ନୂଆଦିଲ୍ଲୀ: ନିହତ ଅଲ୍ କାଏଦା ନେତା ଓସାମା ବିନ୍ ଲାଡେନଙ୍କ ପୁଅ ହାମ୍ଜା ବିନ୍ ଲାଡେନ୍ ମୃତ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱାସ କରୁଥିବା କଥା ବୁଧବାର ଦିନ ସେଠାକାର ସରକାରୀ ଅଧିକାରୀମାନେ କହିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ତିନି ଜଣ ସରକାରୀ ଅଧିକାରୀଙ୍କ କଥାକୁ ଉଦ୍ଧାର କରି ଗଣମାଧ୍ୟମ ରିପୋର୍ଟ କରିଛି ଯେ ଗୁଇନ୍ଦା ସୂଚନା ଅନୁସାରେ, ଅଲ୍ କାଏଦା ନେତା ଓସାମା ବିନ୍ ଲାଡେନ୍ଙ୍କ ପୁଅ ମରିଯାଇଛି। ତାଙ୍କୁ ଧରାଇ ପାରିଲେ ୧ ମିଲିୟନ୍ ଡଲାର୍ ପୁରସ୍କାର ମିଳିବ ବୋଲି ଫେବ୍ରୁଆରି ମାସରେ ଆମେରିକା ଘୋଷଣା କରିଥିଲା।
ତାଙ୍କ ମୃତ୍ୟୁ କଥା ଯୁକ୍ତରାଷ୍ଟ୍ର ଆମେରିକା ନିଶ୍ଚିତ କରିଛି କି, ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। କେବେ ଓ କେଉଁଠି ହାମ୍ଜାଙ୍କର ମୃତ୍ୟୁ ଘଟିଲା କିଂବା ତାଙ୍କ ମୃତ୍ୟୁ ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ଅଛି କି, ନାହିଁ - ସେ କଥା ତିନି ସରକାରୀ ଅଧିକାରୀ ଜଣାଇ ନାହାନ୍ତି।
୨୦୧୮ରେ ଅଲ୍ କାଏଦା ଗଣମାଧ୍ୟମ ଶାଖା ରିଲିଜ୍ କରିଥିବା ତାଙ୍କର ଏକ ସାର୍ବଜନୀନ ବିବୃତ୍ତିରେ ସେ ସାଉଦି ଆରବକୁ ଧମକ ଦେଇଥିଲେ ଓ ଆରବୀୟ ଉପମହାଦ୍ୱୀପରେ ବିଦ୍ରୋହ କରିବାକୁ ଲୋକମାନଙ୍କୁ ଡାକରା ଦେଇଥିଲେ।
ଆନ୍ତର୍ଜାତିକ ସଙ୍ଗଠନ ଅନୁସାରେ, ହାମ୍ଜା ବିନ୍ ଲାଡେନ୍ଙ୍କୁ ଅଲ୍ କାଏଦା ଗ୍ରୁପ୍ରେ ପ୍ରମୁଖ ଭୂମିକା ଦିଆଯାଇଥିଲା।
୨୯ ବର୍ଷିୟ ହାମ୍ଜା ଥିଲେ ଆବ୍ଦୋତ୍ତାବାଦ୍ ପରିସରରେ ବିନ୍ ଲାଡେନ୍ଙ୍କ ସହ ବାସ କରୁଥିବା ତାଙ୍କ ତିନି ପତ୍ନୀଙ୍କ ମଧ୍ୟରୁ ଅନ୍ୟତମା ଖୈରିୟା ସାବର୍ଙ୍କ ପୁତ୍ର।