କାଶ୍ମୀର ଯୁବକ ଓଡ଼ିଆ ଯୁବତୀକୁ ଜବରଦସ୍ତ ବିବାହ କରି ବନ୍ଧକ ରଖିବା ଘଟଣା: ସୁପ୍ରିମକୋର୍ଟରେ ଓଡ଼ିଆ ଦମ୍ପତିଙ୍କ ‘ହେବିଅସ୍‌ କର୍ପସ୍‌’

ଝିଅ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଲେ ପିତାମାତା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଆ ଦମ୍ପତି ନିଜର ଫାର୍ମାସିଷ୍ଟ୍‌ ଝିଅର ଜୀବନ ପ୍ରତି ବିପଦ ରହିଥିବା ତଥା ତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ନେଇ ଯେଉଁ ‘ହେବିଅସ୍‌ କର୍ପସ୍‌’ ପିଟିସନ୍‌ ଦାଖଲ କରିଛନ୍ତି ସେଥିରେ କାଶ୍ମୀରର ଜଣେ ଯୁବକ ଝିଅକୁ ଜବରଦସ୍ତ ବିବାହ କରି ବନ୍ଧକ ରଖିବା ଘଟଣା ସଂପର୍କରେ ଉଲ୍ଲେଖ କରାଯାଇଛି।

ପିଟିସନ୍‌ରେ କୁହାଯାଇଛି, ବ୍ରହ୍ମପୁର ବଡ଼ବଜାର ଅଂଚଳର କୁସୁମ (ଛଦ୍ମନାମ) ନାମକ ଓଡ଼ିଆ ଯୁବତୀ ବି-ଫାର୍ମା ପଢ଼ିବା ବେଳେ କାଶ୍ମୀରର ଜଣେ ମୁସଲିମ୍‌ ଯୁବକ ମଧ୍ୟ ସେଠାରେ ଅଧ୍ୟୟନ କରୁଥିଲେ ଓ ସେ ଯୁବତୀଙ୍କ ସଂପର୍କରେ ଆସିଥିଲେ। ୨୦୧୮ରେ କୁସୁମ ଏମ୍-ଫାର୍ମା କୋର୍ସ ଶେଷ କରିବା ପରେ ୨୦୧୯ରେ ଯୁବକଙ୍କ ସହାୟତରେ ଲକ୍ଷ୍ନୌ ଯାଇଥିଲେ। ସେଠାରେ ଯୁବକ ଏବଂ ଜଣେ କାଶ୍ମୀର ମହିଳା ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବାରୁ କୁସୁମ ଓଡ଼ିଶା ଫେରିଆସିଥିଲେ। ଜାନୁଆରି ୨୦୨୦ରେ କୁସୁମଙ୍କୁ ଚଣ୍ଡିଗଡ଼ସ୍ଥିତ ସେକ୍ଟର ୩୯ରେ ସିଏସ୍‌ଆଇଆର୍‌ ପ୍ରକଳ୍ପ ସହାୟକ ଚାକିରି ମିଳିଥିଲା। ଚାକିରିରେ ଯୋଗଦେବା ପାଇଁ ମାତାପିତାଙ୍କ ସହ କୁସୁମ ଚଣ୍ଡିଗଡ଼ ଯାଇଥିଲେ। ପରବତ୍ତୀ ସମୟରେ କାଶ୍ମୀର ଯୁବକ କୁସୁମଙ୍କୁ ଜବରଦସ୍ତ ବିବାହ କରିବା ପରେ ତାକୁ ନେଇ ଜମ୍ମୁ-କାଶ୍ମୀରର ବାନ୍ଦିପୋରାକୁ ଉଭାନ ହୋଇଯାଇଥିଲେ।

ଓଡ଼ିଆ ଦମ୍ପତି ପିଟିସନରେ ଉଲ୍ଲେଖ କରିଛନ୍ତି, ସେମାନେ ‘ଇଣ୍ଟରଫେତ୍‌, ଇଣ୍ଟର୍‌କାଷ୍ଟ୍‌ ଓ ଇଣ୍ଟର୍‌ରେଲିଜିୟସ୍‌’ ବିବାହକୁ ବିରୋଧ କରୁନାହାନ୍ତି, ଯଦି ତାଙ୍କ ଝିଅ ହିନ୍ଦୁ, ମୁସଲମାନ କିମ୍ବା ଖ୍ରିଷ୍ଟିୟାନକୁ ନିଜ ଇଚ୍ଛାରେ ବିବାହ କରିଛି, ସେମାନେ ତାହାର କୌଣସି କ୍ଷତି ଘଟାଇବେ ନାହିଁ। ତେବେ ସେମାନେ ଆଶଙ୍କା କରୁଛନ୍ତି ତାଙ୍କ ଝିଅକୁ ବିବାହ ପାଇଁ ବାଧ୍ୟ କରାଯାଇଛି। ସେମାନେ ଜାଣିବାକୁ ପାଇଛନ୍ତି ଯିଏ ତାଙ୍କ ଝିଅକୁ ବିବାହ କରିଛି ସେ ଅପରାଧିକ ସିଣ୍ଡିକେଟ୍‌ରେ ସାମିଲ ରହି ସରଳ ହିନ୍ଦୁ ଝିଅଙ୍କ ଜୀବନ ସହ ଖେଳୁଛି। ସେଠାର ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଏସବୁ ଲୋକଙ୍କ କବଳରୁ ଝିଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ଏହା ତଦନ୍ତର ବିଷୟ ବୋଲି ଏମାନେ ପିଟିସନରେ କହିଛନ୍ତି।

ଓଡ଼ିଆ ଦମ୍ପତି କିଭଳି ଝିଅକୁ ଚଣ୍ଡିଗଡ଼ରୁ ଫେରାଇ ଆଣିବା ପାଇଁ ସେଠାକୁ ଯାଇଥିଲେ ଏବଂ କି ଭଳି ସେମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା, ସେ ସଂପର୍କରେ ମଧ୍ୟ ପିଟିସନରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। କାଶ୍ମୀର ଯୁବକ ଓ ସେମାନଙ୍କ ଝିଅ ସୁରକ୍ଷା ପାଇଁ ପଂଜାବ-ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ ପିଟିସନ୍‌କୁ ଭିତ୍ତି କରି ହାଇକୋର୍ଟ ପିତାମାତାଙ୍କୁ ନୋଟିସ ଜାରି କରିଥିଲେ। ପିତାମାତା ପିଟିସନର ଜବାବ ଦେବାକୁ ପ୍ରସ୍ତୁତ ହେଉଥିବ‌ାବେଳେ ଦୁହେଁ ପିଟିସନ୍‌କୁ ପ୍ରତ୍ୟାହାର କରିନେବା ସହ ଉଭାନ ହୋଇଯାଇଥିଲେ ବୋଲି ଏହି ଦମ୍ପତି ଅଭିଯୋଗ କରିଛନ୍ତି। ଝିଅକୁ ଠାବ କରିବା ତଥା ତାର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଚଣ୍ଡିଗଡ଼ ସେକ୍ଟର ୩୯ ପୋଲିସ ଷ୍ଟେସନରେ ସେମାନେ ଅଭିଯୋଗ କକରିଥିଲେ। ଏହା ପରେ ଚଣ୍ଡିଗଡ ଏସ୍‌ଏସ୍‌ପିଙ୍କୁ ଅନ୍‌ଲାଇନ୍‌ରେ ଅଭିଯୋଗପତ୍ର ପଠାଯାଇଥିଲା। ତେବେ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ଓଡ଼ିଆ ଦମ୍ପତି ଅଭିଯୋଗ କରିଛନ୍ତି।

ଏହାପରେ ସେମାନେ ସିଏସ୍‌ଆଇଆର୍‌-ଆଇଏମ୍‌ଟେକରେ ଅଭିଯୋଗ କରିଥିଲେ। ସେଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ୩୫ ଦିନ ଚଣ୍ଡିଗଡ଼ରେ ରହି ଝିଅକୁ ଠାବ କରିବାର ସମସ୍ତ ପ୍ରୟାସ କରିବା ପରେ ଶେଷରେ ଓଡ଼ିଶା ଫେରିଆସି ଏହି ଓଡ଼ିଆ ଦମ୍ପତି ଜାନୁଆରୀ ୨୦୨୧ରେ ବ୍ରହ୍ମପୁର ସ୍ଥାନୀୟ ପୋଲିସ ଷ୍ଟେସନ୍‌ ଏବଂ ଏସ୍‌ପିଙ୍କୁ ସାକ୍ଷାତ କରି ଝିଅକୁ ଠାବ କରିବା ଉଦ୍ୟମରେ ମଧ୍ୟ ବିଫଳ ହେଲେ। ଜମ୍ମୁ-କାଶ୍ମୀର ବାନ୍ଦିପୋରା ପୋଲିସ ଷ୍ଟେସନ, ଚଣ୍ଡିଗଡ଼ ପୋଲିସ ଷ୍ଟେସନ୍‌ ଓ ଓଡ଼ିଶା ପୋଲିସ ନିକଟରୁ କୌଣସି ସୂଚନା ଉପଲବ୍ଧ ନହେବା ପରେ ଓଡ଼ିଆ ଦମ୍ପତି ସୁପ୍ରିମକୋର୍ଟରେ ‘ହେବିଅସ୍‌ କର୍ପସ୍‌ ପିଟିସନ୍‌’ ଦାଖଲ କରି ଅଭିଯୁକ୍ତ କାଶ୍ମୀର ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ଝିଅର ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରାର୍ଥନା କରିବା ପରେ ଗତକାଲି ସୁପ୍ରିମକୋର୍ଟ ଜମ୍ମୁ-କାଶ୍ମୀର, ଓଡ଼ିଶା ଓ ଚଣ୍ଡିଗଡ଼କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର