ଓଡ଼ିଆ ଆଇଏଏସ୍‌ ଗୁରୁପ୍ରସାଦଙ୍କ ଦେହାନ୍ତ

ନୁଆଦିଲ୍ଲୀ : କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ (ଡିପିଆଇଆଇଟି) ସଚିବ ତଥା ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କର ଶନିବାର ନୂଆଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲ ୧୯ ତାରିଖରୁ ସେ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସତ୍ତ୍ବେ କରୋନା ପରବର୍ତ୍ତୀ ଜଟିଳତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗୁରୁପ୍ରସାଦଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶା ଓ ଗୁଜରାଟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, କ୍ୟାବିନେଟ ସଚିବ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଗୁରୁପ୍ରସାଦ ୨୦୨୨ ମସିହା ଏପ୍ରିଲ ୩୦ରେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ।

ପ୍ରଖ୍ୟାତ ଓଡିଆ ସାହିତ୍ୟିକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ ଗୁରୁପ୍ରସାଦ ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିଲେ। ବିଜେବି କଲେଜ ଓ ଜେଏନ୍‌ୟୁରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୮୬ ମସିହାରେ ଗୁଜୁରାଟ କ୍ୟାଡର୍‌ରେ ଯୋଗ ଦେଇଥିଲେ। ସେ ସୁରତ ମହାନଗର ନିଗମର କମିସନର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ସୁରତ ଭଳି ବୟନଶିଳ୍ପର ପେଣ୍ଠସ୍ଥଳୀକୁ ଆଦର୍ଶ ନଗର ପରିଚାଳନାର କେନ୍ଦ୍ର ରୂପେ ପ୍ରତିଷ୍ଠା କରିବାର ସେ ସୁତ୍ରଧର ରହିଥିଲେ। ସୁରତର କଠିନ ବର୍ଜ୍ୟ ପରିଚାଳନ‌ା ଏବଂ ଉତ୍ତମ ଭିତ୍ତିଭୂମି ସହ ସହରକୁ ନୂଆ ପରିଚୟ ଦେବା, ସାବରମତୀ ରିଭରଫ୍ରଣ୍ଟ ପ୍ରକଳ୍ପ, ସହରାଞ୍ଚଳ ଯାତ୍ରୀ ପରିବହନ ବିକାଶରେ ତାଙ୍କର ସିଧାସଳଖ ଯୋଗଦାନ ରହିଥିଲା। ପରବର୍ତ୍ତୀ ସମୟରେ ସେ ଅହମଦାବାଦ ମହାନଗର ନିଗମର କମିସନର୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଗୁରୁପ୍ରସାଦ କେନ୍ଦ୍ରୀୟ ଡେପୁଟେସନରେ ଆସି ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ରୂପେ କାର୍ଯ୍ୟଭାର ସମ୍ଭାଳିଥିଲେ। ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ଗୁଡ଼ିକର ବିକାଶ, ପବ୍ଲିକ ପ୍ରୋକ୍ୟୁରମେଣ୍ଟ ଏବଂ ପ୍ରକଳ୍ପ ରପ୍ତାନି କାର୍ଯ୍ୟର ତଦାରଖ କରୁଥିଲେ। ଏହା ପରେ ଡକ୍ଟର ମହାପାତ୍ର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ଗୁରୁତ୍ବପୁର୍ଣ୍ଣ ନିଯୁକ୍ତି ପାଇଥିଲେ। ଦେଶରେ ବିମାନବନ୍ଦରର ଭିତ୍ତିଭୂମିର ବିକାଶ ସହିତ ଛୋଟ ଛୋଟ ସହରମାନଙ୍କରେ ବିମାନ ଭିତ୍ତିଭୂମି ପ୍ରତିଷ୍ଠା କରିବା ତାଙ୍କର ବଡ଼ ଅବଦାନ ରହିଥିଲା।

୨୦୧୯ ଅଗଷ୍ଟରେ ସେ କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ (ଡିପିଆଇଆଇଟି)ର ସଚିବ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୦ ମାର୍ଚ୍ଚରେ ଦେଶରେ କରୋନାର ପ୍ରଥମ ଲହର ସମୟରେ କରୋନା‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଗଠନ କରାଯାଇଥିବା କ୍ଷମତାସମ୍ପନ୍ନ ଗୋଷ୍ଠୀ-୨ ର ଅଧ୍ୟକ୍ଷ ରୂପେ ଦେଶରେ ଅକ୍ସିଜେନ ‌ଯୋଗାଣକୁ କିଭଳି ସୁଚାରୁରୁପେ କାର୍ଯ୍ୟକାରୀ କରାଯିବ ସେ ନେଇ ‌ସେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ। ଚଳିତ ବର୍ଷ ଏପ୍ରିଲ ମାସରେ କରୋନାର ଦ୍ବିତୀୟ ଲହରରେ ଦେଶର ଦେଖାଦେଇଥିବା ଅକ୍ସିଜେନ ସମସ୍ୟାର ସମାଧାନକୁ ନେଇ ‌ ସେ ନିରନ୍ତର ଭାବେ କାର୍ଯ୍ୟ କରିବା ସହିତ ସ୍ଥିତିର ତଦାରଖ କରୁଥିବା ସମୟରେ କ‌ରୋନାରେ ସଂକ୍ରମିତ ହୋଇଥିଲେ। କରୋନାରେ ସଂକ୍ରମିତ ହୋଇ ମଧ୍ୟ ସେ ଫୋନ ଓ ଭିଡିଓ କନଫରେନ୍‌ସିଂ ଜରିଆରେ ଅଧିକାରୀ ଓ ସହଯୋଗୀମାନଙ୍କୁ ଗରୁତ୍ବପୁର୍ଣ୍ଣ ପରାମର୍ଶ ମଧ୍ୟ ଦେଉଥିଲେ।

ଗୁରୁପ୍ରସାଦଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ଜ‌‌ଣେ ଅତ୍ୟନ୍ତ କର୍ମଠ ଓ ଦକ୍ଷ ଅଧିକାରୀ ଥିଲେ। ରାଷ୍ଟ୍ରପତି ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି କହିଛନ୍ତି ଯେ ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ମୁଁ ତାଙ୍କ ସହ ଗୁଜରାଟ ଓ କେନ୍ଦ୍ରରେ ବହୁ ବର୍ଷ ଧରି କାର୍ଯ୍ୟ କରିଛିା। ସ୍ବର୍ଗତ ମହାପାତ୍ର ନିଜ ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡିଶା ଜନ୍ମିତ ଆଇଏଏସ ଅଧିକାରୀ ଗୁରୁପ୍ରସାଦଙ୍କ ଦେହାନ୍ତରେ ମୁଁ ମର୍ମାହତ। ସେ ନିଜର ପ୍ରଶାସନିକ ଦକ୍ଷତା ପାଇଁ ପରିଚିତ ଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଗଭୀର ଶୋକ ପ୍ରକାଶ କରିବା ସହ ଗୁଜୁରାଟ ଜଣେ ଦକ୍ଷ ଅଧିକାରୀଙ୍କୁ ହରାଇଲା ବୋଲି କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଗୁରୁପ୍ରସାଦଙ୍କ ମୁତ୍ୟୂରେ ଭାରତ ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଛି। ଗୁଜୁରାଟରେ ସହରାଞ୍ଚଳ ବିକାଶରେ ସଂସ୍କାର ଆଣିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ଦେଶରେ କୋଭିଡ୍‌ ପରିଚାଳନାରେ ସେ ଆଗଧାଡ଼ିରେ ରହିଥିଲେ। ତାଙ୍କର କର୍ମଭୁମି ଗୁଜରାଟ ଥିଲେ ମଧ୍ୟ ଓଡିଶା ଜଣେ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା।

ସମ୍ବନ୍ଧିତ ଖବର