୍ଟ ଭାଙ୍ଗୁଛୁ ବୋଲି ସେ ଘୋଷଣା କରିଛନ୍ତି। ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ଓପିଏସ୍ ରାଜ୍ୟବ୍ୟାପୀ ଯାତ୍ରା କରିବେ ବୋଲି ରାମଚନ୍ଦ୍ରନ କହିଛନ୍ତି। ଆଜି ଏସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଓପିଏସ୍ ସ୍ପଷ୍ଟ କରିଛନ୍ତି ଯେ ଖୁବ୍ଶୀଘ୍ର ସେ ପରବର୍ତ୍ତୀ ରାଜନୈତିକ ଅଭିଯାନ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା କରିବେ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଓପିଏସ୍ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାମିଲନାଡ଼ୁ ଗସ୍ତ ସମୟରେ ତାଙ୍କୁ ଭେଟିବାକୁ ଚାହିଥିଲେ। ଓପିଏସ୍ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏବଂ ତୁତିକୋରିନ୍ ବିମାନବନ୍ଦରରୁ ତାଙ୍କୁ ସ୍ବାଗତ କରିବାପାଇଁ ଅନୁମତି ଦେବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କର ଏହି ଅନୁରୋଧ ରଖାଯାଇନଥିଲା। ଏହାପରେ ଓପିଏସ୍ଙ୍କ ଗୋଷ୍ଠୀ ଏକ ବୈଠକ କରି ଏନ୍ଡିଏ ମେଣ୍ଟରୁ ଓହରିଯିବାକୁ ଯୋଜନା କରିଥିଲା। ୨୦୨୬ରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ଓପିଏସ୍ଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।