ସମ୍ବଲପୁର: ଆସନ୍ତା ୨୩ ତାରିଖ ଅପରାହ୍‌ଣ ୫ଟା ୩୭ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ଲକ୍ଷ୍ୟ ରଖାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‌ଯୋଗଦେବା ପାଇଁ ଆସିଥିବା ଇସ୍ରୋ ମୁଖ୍ୟାଳୟର ସିବିପିଓ ନିର୍ଦ୍ଦେଶକ ସୁଧୀର କୁମାର.ଏନ୍‌ ଏହି ଆଶା ପୋଷଣ କରିଛନ୍ତି।

Advertisment

ସୁଧୀର କୁମାର.ଏନ୍‌ଙ୍କ ସୂଚନା ହେଲା ଚନ୍ଦ୍ରଯାନ-୨ର କିଛି ଯାନ୍ତ୍ରିକ ସମସ୍ୟା ଯୋଗୁ ତାହା ସଫଳ ହୋଇପାରିନଥିଲା। ହେଲେ ଚନ୍ଦ୍ରଯାନ-୩ରେ ନୂଆ ବୈଷୟିକ ଜ୍ଞାନକୌଶଳ ବଳରେ ପୂର୍ବରୁ ଥିବା ତ୍ରୁଟିରେ ସୁଧାର ଅଣାଯାଇଛି। ଯେହେତୁ ପୂର୍ବ ତୁଳନାରେ ଏଥର ଜ୍ଞାନକୌଶଳରେ ଅଧିକ ଉନ୍ନତି ଅଣାଯାଇଛି, ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ।

ଭିସୁଟ୍ର ‘ସ୍ପେସ୍‌ ଇନୋଭେସନ୍ ଓ ଇନ୍‌କ୍ୟୁବେସନ୍’ ସେଣ୍ଟର୍ ଦ୍ୱାରା ଇସ୍ରୋର ମିଳିତ ସହଯୋଗରେ ଆଜି ବିଜୁ ପଟ୍ଟନାୟକ ଇ-ଲର୍ନିଂ ସେଣ୍ଟରରେ ‘ରକେଟ୍ରି, ମହାକାଶ କାର୍ଯ୍ୟକ୍ରମ ଏବଂ କୃଷି ଓ ସର୍ଭିଲାନ୍ସ ଡ୍ରୋନ’ର ପ୍ରଦର୍ଶନ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଇସ୍ରୋର ସିବିପିଓ ନିର୍ଦ୍ଦେଶକ ସୁଧୀର କୁମାର.ଏନ୍‌, ଉପନିର୍ଦ୍ଦେଶକ ନିଶାନ୍ତ କୁମାର ଯୋଗଦେଇ ଭିସୁଟ୍‌କୁ ସବୁ ପ୍ରକାର ସହଯୋଗ କରିବା ପ୍ରସ୍ତୁତ ଥିବା କହିଛନ୍ତି। ପ୍ରକଳ୍ପ ପରାମର୍ଶଦାତା ଡ. ଏମ୍ଆର୍‌କେ ମେନନ, ଅବସରପ୍ରାପ୍ତ ଏୟାର ଭାଇସ୍ ମାର୍ଶାଲ ସୁରେଶ ସିଂହ ମଧ୍ୟ ଯୋଗ ଦେଇ ଭିସୁଟ୍‌ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଭିସୁଟ୍ କୁଳପତି ଡ. ବଂଶୀଧର ମାଝୀ ଓ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଇଲେକ୍ଟ୍ରୋନିକ୍ସ ଓ ଟେଲି ଯୋଗାଯୋଗ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ହରୀଶ କୁମାର ସାହୁ ଏଥିରେ ସାମିଲ ହୋଇଥିଲେ।