ନୂଆଦଲ୍ଲୀ : ସୁଜୁକୀ ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତଃ ଓସାମୁ ସୁଜୁକୀଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ଭାରତରେ ମାରୁତି କାରକୁ ଲୋକପ୍ରିୟ କରିବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା । ମାରୁତି ସୁଜୁକୀ ଦ୍ବାରା ନିର୍ମାଣ କରାଯାଇଥିବା ମାରୁତି ୮୦୦ କାରକୁ ସାଧାରଣ ଲୋକଙ୍କ କାର ବୋଲି କୁହାଯାଏ । ଭାରତରେ ଓସାମୁ ସୁଜୁକି ୧୯୮୨ ମସିହାରେ ଭାରତ ସରକାରଙ୍କ ସହ ଭାଗିଦାରୀରେ ମାରୁତି ଉଦ୍ୟୋଗ ଲିମିଟେଡ ପ୍ରତିଷ୍ଠା କରିଥିଲା, ଯାହା ଭାରତୀୟ ଅଟୋମୋବାଇଲ ଶିଳ୍ପରେ ବିପ୍ଳବ ଆଣିଥିଲା । ମାରୁତି ୮୦୦ ଭଳି ସୁଲଭ ଓ ସ୍ଥାୟୀ କାର୍ ଜରିଆରେ ସେ ଭାରତୀୟ ବଜାରରେ ସୁଜୁକିର ଆଧିପତ୍ୟକୁ ସୁଦୃଢ଼ କରିଥିଲେ । ୨୫ ଡିସେମ୍ବର ୨୦୨୪ରେ ତାଙ୍କର ଦେହାନ୍ତ ହୋଇଥିଲା । 

Advertisment

ପଦ୍ମ ବିଭୂଷଣ ପାଇଁ ଘୋଷଣା କରାଯାଇଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ବିଶିଷ୍ଟ ମାଲାୟଲମ ସାହିତ୍ୟିକ ଏମଟି.ବାସୁଦେବନ ନାୟାର (ମରଣୋତ୍ତର), କଳା ପାଇଁ ସାରଦା ସିହ୍ନା ( ମରଣୋତ୍ତର), କଳା ପାଇଁ କୁମିଦିନୀ ରଜନୀକାନ୍ତ ଲାଖିଆ, ଲକ୍ଷ୍ନୀନାରାୟଣ ସୁବ୍ରମଣ୍ୟମ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜେଏସ କେହେର ଓ ଚିକିତ୍ସା ପାଇଁ ଡି. ନାଗେଶ୍ବର ରେଡ୍ଡି ପଦ୍ମବିଭୂଷଣ ପାଇବେ । 

ଅନ୍ୟପକ୍ଷରେ ହକି ଖେଳାଳି ପିଆର ଶ୍ରୀଜେସ, ବିଶିଷ୍ଟ ଗାୟକ ପଙ୍କ ଉଧାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖର କପୁର ପଦ୍ମ ଭୂଷଣ ପାଇବେ । ସେହିପରି କ୍ରିକେଟ ଖେଳାଳି ଆର.ଅଶ୍ବୀନ, ରାମ ମନ୍ଦିରର ସ୍ଥପତି ଚନ୍ଦ୍ରକାନ୍ତ ସୋମପୁରା ପଦ୍ମଶ୍ରୀ ପାଇବେ ।