୨୮ ସୁଦ୍ଧା ବିମାନ ତ୍ରୁଟିର ସମାଧାନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗତ କିଛି ଦିନ ଭିତରେ ଭାରତୀୟ କଂପାନିଗୁଡ଼ିକର ବିମାନରେ ବିଭିନ୍ନ ପ୍ରକାର ତ୍ରୁଟି ସାମ୍ନାକୁ ଆସିଛି। ମଝି ଆକାଶରେ ଉଡ଼ୁଥିବା ବେଳେ ସେହି ତ୍ରୁଟିଗୁଡ଼ିକ ଜଣାପଡ଼ିବା ପରେ ବିମାନର ଦିଗ ବଦଳାଇବାକୁ ପଡ଼ିଥିଲା ଓ କିଛି ବିମାନକୁ ଜରୁରୀ ଅବତରଣ କରିବାକୁ ମଧ୍ୟ ପଡ଼ିଥିଲା। ଏଭଳି ମାମଲା ସଂଖ୍ୟାରେ ହେଉଥିବା ବୃଦ୍ଧିକୁ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ଗମ୍ଭୀରତାର ସହ ନେଇଛି। ବିମାନରେ ଦେଖାଦେଉଥିବା ତ୍ରୁଟି ସମସ୍ୟାକୁ ଚଳିତ ମାସ ୨୮ ସୁଦ୍ଧା ସମାଧାନ କରିବାକୁ ଏହା କଂପାନିଗୁଡ଼ିକୁ ନିର୍ଦେଶ ଦେଇଛି। ଏହା ପରେ ଯେଉଁ ସଂସ୍ଥାର ବିମାନରେ ତ୍ରୁଟି ଦେଖାଦେବ ଡିଜିସିଏ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି।

ବିଭିନ୍ନ କଂପାନିର ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମନ୍ତ୍ରାଳୟ ଓ ଡିଜିସିଏର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୋମବାର ମନ୍ତ୍ରୀ କଂପାନିଗୁଡ଼ିକର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ଓ ଯାତ୍ରୀ ସୁରକ୍ଷା ସହ କୌଣସି ସାଲିସକୁ ସହ୍ୟ କରାଯିବ ନାହିଁ ବୋଲି ଜଣାଇଥିଲେ। ଡିଜିସିଏ ଆଜି ଜାରି କରିଥିବା ନିର୍ଦେଶରେ ଜଣାଇଛି ଯେ କିଛି ଦିନ ହେଲାଣି ବିମାନଗୁଡ଼ିକରେ ଇଞ୍ଜିନିୟରିଂ ତ୍ରୁଟି ସାମ୍ନାକୁ ଆସୁଛି। ଅତୀତରେ କିଛି ବିମାନର ସ୍ପଟ୍ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ତ୍ରୁଟିର ଉପଯୁକ୍ତ କାରଣ ଦର୍ଶାଯାଉନଥିଲା। ଅଳ୍ପ ସମୟ ଭିତରେ ଏକାଧିକ ଉଡ଼ାଣ ଓ ଅବତରଣର ପରିଚାଳନା ପାଇଁ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ଙ୍କ ଅଭାବ ରହିଥିଲା। ବିମାନ ଉଡ଼ାଣକୁ ସ୍ବୀକୃତି ଦେଉଥିବା ସାର୍ଟିଫାଏଡ୍ ଷ୍ଟାଫ୍‌ଙ୍କ ଅଭାବ ଅନୁଭୁତ ହୋଇଥିଲା। ଯାଞ୍ଚରୁ ଏହି ସବୁ ତ୍ରୁଟି ଧରିବା ପରେ ଆବଶ୍ୟକ ଷ୍ଟାଫ୍‌ ମୂତୟନ କରିବା ଲାଗି ଡିଜିସିଏ କଂପାନିଗୁଡ଼ିକୁ କହିଛି।

ସମ୍ବନ୍ଧିତ ଖବର