ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ପଦ ଦୌଡ଼ରେ ଓଡ଼ିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ସାମିଲ୍ ରହିଥିବା ଜଣାପଡ଼ିଛି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆ ନିର୍ଦ୍ଦେଶକ ଚୟନ ପାଇଁ ଉଚ୍ଚସ୍ତରୀୟ ଚୟନ କମିଟିର ବୈଠକ ବସିବ। ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ କିଏ ହେବେ, ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ, ଏହି ଗୁରୁତ୍ବପୂର୍ଣ୍ଣ ପଦ ଦୌଡ଼ରେ ବର୍ତ୍ତମାନର ଅନ୍ତରୀଣ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା, ବିଏସ୍ଏଫ୍ ଓ ଏନ୍ସିବିା ପ୍ରମୁଖ ରାକେଶ ଆସଥାନା, ଏନ୍ଆଇଏର ମୁଖ୍ୟ ୱାଇସି ମୋଦୀ, ଆଇଟିବିପିର ମୁଖ୍ୟ ଏସ୍ଏସ୍ ଦେଶ୍ୱାଲା, ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଏଚ୍ ସି ଆୱାସ୍ଥିଙ୍କ ସହ ଶ୍ରୀ ବେହେରାଙ୍କ ନାମ ରହିଛି। ଶ୍ରୀ ବେହେରା ଏବେ କେରଳର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବରେ ରହିଛନ୍ତି। ୧୯୮୫ ମସିହା ବ୍ୟାଚ୍ର ଓଡ଼ିଶାର ଏହି ବରିଷ୍ଠ ପୁଲିସ ଅଧିକାରୀ ୧୯୯୫ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସିବିଆଇରେ ଏସ୍ପି ଓ ଡିଆଇଜି ପଦରେ କାର୍ଯ୍ୟ କରିଥିଲେ। ନିଜର କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଦନ୍ତରେ ସାମିଲ୍ ହୋଇଥିଲେ। ଏତଦ୍ବ୍ୟତୀତ ଏନ୍ଆଇଏରେ ମଧ୍ୟ ତାଙ୍କର ୬ ବର୍ଷର ଅଭିଜ୍ଞତା ରହିଛି। ଜଣେ ଦକ୍ଷ ପୁଲିସ୍ ଅଧିକାରୀ ଭାବେ ତାଙ୍କର ଖ୍ୟାତି ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁୟାରି ପ୍ରଥମ ସପ୍ତାହରୁ ସିବିଆଇ ମୁଖ୍ୟ ପଦ ଖାଲିରହିଛି। ଆସନ୍ତା ୨୪ ଦିନ ଅନୁଷ୍ଠିତ ହେବାକୁ ଥିବା ଚୟନ କମିଟି ବୈଠକରେ ନୂଆ ନିର୍ଦ୍ଦେଶକଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ଉଚ୍ଚସ୍ତରୀୟ ଚୟନ କମିଟିରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଏନ୍.ଭି. ରମଣ, ଲୋକସଭାରେ କଂଗ୍ରେସର ନେତା ଅଧିରଂଜନ ଚୌଧୁରୀ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/cbi.jpg)