ବେଙ୍ଗାଲୁରୁ: ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ) ଜମି ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଲା। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଏହି ମାମଲାରେ ଲୋକାୟୁକ୍ତ ତଦନ୍ତ ହେବ। ବେଙ୍ଗାଲୁରୁରେ ଏକ ସ୍ବତନ୍ତ୍ର କୋର୍ଟ ଆଜି କର୍ଣ୍ଣାଟକ ଲୋକାୟୁକ୍ତଙ୍କୁ ଏହି ମାମଲାରେ ତଦନ୍ତ ଆରମ୍ଭ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ଏହି ମାମଲାରେ ୩ ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ସ୍ନେହାମୟୀ କ୍ରୀଷ୍ଣାଙ୍କ ଅଭିଯୋଗ ଆଧାରରେ ସିଦ୍ଦରମୈୟାଙ୍କ ବିରୋଧରେ ସିଆରପିସିର ଧାରା ୧୫୬(୩) ଅଧୀନରେ ତଦନ୍ତ ଆରମ୍ଭ କରିବାପାଇଁ ମହୀଶୁର ଲୋକାୟୁକ୍ତ ଅଫିସକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ତଦନ୍ତ ଶେଷ କରି ମାମଲାର ରିପୋର୍ଟ ୩ ମାସ ମଧ୍ୟରେ କୋର୍ଟରେ ଦାଖଲ କରିବାପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର କୋର୍ଟ ମଧ୍ୟ ଏହି ମାମଲାରେ ଏତଲା ରୁଜୁ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମୁଦା ଦୁର୍ନୀତି ମାମଲାରେ ସିଦ୍ଦରମୈୟାଙ୍କ ଆବେଦନ ଗତକାଲି କର୍ଣ୍ଣାଟକ ହାଇକୋର୍ଟରେ ଖାରଜ ହୋଇଯିବାପରେ ଆଜି ତାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ବିଚାରଣ ପାଇଁ ରାଜ୍ୟପାଳ ଦେଇଥିବା ଅନୁମତିକୁ ଚ୍ୟାଲେଞ୍ଜ କରି ସିଦ୍ଦରମୈୟା କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ସିଦ୍ଦରମୈୟାଙ୍କ ଆବେଦନ ଖାରଜ କରିଦେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଆଇନସଙ୍ଗତ ବୋଲି କହିଥିଲେ। ସିଦ୍ଦରମୈୟାଙ୍କ ବିରୋଧରେ ବିଚାରଣ ପାଇଁ ରାଜ୍ୟପାଳଙ୍କ ଅନୁମୋଦନକୁ କାଏମ ରଖିବା ସହ ଜଷ୍ଟିସ୍ ଏମ୍ ନାଗପ୍ରସନ୍ନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିବା ଅନ୍ତରୀଣ ରିହାତିକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/zXW6fC6fp38Zw5x7eHO0.jpg)