ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୧୪ ବର୍ଷୀୟା ନାବାଳିକାଙ୍କୁ ବାପା ବଦଳରେ ପିଉସୀଙ୍କ ଜିମାରେ ଦେଇଛନ୍ତି। ଏହା ସହ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସିଟି ରବିକୁମାର ଓ ବିଚାରପତି ଜଷ୍ଟିସ୍ ରାଜେଶ ବିନ୍ଧାଲଙ୍କ ଖଣ୍ଡପୀଠ ଝିଅର ସ୍ଥିରତା ଓ କଲ୍ୟାଣର ମହତ୍ତ୍ବକୁ ବିଚାର କରି ଏହି ରାୟ ଦେଇଛନ୍ତି। ଝିଅ ଜନ୍ମରୁ ନିଜ ବାପାଙ୍କ ପାଖରେ ରହୁନଥିଲେ। ସେ ତାଙ୍କ ପିଉସୀଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଏକ ‘ହେବିୟସ୍ କର୍ପସ୍’ ମାମଲାର ବିଚାର କରି ନାବାଳିକାଙ୍କ ଜିମା ତାଙ୍କ ବାପାମା’ଙ୍କୁ ଦେବା ପାଇଁ ହାଇକୋର୍ଟ ୨୦୨୩ ଏପ୍ରିଲ ୩ରେ ନିର୍ଦ୍ଦେଶ ଦେଇଥିଲେ। ପିଉସୀଙ୍କ ନିଜ ସନ୍ତାନ ରହିଥିବାରୁ ନିଜ କନ୍ୟାକୁ ତାଙ୍କ ପାଖକୁ ଫେରାଇଦେବା ପାଇଁ ଓଡ଼ିଶା ହାଇକୋର୍ଟରେ କନ୍ୟାଙ୍କ ବାପା ଏହି ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଜୁନ୍ ୩୦, ୨୦୨୩ ସୁଦ୍ଧା ନିଜ ବାପାମା’ଙ୍କୁ ଝିଅକୁ ଜିମା ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ଆପତ୍ତି କରି ଝିଅର ପିଉସୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ପୀଠ ଜୁନ ୨୩, ୨୦୨୩ରେ ଅନ୍ତରୀଣ ଆଦେଶରେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ। ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିଥିଲେ।
ପିଉସୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅର୍ଜିରେ ଉଲ୍ଲେଖ କରାଯାଇଥିଲା ଯେ ଝିଅର ଅଭିଭାବକତ୍ବ କିମ୍ବା ପୋଷ୍ୟ ଭାବେ ଗ୍ରହଣକୁ ନେଇ ଦାବି କରାଯାଇନାହିଁ। କେବଳ ସେ ଝିଅର ଜିମା ଚାହୁଁଛନ୍ତି ବୋଲି ଯୁକ୍ତି ଉପସ୍ଥାପନ ସମୟରେ ପିଉସୀ କହିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ପକ୍ଷଭୁକ୍ତଙ୍କ ସହିତ କକ୍ଷରେ ବିଚାରବିମର୍ଶ କରିବା ସମୟରେ ଝିଅ ବହୁତ ବୁଦ୍ଧିମାନ ତଥା ସେ ତାର କଲ୍ୟାଣକୁ ନେଇ ବେଶ ସଚେତନ ରହିଥିବା ରାୟରେ ଉଲ୍ଲେଖ କରିଛନ୍ତି। ଝିଅ ସେଠାରେ ଖୁସିରେ ଅଛି, ତାର ଅନ୍ୟ ଭାଇ ଓ ଭଉଣୀ ରହିଛନ୍ତି। ସମସ୍ତଙ୍କ ସହିତ ତାର ମଧୁର ସଂପର୍କ ରହିଛି ଓ ସେ ଅସ୍ଥିର ହେବାକୁ ଚାହୁଁନାହିଁ ବୋଲି ରାୟରେ କୁହାଯାଇଛି। ରାୟରେ ଆହୁରି ମଧ୍ୟ କୁହାଯାଇଛି, ଯେତେବେଳେ ଝିଅର ଜିମା ପିଉସୀଙ୍କୁ ଦିଆଯାଇଥିଲା, ସେତେବେଳେ ସେ ଅବିବାହିତ ଥିଲେ। ବର୍ତ୍ତମାନ ସେ ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ଥିଲେ ମଧ୍ୟ ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ଝିଅର ଶ୍ରେଷ୍ଠ ହିତ ପିଉସୀଙ୍କ ପାଖରେ ରହିଛି ବୋଲି କୋର୍ଟ ରାୟରେ କହିଛନ୍ତି।
ଝିଅ ପିଉସୀଙ୍କ ପାଖରେ ଜନ୍ମ ହେବାର ୩-୪ ମାସରୁ ବର୍ତ୍ତମାନ ୧୪ ବର୍ଷ ହେଲା ରହୁଛି। ସେ ସେମାନଙ୍କ ସହିତ ରହିବ ଏଥିରେ ସନ୍ଦେହ ନାହିଁ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ପିଉସୀଙ୍କ ଦ୍ବାରା ଦାଖଲ ଅର୍ଜିକୁ ଗ୍ରହଣ କରାଯିବା ସହିତ ଝିଅଙ୍କ ଜିମା ପିଉସୀଙ୍କୁ ପୁନଃ ପ୍ରଦାନ କରାଯାଉଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟରେ କହିଛନ୍ତି। ଏଥି ସହିତ ଯୁକ୍ତି ଉପସ୍ଥାପନ କରିବା ସମୟରେ ଅପିଲକାରୀଙ୍କ ଦ୍ବାରା ଯେଉଁ ଦୃଷ୍ଟିଭଙ୍ଗୀ ଥିଲା ତାହାକୁ ସେ ପାଳନ କରିବେ ବୋଲି ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଆଶା ପ୍ରକାଶ କରିଛନ୍ତି।