ଜବାବ ଦାଖଲ ପାଇଁ ସାରଦା ମାଇନ୍‌ସକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରଦା ମାଇନ୍‌ସ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଜବାବ ଦାଖଲ କରିବା ପାଇଁ ଆଜି ସୁପ୍ରିମକୋର୍ଟ ସାରଦା ମାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ସାରଦା ମାଇନ୍‌ସ ପକ୍ଷରୁ ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ବିରୋଧ କରି ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଦାଖଲ କରାଯାଇଛି। କଂପାନିକୁ ଆଉ ୧୦ ବର୍ଷ ଖଣି ଲିଜ୍‌ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସାରଦା ମାଇନ୍‌ସ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିରେ ପ୍ରାର୍ଥନା କରାଯାଇଛି।

ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା, ବିଚାରପତି ଜଷ୍ଟିସ୍‌ କେ ମୁରାରୀ ଓ ବିଚାରପତି ଜଷ୍ଟିସ୍‌ ହିମା କୋହଲୀଙ୍କ ଖଣ୍ଡପୀଠରେ ହୋଇଥିଲା। ମାମଲାରେ ପକ୍ଷଭୁକ୍ତ ହେବା ପାଇଁ କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ସାରଦା ମାଇନ୍‌ସ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆପତ୍ତି ଉଠାଇଥିଲେ। ସେ କହିଥିଲେ, ବିବାଦ କଂପାନି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଛି। ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ ନାହିଁ। ଜବାବରେ ସଲିସିଟର୍‌ ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ବିବାଦ ପ୍ରଥମତଃ କେନ୍ଦ୍ରର ଗୋଟିଏ ବିଜ୍ଞପ୍ତି ଯୋଗୁ ଉପୁଜିଛି। ଏହା ପରେ ଖଣ୍ଡପୀଠ କେନ୍ଦ୍ର ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଉପରେ ଜବାବ ଦାଖଲ ପାଇଁ ସାରଦା ମାଇନ୍‌ସକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର