ନୂଆଦିଲ୍ଲୀ: ଭାରତରେ ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । କରୋନା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ବିଶ୍ୱ ଏବେ ଅଧିକରୁ ଅଧିକ ପୁଷ୍ଟିକର, ସ୍ୱାସ୍ଥ୍ୟକର ଓ ନିରାପଦ ଖାଦ୍ୟ ଲୋଡୁଛି । ଫଳରେ ଜୈବିକ କୃଷିଜାତ ସାମଗ୍ରୀ ଚାହିଦା ବଢୁଛି; ଫଳରେ ଚାଷୀ, ଖାଉଟି ଓ ପରିବେଶ ସମସ୍ତଙ୍କୁ ଏହି ଚାଷଦ୍ୱାରା ଲାଭ ମିଳୁଛି । ଭାରତରେ ବିଶ୍ୱର ସର୍ବାଧିକ ଜୈବିକ ଚାଷୀ ଅଛନ୍ତି । ସେହିଭଳି ଭାରତରେ ବିଶ୍ୱରେ ନବମ ସର୍ବାଧିକ ଜମିରେ ଜୈବିକ ଚାଷ କରାଯାଉଛି । ସିକ୍କିମ୍‌ ରାଜ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରଥମକରି ସଂପୂର୍ଣ୍ଣ ଜୈବିକ କୃଷି ମାନ୍ୟତା ହାସଲ କରିଛି ।

Advertisment

ଏଠାରେ ଜୈବିକ କୃଷି ଛଡା ଅନ୍ୟ କୌଣସି ପ୍ରକାରର ଚାଷ କରାଯାଉନାହିଁ । ତ୍ରିପୁରା ଏବଂ ଉତ୍ତରାଖଣ୍ଡ ମଧ୍ୟ ସମାନ ଲକ୍ଷ୍ୟରଖି ଆଗେଇ ଚାଲିଛନ୍ତି । ପାରମ୍ପରିକ ଦୃଷ୍ଟିରୁ ଭାରତର ଉତ୍ତର ପୂର୍ବାଞ୍ଚଳରେ ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ହୋଇଥାଏ । ଏସବୁ ରାଜ୍ୟରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଖୁବ୍‌ କମ୍‌ ରାସାୟନିକ ସାର ବ୍ୟବହାର କରାଯାଇଥାଏ । ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଦ୍ୱୀପାଞ୍ଚଳଗୁଡିକରେ ଏବେ ଜୈବିକ ଚାଷକୁ ଗୁରୁତ୍ୱ ଦିଆଯାଉଛି । ଜୈବିକ କୃଷି ପଦ୍ଧତି ଅବଲମ୍ବନ କରି ନିଜର ଆୟ ବୃଦ୍ଧି କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଜୈବିକ କୃଷି ପଦ୍ଧତିରେ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ଓ ବଜାର ଚାହିଦା ମଧ୍ୟ ଭଲ ରହୁଛି । ଏହି କାର୍ଯ୍ୟରେ ଚାଷୀଙ୍କୁ ସହାୟତା ଦେବାପାଇଁ ସରକାର ଦୁଇଟି ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ସେଥିରୁ ଗୋଟିଏ ହେଲା ଉତ୍ତର ପୂର୍ବାଞ୍ଚଳ ଅର୍ଗାନିକ ଭ୍ୟାଲୁଚେନ ମିଶନ ବା ଏମ୍‌ଓଭିସିଡି ଏବଂ ଅନ୍ୟଟି ହେଲା ପରମ୍ପରାଗତ କୃଷି ବିକାଶ ଯୋଜନା ବା ପିକେଭିୱାଇ । ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଦୁଇ ଯୋଜନାରେ ରାସାୟନିକ ସାର ମୁକ୍ତ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି । ୨୦୧୮ର କୃଷି ରପ୍ତାନୀ ନୀତିରେ ଜୈବିକ ଚାଷକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ଏହା ଫଳରେ ଆନ୍ତର୍ଜାତିକ ଜୈବିକ ବଜାରରେ ଭାରତ ଏକ ପ୍ରମୁଖ ରାଷ୍ଟ୍ରଭାବେ ଉଭା ହୋଇପାରିବ । ଭାରତରୁ ମୁଖ୍ୟତଃ ଜୈବିକ ଉପାୟରେ ଉତ୍ପାଦିତ ଅଳସୀ, ସିସମ ବା ରୋଜଉଡ୍‌, ସୋୟାବିନ୍‌, ଚା, ଔଷଧୀୟ ଗୁଳ୍ମ, ଚାଉଳ ଓ ଡାଲି ଆଦି ରପ୍ତାନୀ ହୋଇଥାଏ । ୨୦୧୮-୧୯ ବର୍ଷରେ ଭାରତ ଯେତେ ଜୈବିକ କୃଷିଜାତ ସାମଗ୍ରୀ ରପ୍ତାନୀ କରିଥିଲା ଏସବୁ ସାମଗ୍ରୀର ଅଂଶ ସେଥିରେ ଥିଲା ୫୦ ଶତାଂଶ ଏବଂ ମୂଲ୍ୟ ହିସାବରେ ଏହା ଥିଲା ୫୧୫୧ କୋଟି ଟଙ୍କା । ଆସାମ, ମିଜୋରାମ, ମଣିପୁର ଓ ନାଗାଲାଣ୍ଡରୁ ପ୍ରଥମକରି ଏହିସବୁ ସାମଗ୍ରୀ ଆମେରିକା, ବ୍ରିଟେନ, ସୁଇଜରଲାଣ୍ଡ ଏବଂ ଇଟାଲୀ ଆଦି ଦେଶକୁ ରପ୍ତାନୀ କରାଯାଇଥିଲା ।

publive-image Flickr

ଏବେ ଏସବୁ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି । ଫଳରେ ଭାରତ ପାଇଁ ଏସବୁ ଦେଶ ବ୍ୟତୀତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଏହି ସାମଗ୍ରୀ ଅଧିକରୁ ଅଧିକ ରପ୍ତାନୀ କରିବାରେ ସୁଯୋଗ ସୃଷ୍ଟି ହୋଇଛି । ଜୈବିକ କୃଷିରେ ପ୍ରମାଣନ ବ୍ୟବସ୍ଥାର ଗୁରୁତ୍ୱ ଅଧିକ । ଜୈବିକ ଉପାୟରେ ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ବୈଧାନିକ ପ୍ରମାଣପତ୍ର ବା ସାର୍ଟିଫିକେଟ ମିଳିଲେ ତାହାକୁ ଭିତ୍ତିକରି କ୍ରେତା ଏସବୁ ସାମଗ୍ରୀ କିଣିବାକୁ ଆଗ୍ରହୀ ହୋଇଥାନ୍ତି । ଏହାଦ୍ୱାରା ସେମାନଙ୍କର ସାମଗ୍ରୀର ଗୁଣ ଓ ମାନ ପ୍ରତି ବିଶ୍ୱାସ ବଢିଥାଏ । ଉଭୟ ପିକେଭିୱାଇ ଏବଂ ଏମ୍‌ଓଭିସିଡି ଦ୍ୱାରା ସହଯୋଗଭିତ୍ତିକ ଗ୍ୟାରେଣ୍ଟି ବ୍ୟବସ୍ଥାରେ ଏହି ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟ କରାଯାଉଛି । ସେହିଭଳି ଜାତୀୟ ଜୈବିକ ଉତ୍ପାଦନ କାର୍ଯ୍ୟକ୍ରମ ବା ଏମ୍‌ପିଓପି ଏସବୁ ସାମଗ୍ରୀର ଘରୋଇ ଓ ରପ୍ତାନୀ ବଜାରକୁ ଅନୁଧ୍ୟାନକରି ଏହାର କାରବାର ପାଇଁ ଆବଶ୍ୟକ ସହାୟତା ଓ ପରାମର୍ଶ ଯୋଗାଉଛି । ଜୈବିକ ଖାଦ୍ୟ ନିରାପତ୍ତା ଓ ମାନ ନିୟମ ୨୦୧୭ ଏନ୍‌ପିଓପିଜିଏସ୍‌ର ମାନକୁ ବିଚାରକୁ ନେଇ ଏହି ସାମଗ୍ରୀର ମାନକୀକରଣ ମଧ୍ୟ କରିଥାଏ । ଏହିସବୁ ଉତ୍ପାଦିତ ସାମଗ୍ରୀ ପ୍ୟାକେଟ ଉପରେ ଏଫ୍‌ଏସ୍‌ଏସ୍‌ଏଆଇ, ଜୀବିକା ଭାରତ/ପିଜିଏସ୍‌ ଅର୍ଗାନିକ୍‌ ଇଣ୍ଡିଆ ଆଦି ଲୋଗୋ ଲଗାଯାଇଥାଏ । ଏହି ଲୋଗୋରୁ ସାମଗ୍ରୀର ମାନ, ଗୁଣ ଏବଂ ଜୈବିକିତା ସଂପର୍କରେ ପ୍ରମାଣ ମିଳେ ।

ରସାୟନ ମୁକ୍ତ କୃଷିଜାତ ସାମଗ୍ରୀକୁ ମଧ୍ୟ ପିଜିଏସ୍‌ ଗ୍ରୀନ୍‌ ସାର୍ଟିଫିକେଟ ଦିଆଯାଉଛି, ଯାହା ଅର୍ଗାନିକ ନାମରେ ପରିଚିତ । ପିକେଭିୱାଇ ସହାୟତାରେ ଦେଶର ପ୍ରାୟ ୪୦ ହଜାର ଚକଡା ବା କ୍ଲଷ୍ଟରରେ ଏବେ ଜୈବିକ କୃଷି କାର୍ଯ୍ୟ କରାଯାଉଛି । ଏହିସବୁ ଚାଷ ଜମିର ମୋଟ ପରିମାଣ ୭ ଲକ୍ଷ ହେକ୍ଟର । ଏମ୍‌ଓଭିସିଡି ଏବେ ତା ଅଧୀନକୁ ୧୬୦ଟି ଚାଷୀ ଉତ୍ପାଦକ ସଂଘକୁ ଆଣିଛି । ଏହି ଚାଷୀମାନେ ପ୍ରାୟ ୮୦ ହଜାର ହେକ୍ଟର ଜମିରେ ଜୈବିକ ଚାଷ କରୁଛନ୍ତି । ଏହିସବୁ ଚକଡାରେ ଜୈବିକ କୃଷିକୁ ନିରନ୍ତର ଆଗେଇ ନେବାପାଇଁ କଣ୍ଟ୍ରାକ୍ଟ ଫାର୍ମିଂ ଭିତ୍ତିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଫଳରେ ବଜାର ଚାହିଦା ଓ ଆବଶ୍ୟକତାକୁ ଦେଖି ଚାଷୀମାନେ ଜୈବିକ ଚାଷ କରୁଛନ୍ତି । ଫଳରେ ସେମାନେ ଏକ ନିଶ୍ଚିତ ବଜାର ପାଉଛନ୍ତି ଏବଂ ଉଦ୍ୟୋଗ ମଧ୍ୟ ସେମାନଙ୍କ ଚାହିଦା ଓ ମାନ ଅନୁସାରେ ସାମଗ୍ରୀ ପାଇପାରୁଛନ୍ତି । ଏଥିରେ ମଧ୍ୟ ବିଭିନ୍ନ ଶିଳ୍ପସଂସ୍ଥାକୁ ସଂଲଗ୍ନ କରାଯାଇଛି । ସେମାନେ ଅଧିକ ଚାହିଦା ଥିବା ଅଦା, ହଳଦୀ, କଳାଧାନ, ମସଲା, ପୁଷ୍ଟିକର ଖାଦ୍ୟଶସ୍ୟ, ସପୁରୀ, ଔଷଧୀୟ ବୃକ୍ଷଲତା, ବକ୍‌ ଗହମ (ଏକ ପ୍ରକାର ଗହମ), ବାଉଁଶ କରଡି ଆଦିକୁ ତୁରନ୍ତ କିଣି ନେଇ ସେ ସବୁର ପ୍ରକ୍ରିୟାକରଣ କରି ବଜାରକୁ ଛାଡୁଛନ୍ତି । ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ଅଞ୍ଚଳରୁ ଏଥିପାଇଁ ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ ସଂଗୃହୀତ ହୋଇଛି ।

ମେଘାଳୟର ମଦର ଡାଏରୀ, ରେଭଣ୍ଟା ଫୁଡ୍ସ ଏବଂ ମଣିପୁରର ବିଗ୍‌ ବାସ୍କେଟ ସଂସ୍ଥା ମଧ୍ୟ ଏସବୁ ସାମଗ୍ରୀ କିଣୁଛନ୍ତି । ଆହୁରି ମଧ୍ୟ କେତେକ ଜାଗାରେ ଚାଷୀ ଗୋଷ୍ଠୀମାନେ ନିଜର ବଜାର ତିଆରି କରି ଏସବୁ କୃଷିଜାତ ଦ୍ରବ୍ୟ ଖାଉଟି ଏବଂ ବେପାରିକୁ ବିକୁଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏହା ବେଶ୍‌ ସଫଳ ହୋଇଛି । ଖାଉଟିମାନେ ସିଧାସଳଖ ଚାଷୀଙ୍କଠାରୁ ଏହା କିଣୁଛନ୍ତି ଏବଂ ଏଥିରେ ମଧ୍ୟସ୍ଥ କିମ୍ବା ଦଲାଲଙ୍କର କୌଣସି ଭୂମିକା ରହୁନାହିଁ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ଲାଭ ଯୋଗାଇ ଦେବାପାଇଁ ଏହି ପ୍ରକ୍ରିୟାରେ ଆଗ୍ରିଗେଟରଙ୍କ ଆବଶ୍ୟକତା ପଡୁଛି । ଏହାକୁ ଦୃଷ୍ଟିରେ ରଖି ଗୋଟିଏ ଗୋଟିଏ ଜିଲାରେ ଗୋଟିଏ ପ୍ରକାର ଫସଲର ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଛଡା ବଡ ବଡ ସହରରେ ଯେଉଁଠି ଜୈବିକ ଉତ୍ପାଦିତ ସାମଗ୍ରୀ ପ୍ରତି ଅଧିକ ଆଗ୍ରହ ରହିଛି, ତାହାର ଆଖପାଖ ଅଞ୍ଚଳରେ ଛୋଟ ଛୋଟ ଜୈବିକ କୃଷି ଉତ୍ପାଦନ ଚକଡାମାନ ତିଆରି କରାଯାଉଛି । ଭାରତରେ ଯେତେବେଳେ କରୋନା ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ଦେଶରେ ଉନ୍ନତ ମାନର ଖାଦ୍ୟର ଚାହିଦା ବଢିଲା ଏବଂ ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେଲେ । ଏହି ଅବସରରେ ଚାଷୀଙ୍କୁ ସିଧାସଳଖ ସାମଗ୍ରୀ ବିକ୍ରୟର ସୁବିଧା ଦେବାପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ମଣ୍ଡିଗୁଡିକର ଗହଳି ଭାଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ମଧ୍ୟ ଆଇନର ସଂଶୋଧନ କରାଗଲା । ଫଳରେ ଚାଷୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା ପାଇଁ ବିକଳ୍ପ ମିଳିଲା । ଏହାର ସୁଯୋଗ ନେଇ ବିଭିନ୍ନ ରାଜ୍ୟ ସରକାର ଚକଡା ବିପଣନ ବ୍ୟବସ୍ଥା ସୃଷ୍ଟି କଲେ । ଯାହାଫଳରେ ଅସୁବିଧା ସମୟରେ ଚାଷୀଙ୍କଠାରୁ ସାମଗ୍ରୀ କ୍ରୟ, ତାହାର ପରିବହନ ଓ ବିକ୍ରିବଟା ବ୍ୟବସ୍ଥା କରିବାକୁ ପ୍ରୋତ୍ସାହନ ମିଳିଲା । କୋହିମାର ଗ୍ରୀନ୍‌ କାରାଭାନ୍‌ ସଂସ୍ଥା ରାଜ୍ୟର ସବୁ ଗାଁ ସହିତ ବଜାର ସଂପର୍କ ସ୍ଥାପନ କରି ପନିପରିବା, ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଆଦି କ୍ରୟ ବ୍ୟବସ୍ଥା କଲା ।

ମହାରାଷ୍ଟ୍ର ସରକାର ସେମିତି ଚାଷୀ ଉତ୍ପାଦକ ସଂଗଠନଗୁଡିକ ଦ୍ୱାରା ଫଳ ଓ ପନିପରିବା ବିକ୍ରିବଟା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପଞ୍ଜାବରେ ମଧ୍ୟ ସ୍ୱତନ୍ତ୍ରଭାବେ ନିର୍ମିତ ଇଲେକ୍ଟ୍ରିକ ଭ୍ୟାନ ଦ୍ୱାରା ଚାଷୀଙ୍କଠାରୁ କ୍ରୟ କରାଯାଇଥିବା ସାମଗ୍ରୀକୁ କ୍ରେତାଙ୍କ ଦ୍ୱାରମୁହଁରେ ଯୋଗାଇ ଦିଆଯାଉଛି । ମଣିପୁରରେ ସେଠାକାର ଅର୍ଗାନିକ ଏଜେନ୍ସି ୧୫ଟି ଯାକ କୃଷି ଉତ୍ପାଦକ କେନ୍ଦ୍ରଠାରୁ ସାମଗ୍ରୀ କିଣି ଜୈବିକ ହୋଲସେଲ୍‌ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଛି । ସାନ୍‌ଜେନଥଙ୍ଗ୍‌ ଏବଂ ଚିଙ୍ଗମେରିୟଙ୍ଗ୍‌ (ଇମ୍ଫାଲ)ରେ ଏଭଳି ଦୁଇଟି ହୋଲସେଲ କେନ୍ଦ୍ର ରହିଛି । ଏହି ଦୁଇ କେନ୍ଦ୍ରରୁ ଖାଉଟିଙ୍କୁ ଏସବୁ ସାମଗ୍ରୀ ଯୋଗାଇ ଦିଆଯାଉଛି । ଅର୍ଗାନିକ ଇ-କମର୍ସ ପ୍ଲାଟଫର୍ମ www.jaivikkheti.inକୁ ଅଧିକ ସୁଦୃଢ କରାଯାଇ ଚାଷୀଙ୍କୁ ଉଭୟ ପାଇକାରୀ ଓ ଖୁଚୁରା କ୍ରେତାଙ୍କ ସହ ଯୋଡାଯାଉଛି । ମହାମାରୀ ସମୟରେ ଡିଜିଟାଲ ଟେକ୍‌ନୋଲଜିର ପ୍ରୟୋଗ ଏ କ୍ଷେତ୍ରରେ ବିଶେଷ ସହାୟକ ହୋଇଛି । ଏହାଫଳରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଓ ଧାଁଧପଡ କରିବା ଆଦି ଝାମେଲାରୁ କେତୋକାଂଶରେ ପରିତ୍ରାଣ ମିଳିଛି । ଟେକ୍‌ନୋଲଜି ସହାୟତରେ ଉଭୟ ଚାଷୀ ଓ କ୍ରେତା ଗୋଟିଏ ଜାଗାରେ ବସି ସାମଗ୍ରୀ କାରବାର ସଂପର୍କରେ କଥାବାର୍ତ୍ତାର ସୁଯୋଗ ପାଇଛନ୍ତି ଏବଂ ତଦନୁସାରେ ସେ ସବୁର ଯୋଗାଣ ପ୍ରକ୍ରିୟା ସୁରୁଖୁରୁରେ ସଂପନ୍ନ ହୋଇଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ ଏକ ୱେବିନାର ମାଧ୍ୟମରେ ସମନ୍ୱିତ ଜୈବିକ କୃଷିର ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ କଳକୌଶଳ ସଂପର୍କରେ ଆଲୋଚନା କରିଥିଲେ । ଜୈବିକ କୃଷିରେ ସମନ୍ୱିତ ପୋଷକ ତତ୍ତ୍ୱର ଉପଯୋଗ, ରୋଗ, ପୋକ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ବିଷୟରେ ଏଥିରେ ଆଲୋଚନା କରାଯାଇ ଚାଷୀଙ୍କ ଆୟ କିପରି ବୃଦ୍ଧି ପାଇବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଭାରତୀୟ କୃଷି ଗବେଷଣା ପରିଷଦ ଏଥିପାଇଁ କେତେକ ଚାଷ ପ୍ରଣାଳୀ ବିକଶିତ କରିଛି ।

ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଚାଷୀମାନେ ତାହାକୁ ଦେଖିବାକୁ ସୁଯୋଗ ପାଇଛନ୍ତି । ଭାରତରେ ପ୍ରାକୃତିକ କୃଷି ଏକ ନୂଆ ବିଚାର ନୁହେଁ । କେଉଁ ଅନାଦି କାଳରୁ ଚାଷୀମାନେ ନିଜ ଜମି ଚାଷ କଲାବେଳେ ରାସାୟନିକ ସାର ପରିବର୍ତ୍ତେ ଗୋବର, କମ୍ପୋଷ୍ଟ ଖତ, ଜୈବିକ ପଦାର୍ଥର ଅବଶେଷ ଭଳି ପ୍ରାକୃତିକ ଖତ, ସାର ପ୍ରୟୋଗ କରୁଥିଲେ । ଏଥିରେ ମୃତ୍ତିକା, ଜଳ, ଅଣୁଜୀବ ଏବଂ କେତେକ ବର୍ଜ୍ୟ ପଦାର୍ଥକୁ ବ୍ୟବହାର କରାଯାଉଥିଲା । ପ୍ରାକୃତିକ ସଂପଦର କିପରି ନିରନ୍ତର ବ୍ୟବହାର କରିହେବ କୃଷି ଓ ଜଙ୍ଗଲରୁ ତାହାର ଶିକ୍ଷା ମିଳେ । ଏବେ ଉଭୟ ଭୂମି ଏବଂ ଜଙ୍ଗଲ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରଚଣ୍ଡ ଚାପର ସମ୍ମୁଖୀନ । ତେଣୁ ଚାଷବାସ କରିବାବେଳେ ଅଧିକ ଉତ୍ପାଦନ ଲକ୍ଷ୍ୟରେ ଚାଷ ଜମିକୁ ରାସାୟନିକ ସାର ଓ ଔଷଧ ଦ୍ୱାରା କ୍ଷତି ପହଞ୍ଚାଇବା ଏକ ବିପଜ୍ଜନକ ପ୍ରକ୍ରିୟା । ତେଣୁ ମାଟିକୁ ଏବଂ ପରିବେଶକୁ ସୁହାଉଥିବା ସବୁଜ ଓ ପ୍ରାକୃତିକ ସାର ପ୍ରୟୋଗର ଗୁରୁତ୍ୱ ବୃଦ୍ଧି ପାଇଛି । ଏହା ହେଲେ କୃଷି ଉତ୍ପାଦନ ବଢିବା ସହ ପରିବେଶ ଠିକ୍‌ଠାକ୍‌ ରହିବ । ସମସ୍ତଙ୍କ ପାଇଁ ଖାଦ୍ୟ ନିରାପତ୍ତା, ପୁଷ୍ଟିସାଧନ ଏବଂ ନିରନ୍ତର କୃଷି ଏହି ୩ଟି ବିଷୟ ଉପରେ ଜାତିସଂଘର ନିରନ୍ତର ବିକାଶ ଯୋଜନା-୨ରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଏହାଦ୍ୱାରା ପୂରଣ ହୋଇପାରିବ । ଏ ଦିଗରେ ଅଧିକ ସଚେତନତା ଓ ଦକ୍ଷତା ବିକାଶ ଦ୍ୱାରା ଭାରତର ଚାଷୀ ଜୈବିକ ଚାଷଦ୍ୱାରା ଆନ୍ତର୍ଜାତିକ ମାନର ସାମଗ୍ରୀ ଉତ୍ପାଦନ କରି ଦେଶୀ ଓ ବିଦେଶୀ ଉଭୟ ଖାଉଟିଙ୍କ ଆବଶ୍ୟକତା ପୂରଣ କରିପାରିବେ । ଏହା ମଧ୍ୟ ଭାରତୀୟ ରପ୍ତାନୀ ବାଣିଜ୍ୟକୁ ବିଶ୍ୱରେ ଉଚିତ ସ୍ଥାନ ଦେବ ବୋଲି ଆଶା କରାଯାଏ ।