ଜାଣିଶୁଣି ୨୨ଜଣଙ୍କୁ ସଂକ୍ରମିତ କଲେ କରୋନା ପଜିଟିଭ ବ୍ୟକ୍ତି

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ କରୋନା ସଂକ୍ରମଣ ମାମଲା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଭାରତ କରୋନାର ଦ୍ବିତୀୟ ଲହର ସହିତ ପ୍ରତି ମୁହୂର୍ତ୍ତରେ ଲଢ଼ୁଛି।  ଏହି କ୍ରମରେ ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସରକାର ଲୋକଙ୍କୁ ସଂକ୍ରମଣ ନବ୍ୟାପିବା ପାଇଁ ବାରମ୍ବାର ସଚେତନ କରୁଥିବା ବେଳେ ଜଣେ ବ୍ୟକ୍ତି ୨୨ଜଣଙ୍କୁ ଜାଣିଶୁଣି ସଂକ୍ରମିତ କରିଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏମିତି ଏକ ଘଟଣା ସ୍ପେନର ମଲୋର୍କା ସହରରେ ଘଟିଛି। ଗତ ଶନିବାର ୪୦ବର୍ଷୀୟ ବ୍ୟକ୍ତିଙ୍କୁ ଜାଣିଶୁଣି ୨୨ଜଣଙ୍କୁ କରୋନା ସଂକ୍ରମିତ କରିଥିବା ଘଟଣାରେ ପୁଲିସ ଗିରଫ କରିଛି।

corona positive man arrested

କୁହାଯାଉଛି କି, ଉକ୍ତ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ବି ସେ ନିଜକୁ କ୍ବାରେଣ୍ଟାଇନରେ ନରଖି ସାଧାରଣ ଜୀବନଯାପନ କରିଥିଲେ।

ଉକ୍ତ ବ୍ୟକ୍ତିଙ୍କ ଅଫିସ କର୍ମଚାରୀମାନେ ଅଭିଯୋଗ କରିଥିଲେ କି, ଉକ୍ତ ୪୦ବର୍ଷୀୟ ସହକର୍ମୀଙ୍କୁ ଜ୍ବର ହେବା ସତ୍ତ୍ବେ ବି ଅଫିସ ଆସୁଛନ୍ତି। ଏହି ଅଭିଯୋଗ ପରେ ଘଟଣାର ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରୁ ଉକ୍ତ ବ୍ୟକ୍ତି ଜଣକ ବିରୋଧରେ ଯେଉଁ ଅଭିଯୋଗ କରାଯାଇଥିଲା ତାହା ସତ ପ୍ରମାଣିତ ହୋଇଥିଲା।

ଏମିତି କି ଅଫିସ ପରିସରରେ ସେ  ବିନା ମାସ୍କରେ ଜୋରରେ କାଶୁଥିବା ଓ ଛିଙ୍କୁଥିବା ବି ସହକର୍ମୀମାନେ ଅଭିଯୋଗ କରିଥିଲେ।  ତାଙ୍କୁ ଏପରି କରିବାକୁ ସହକର୍ମୀମାନେ ବାରଣ କରିଥିଲେ। କିନ୍ତୁ ସେ କହୁଥିଲେ, ‘ମୁଁ ମାସ୍କ ପିନ୍ଧବି ନାହିଁ। କରୋନା ସଂକମଣକୁ ବୃଦ୍ଧି କରିବି।’

ଏହି ଅଭିଯୋଗ ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ଉକ୍ତ ବ୍ୟକ୍ତି ଜଣକ ପ୍ରତ୍ୟେକ୍ଷରେ ୮ଜଣଙ୍କୁ ଓ ପରୋକ୍ଷରେ ୧୪ଜଣଙ୍କୁ ସଂକ୍ରମିତ କରିଛନ୍ତି। ସଂକ୍ରମିତ ଲୋକଙ୍କ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କ ସହକର୍ମୀ ସହିତ ସେ ଯେଉଁ ଜିମକୁ ଯାଉଥିଲେ ସେଠାର କିଛିଲୋକେ ଅଛନ୍ତି।

ସମ୍ବନ୍ଧିତ ଖବର