ନୂଆଦିଲ୍ଲୀ: ନାରାୟଣପୁର ଜିଲ୍ଲାରେ ଏକ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା ଶୀର୍ଷ ମାଓବାଦୀ କମାଣ୍ଡର କାଥା ରାମଚନ୍ଦ୍ର ରେଡ୍ଡୀର ମୃତଦେହକୁ ସଂରକ୍ଷଣ କରିବାକୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଛତିଶଗଡ଼ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ନକଲି ଏନ୍କାଉଣ୍ଟର୍ ଓ ନିର୍ଯାତନା ଅଭିଯୋଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ମୃତଦେହକୁ ଦାହ କରାଯିବ ନାହିଁ। ଦୁର୍ଗାପୂଜା ଛୁଟି ପରେ କୋର୍ଟ ଖୋଲିବା ପରେ ଏହି ଆବେଦନର ହାଇକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ରାଜା ଚନ୍ଦ୍ରଙ୍କ ପକ୍ଷରୁ ବରିଷ୍ଠ ଓକିଲ କଲିନ ଗୋନସାଲଭେସ ଦର୍ଶାଇଥିଲେ ଯେ, ତାଙ୍କ ମହକିଲଙ୍କ ପିତାଙ୍କୁ ଏକ ମିଥ୍ୟା ଏନ୍କାଉଣ୍ଟର୍ରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ଏବଂ ପୁଲିସ ମୃତଦେହକୁ ଦାହ କରିବାକୁ ଚେଷ୍ଟା କରୁଛି। ରାଜ୍ୟ ପୁଲିସ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଏନ୍କାଉଣ୍ଟର୍ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆବେଦନକାରୀଙ୍କ ବାପାଙ୍କ ମୁଣ୍ଡ ଉପରେ ୭ଟି ରାଜ୍ୟରେ ୭ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି ଯେ, ସମାନ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା ଜଣେ ମାଓବାଦୀର ମୃତଦେହ ତାଙ୍କ ପରିବାରକୁ ଦିଆଯାଇଥିଲା ଓ ତା’ର ଅନ୍ତିମ ସଂସ୍କାର ହୋଇଥିବା ବେଳେ ଆବେଦନକାରୀଙ୍କ ପିତାଙ୍କ ମୃତଦେହ ଡାକ୍ତରଖାନାରେ ଥିଲା।