କାନବେରା: ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ୍) ପକ୍ଷରୁ କାନବେରାଠାରେ ‘ଓରିଓଜ୍ ସ୍ପୋର୍ଟସ୍ ଫେଷ୍ଟ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ହଟିବା ପରେ ଓରିଓଜ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ସମସ୍ତ ପ୍ରଦେଶରୁ ଶତାଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଅନୁଷ୍ଠାନର ସଭାପତି ଡ. ନଳିନୀ ପତି ଓ କ୍ୱିନ୍ସଲ୍ୟାଣ୍ଡର ସମ୍ବିତ ଦାସଙ୍କ ଦ୍ବାରା ପରିକଳ୍ପିତ ଏହି ଦୁଇଦିନିଆ ସମାରୋହର ପ୍ରାରମ୍ଭରେ ଅଷ୍ଟ୍ରେଲିଆ କ୍ୟାପିଟାଲ ଟେରିଟୋରୀ(ଏସିଟି) ଓ ନ୍ୟୁ ସାଉଥ୍ ୱେଲସ୍ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଶାଶ୍ୱତ ପତିଙ୍କ ଅଧିନାୟକତ୍ୱରେ ଏସିଟି, ଆଭାନ୍ସ ଅସିତାଭ ନାୟକଙ୍କର ନେତୃତ୍ୱାଧୀନ ଏନ. ଏସ୍. ଡବ୍ଲୁ ଟିମକୁ ମାତ୍ର ଗୋଟିଏ ରନରେ ପରାଜିତ କରିଥିଲା। ଦ୍ୱିତୀୟ ଦିନର ମୁଖ୍ୟ ଆକର୍ଷଣ ଥିଲା, ଅଷ୍ଟ୍ରେଲିଆନ ଓପନ୍ ୟୁନିଭର୍ସିଟି ସ୍ପୋର୍ଟସ୍ ଆରେନାଠାରେ ଆୟୋଜିତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ମିକ୍ସଡ ଡବଲସରେ ସମ୍ବିତ ଦାସ ଓ ଚିନ୍ମୟୀ ମହାନ୍ତିଙ୍କୁ ହରାଇ ଧରମତେଜା ମାନସିଂହ ଏବଂ ଆକାଂକ୍ଷା ମିଶ୍ର ବିଜୟୀ ଘୋଷିତ ହୋଇଥିଲେ।
ମହିଳା ଡବଲସରେ ଚିନ୍ମୟୀ ମହାନ୍ତି ଓ ରାଧିକା ସ୍ୱାଇଁ ବିଜୟୀ ହୋଇଥିବା ବେଳେ ପ୍ରଜ୍ଞା ଜଗଦେବ ଏବଂ ମଧୁ ପାତ୍ର ରନର୍ସ-ଅପ୍ ହୋଇଥିଲେ। ଜୁନିଅର ଡବଲସ୍ରେ ମୁସ୍କାନ ଲେଙ୍କା ଓ ଶୁଭଶ୍ରୀ ପାତ୍ର, ଦୀପ୍ତିପ୍ରଭା ସାହୁ ଏବଂ ଆଲିସା ନାୟକଙ୍କୁ ହରାଇଥିବା ଜଣାଯାଇଛି। ଖ୍ୟାତନାମା ଖେଳାଳି ତଥା ଅନ୍ତର୍ଜାତୀୟ ସୁଟିଂ ଚାମ୍ପିଅନ୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଏହି ଅବସରରେ ଉପସ୍ଥିତ ଥିଲେ। ପରେ ପିୟର୍ସ କମ୍ୟୁନିଟି ସେଣ୍ଟର୍ଠାରେ ଓରିଓଜର ସଦସ୍ୟ/ସଦସ୍ୟାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା। ସାଂସ୍କୃତିକ ଅଧିବେଶନକୁ ମମତାଜ୍ ଲେଙ୍କା, ସ୍ମିତା ସାମନ୍ତରାୟ, ରୋଜାଲିନ ରାଉତ, ବାର୍ତ୍ତା ପେଣ୍ଡ୍ୟାମ, ରାମପ୍ରସାଦ ମହାନ୍ତି, ଚିନ୍ମୟୀ ମହାନ୍ତି ଓ ମଧୁମିତା ସ୍ୱାଇଁ ସଞ୍ଚାଳନ କରିଥିଲେ। ଓଲିଉଡ୍ ତାରକା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁଙ୍କର ଅନଲାଇନ୍ ଜରିଆରେ ଯୋଗଦାନ ଦର୍ଶକମାନଙ୍କୁ ଉଲ୍ଲସିତ କରିଥିଲା।
ଉଦ୍ଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ହାଇକମିସନର୍ ମନପ୍ରୀତ୍ ଭୋରା ସାରା ବିଶ୍ୱରେ ବ୍ରାଣ୍ଡ ଭାରତକୁ ଲୋକପ୍ରିୟ କରିବାରେ ଓଡ଼ିଶା ଓ ଓଡ଼ିଆମାନଙ୍କର ଭୂମିକା ବେଶ୍ ପ୍ରଭାବଶାଳୀ ବୋଲି କହିଥିଲେ। ଅଷ୍ଟ୍ରେଲିଆର ବହୁବିଧ ସାଂସ୍କୃତିକ ବ୍ୟାପାର ବିଭାଗର ଛାୟାମନ୍ତ୍ରୀ ପିଟର କେନ୍ ଉପସ୍ଥିତ ଥିଲେ।