ଆଇଏଫ୍‌ଏଫ୍‌ଆଇର ଇଣ୍ଡିଆନ୍‌ ପାନାରୋମାରେ ଓଡିଆ ଚଳଚ୍ଚିତ୍ର ‘ବ୍ୟାକଷ୍ଟେଜ୍‌’

ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫଏଫଆଇ)-୨୦୨୧ର ଭାରତୀୟ ପାନାରୋମାରେ ଅଣଫିଚର୍‌ ଫିଲ୍ମ ବର୍ଗରେ ଓଡ଼ିଆ ଭାଷାରେ ଏକମାତ୍ର ଚଳଚ୍ଚିତ୍ର ‘ବ୍ୟାକଷ୍ଟେଜ୍‌’ ପ୍ରର୍ଦଶିତ ହେବ। ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଲିପିକା ସିଂହ ଦୋରାଇ। ଆଇଏଫ୍‌ଏଫ୍‌ଆଇ-୨୧ରେ ଇଣ୍ଡିଆନ ପାନାରୋମାରେ ଅଣଫିଚର୍‌ ଫିଲ୍ମବର୍ଗରେ ସମୁଦାୟ ୨୦ଟି ଚଳଚ୍ଚିତ୍ରର ପ୍ରଦର୍ଶନୀ ପାଇଁ ଘୋଷଣା କରାଯାଇଥିବା ବେଳେ ଏକମାତ୍ର ଓଡ଼ିଆ ଭାଷାର ଅଣ ଫିଚର୍‌ ଚଳଚ୍ଚିତ୍ର ରୂପେ ‘ବ୍ୟାକଷ୍ଟେଜ୍‌’କୁ ଚୟନ କରାଯାଇଛି। ୮୫ ମିନିଟ୍‌ର ଏହି ଅଣଫିଚର୍‌ ଫିଲ୍ମ ଓଡ଼ିଶାର ବିଲୁପ୍ତ କାଠକଣ୍ଡେଇ କଳା ଉପରେ ପର୍ଯ୍ୟବସିତ। ଏହି ଚଳଚ୍ଚିତ୍ରକୁ ଗତବର୍ଷ ଅଗଷ୍ଟ ୨୩ ତାରିଖରେ ଇଟାଲିର ‘ଆସ୍‌ଲୋ ଆର୍ଟ ଫିଲ୍ମ ଫେଷ୍ଟିଭାଲ’ରେ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।

ଅପରପକ୍ଷେ ଅଣଫିଚର୍‌ ଫିଲ୍ମ ବର୍ଗରେ ଓଡ଼ିଆ ପୁଅ ସୁବା‌‌ସ ସାହୁଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ତିନ୍ ଅଧ୍ୟାୟ’କୁ ଆଇଏଫ୍‌ଏଫ୍‌ଆଇ-୨୧ର ଇଣ୍ଡିଆନ ପାନରୋମାରେ ପ୍ରର୍ଦଶିତ କରାଯିବ। ଆଇଏଫ୍‌ଏଫ୍‌ଆଇ-୨୧ର ଇଣ୍ଡିଆନ ପାନାରୋମାରେ ପ୍ରଦର୍ଶିତ ହେବାକୁ ଥିବା ୨୫ଟି ଫିଚର୍‌ ଫିଲ୍ମରେ କୌଣସି ଓଡ଼ିଆ ଭା‌ଷାର ଚଳଚ୍ଚିତ୍ର ସ୍ଥାନ ପାଇନାହିଁ। ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତା ଏସ. ଭି. ରାଜେନ୍ଦ୍ର ସିଂହ ବାବୁଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ ଜଣିଆ ଫିଚର୍‌ ଫିଲ୍ମ ଜୁରିରେ ସିନେମା‌ଟୋଗ୍ରାଫର୍‌ ପ୍ରଶନ୍ତାନୁ ମହାପାତ୍ରଙ୍କୁ ସଦସ୍ୟ ରୂପେ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ଫିଲ୍ମ ଫେଷ୍ଟିଭାଲ ନିର୍ଦ୍ଦେଶାଳୟ, ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ଗୋଆ ସରକାରଙ୍କ ସହଯୋଗରେ ଚଳିତ ମାସ ୨୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଆଇଏଫ୍‌ଏଫ୍‌ଆଇ-୨୦୨୧ର ୫୨ତମ ସଂସ୍କରଣ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର