ବିଜେପିର ସାଂଗଠନିକ ପୁନର୍ଗଠନ: ବାଦ୍‌ ପଡ଼ିଲେ ରାମ ମାଧବ ଫେରିଲେ ମୁକୁଲ ରାୟ, ବସୁନ୍ଧରା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ଦଳର ସାଂଗଠନିକ ପୁନର୍ଗଠନ କରିଛନ୍ତି। ପୂର୍ବରୁ ଥିବା ଜାତୀୟ ସମ୍ପାଦକ ପଦରୁ ବରିଷ୍ଠ ନେତା ରାମ ମାଧବ ବାଦ ପଡ଼ିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ୍‌ ରାୟ, ଅନ୍ନପୂର୍ଣ୍ଣା ଦେବୀ, ରାଧା ମୋହନ ସିଂହ, ବୈଜୟନ୍ତ ଜୟ ପଣ୍ଡା, ରଘୁବୀର ଦାସ, ରେଖା ବର୍ମା, ଭାରତୀ ବେନ୍‌ ସିୟାଲ, ଡି.କେ. ଅରୁଣା, ଡ. ଏମ୍‌. ଚୁବା, ଅବ୍‌ଦୁଲ୍ଲା କୁଟ୍ଟି, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦଳର ରାଷ୍ଟ୍ରୀୟ ଉପ ସଭାପତି ଭାବେ ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବାର ୯ ମାସ ପରେ ଜେ.ପି. ନଡ୍ଡା ଦଳର ପୁନର୍ଗଠନ କରିଛନ୍ତି। ପୂର୍ବରୁ ଉପସଭାପତି ଥିବା‌ ଶିବରାଜ ସିଂହ ଚୌହାନ, ଉମା ଭାରତୀ, ପ୍ରଭାତ ଝା, ବିନୟ ସହସ୍ରବୁଦ୍ଧେ, ରେଣୁ ଦେବୀ, ଓମ୍‌ ପ୍ରକାଶ ମାଥୁର, ଶ୍ୟାମ ଜାଜୁ, ଅବିନାଶ ରାୟ ଖାନ୍ନାଙ୍କୁ ଉପ ସଭାପତି ପଦରୁ ବାଦ୍‌ ଦିଆଯାଇଛି। ସେହିଭଳି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଙ୍ଗାଲୁରୁ ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କୁ ବିଜେପିର ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ସଭାପତି ପୁନମ୍‌ ମହାଜନଙ୍କ ସ୍ଥାନରେ ତେଜସ୍ବୀଙ୍କୁ ସ୍ଥାନ ଦିଆଯାଇଛି। ରାଜେଶ ଅଗ୍ରୱାଲଙ୍କ ନାମ ଦଳର କୋଷାଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ସେହିଭଳି ଭୁପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ, ଦୁଷ୍ମନ୍ତ କୁମାର ଗୌତମ, ଡି. ପୁରୁନ୍ଦେଶ୍ବରୀ, ସି.ଟି. ରବି, ତରୁଣ ଚୁଗ୍‌, ଦିଲ୍ଲିପ ସୌକିୟାଙ୍କ ନାମ ଜାତୀୟ ସମ୍ପାଦକ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଥିବା ଜାତୀୟ ସମ୍ପାଦକ ପଦରୁ ମୁରଲୀଧର ରାଓ, ସରୋଜ ପାଣ୍ଡେ, ଅନିଲ ଜୈନ ପ୍ରମୁଖଙ୍କ ନାମ ବାଦ ପଡ଼ିଛି। ସେହିଭଳି ଦଳ ୨୩ ଜଣ ନୂଆ ମୁଖପାତ୍ରଙ୍କ ନାମ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଏହି ନୂଆ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର