ନୂଆଦିଲ୍ଲୀ: ଐତିହାସିକ ଯନ୍ତର ମନ୍ତରରେ କୌଣସି ପ୍ରକାର ଧାରଣା ଏବଂ ପ୍ରତିବାଦ ସଭା ଆଜିଠାରୁ ଆଉ ହୋଇପାରିବ ନାହିଁ। ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି) ପକ୍ଷରୁ ଆଜିଠାରୁ ଯନ୍ତର ମନ୍ତରଠାରେ ଧାରଣା ଏବଂ ପ୍ରତିବାଦ ଉପରେ ତତ୍କାଳ ନିଷେଧାଦେଶ ଜାରି କରାଯାଇଛଇ। ରାଜଧାନୀରେ କେନ୍ଦ୍ରସ୍ଥଳରେ କନ୍ନଟ ପ୍ଲେସ୍ ନିକଟରେ ଥିବା ଏହି ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ଅଞ୍ଚଳରେ ଗଢ଼ି ଉଠିଥିବା ସମସ୍ତ ଅସ୍ଥାୟୀ ନିର୍ମାଣ, ଲାଉଡ ସ୍ପିକର୍ ଏବଂ ଜନସାଧାରଣଙ୍କୁ ସମ୍ବୋଧନ କରିବା ଲାଗି ରହିଥିବା ବ୍ୟବସ୍ଥାକୁ ହଟାଇବା ଲାଗି ବିଚାରପତି ଆର. ଏସ୍. ରାଠୋରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନୂଆଦିଲ୍ଲୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଅଞ୍ଚଳରେ ପଡ଼ି ରହିଥିବା ଅଳିଆକୁ ୪ ସପ୍ତାହ ମଧ୍ୟରେ ଉଠାଇ ନେବାକୁ ଖଣ୍ଡପୀଠ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଧାରଣା ଦେଉଥିବା ଆନ୍ଦୋଳନକାରୀଙ୍କ ଆଜମେରି ଗେଟ୍ର ରାମଲୀଳା ପଡ଼ିଆକୁ ନେବା ପାଇଁ ମଧ୍ୟ କୁହାଯାଇଛି। ବାକ୍ ସ୍ୱାଧୀନତା ନାମରେ ଯେଉଁମାନେ ଯନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି ତାହା ଦ୍ୱାରା ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି। ତେଣୁ ଏହି ଅଞ୍ଚଳରେ ବାସ କରୁଥିବା ବ୍ୟକ୍ତିମାନେ ଶାନ୍ତିରେ ଏବଂ ଆରାମରେ ରହିପାରୁ ନାହାନ୍ତି। ସ୍ଥାନୀୟ ଲୋକଙ୍କୁ ଆରାମରେ ଏବଂ ଶାନ୍ତିରେ ବାସ କରିବା ଅଧିକାର ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ କହିଛନ୍ତି। ଆଜିଠାରୁ ୪ ସପ୍ତାହ ମଧ୍ୟରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବା ଲାଗି ଖଣ୍ଡପୀଠ ମହାନଗର ନିଗମ ଅଧ୍ୟକ୍ଷ, ପୁଲିସ କମିସନର ଏବଂ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ବରୁଣ ସେଠ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ଦ୍ୱାରା ଆଗତ ମାମଲାର ବିଚାର କରି ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରିନ୍ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶ: ଯନ୍ତର ମନ୍ତରରେ ନିଷିଦ୍ଧ ହେଲା ଧାରଣା, ପ୍ରତିବାଦ
/sambad/media/post_attachments/wp-content/uploads/2017/10/download-6-2.jpg)