ମନ୍ତ୍ରୀଙ୍କ ପରେ ଏବେ ଅଫିସରଙ୍କ ପାଳି: ମନ୍ତ୍ରୀ ଗିରଫ ହେବା ପରେ ଓଏସଡିଙ୍କୁ ଧରିଲା ପଞ୍ଜାବ ପୁଲିସ

ଚଣ୍ଡୀଗଡ଼: ମନ୍ତ୍ରୀଙ୍କ ପରେ ଏବେ ଅଫିସରଙ୍କ ପାଳି | ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା ଗିରଫ ହେବା ପରେ ପଞ୍ଜାବ ପୁଲିସର ଭିଜିଲାନ୍ସ ୱିଙ୍ଗ ମଧ୍ୟ ତାଙ୍କ ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ପ୍ରଦୀପ କୁମାରଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ବିଜୟ ସିଙ୍ଗଲାଙ୍କୁ ମୋହାଲି କୋର୍ଟରେ ହାଜର କରାଯାଇଥିଲା ଏବଂ ମେ ୨୭ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ପଠାଯାଇଛି। ବିଜୟ ସିଙ୍ଗଲାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ପରେ ମୋହାଲିରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଗିରଫ କରାଯାଇଥିଲା। ଆଜି ରାତିରେ ମୋହାଲି କୋର୍ଟରେ ହାଜର ହେବା ପରେ ତାଙ୍କୁ ମେ ୨୭ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ପଠାଯାଇଛି।

ଏହି ସମୟରେ ବିଜୟ ସିଙ୍ଗଲାଙ୍କ ଓଏସଡି ପ୍ରଦୀପ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ପଞ୍ଜାବ ପୁଲିସର ଭିଜିଲାନ୍ସ ୱିଙ୍ଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯିବ।

ମିଳିଥିବା ସୂଚନା ମୁତାବକ ବିଜୟ ସିଙ୍ଗଲା ପ୍ରତ୍ୟେକ ଟେଣ୍ଡର ପାଇଁ ୧% କମିଶନ ଦାବି କରୁଥିବା ନେଇ ଅଭିଯୋଗ ହୋଇଥିଲା | ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଧିକାରୀମାନେ ମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଥିଲେ। ଅଡିଓ ରେକର୍ଡିଂ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମାନ, ମନ୍ତ୍ରୀ ସିଙ୍ଗଲାଙ୍କୁ ତାଙ୍କ ଘରକୁ ଡାକି ଅଡିଓ ରେକର୍ଡିଂ ବିଷୟରେ ପଚାରିଥିଲେ। ଯେଉଁଥିରେ ମନ୍ତ୍ରୀ ଏହି ଅଭିଯୋଗକୁ ସ୍ୱୀକାର କରିଥିଲେ । ଯାହା ପରେ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର