ଓସାକାରେ ଜି-୨୦ ସମ୍ମିଳନୀ ଆଜିଠୁ, ମୋଦୀ-ଆବେ ଆଲୋଚନା

ଭାରତ-ଚୀନ-ରୁଷ ତ୍ରିପାକ୍ଷିକ ଆଲୋଚନା ହେବ

ଟୋକିଓ: ଜାପାନର ଓସାକାଠାରେ ଶୁକ୍ରବାରଠାରୁ ହେବାକୁ ଥିବା ଦୁଇ ଦିନିଆ ଜି-୨୦ ସମ୍ମିଳନୀରେ ଯେ‌ାଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଜାପାନ ଗସ୍ତରେ ଅଛନ୍ତି। ଆସନ୍ତାକାଲି ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ମୋଦୀ ଏବଂ ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ମଧ୍ୟରେ ଆଜି ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଉଭୟ ନେତା ଦୁଇ ଦେଶର ମିଳିତ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଭାରତୀୟ ପ୍ରତିନିଧି ଦଳକୁ ଜାପାନ ପକ୍ଷରୁ ଦିଆଯାଇଥିବା ଭବ୍ୟ ସ୍ବାଗତକୁ ମୋଦୀ ପ୍ରଶଂସା କରିଥିଲେ। ଏଥିପାଇଁ ସେ ସି‌ଞ୍ଜୋ ଆବେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାପାନରେ ରେଇୱା ଯୁଗ ଆରମ୍ଭ ହୋଇଥିବାରୁ ମୋଦୀ ଏଥିପାଇଁ ଆବେ ଏବଂ ଜାପାନର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୋଦୀ କହିଥିଲେ ନିର୍ବାଚନରେ ‌ବିଜୟ ଲାଭ କରିବା ପରେ ଆବେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କଠାରୁ ସେ ଅଭିନନ୍ଦନର ଫୋନ୍ କଲ୍ ପାଇଥିଲେ।

ଓସାକା ସହରରେ ଜୁନ୍ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସଦସ୍ୟ ଦେଶଗୁଡ଼ିକର ଶୀର୍ଷ ନେତୃବୃନ୍ଦ ଯୋଗ ଦେବେ।ଏହି ଗସ୍ତ ଅବସରରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମଧ୍ୟ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିସହିତ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିମିର ପୁଟି ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହିତ ମୋଦୀଙ୍କର ଏକ ତ୍ରିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି। ଓସାକା ଗସ୍ତରେ ଯିବା ପୂର୍ବରୁ ‌ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମହିଳା ସଶକ୍ତୀକରଣ, କୃତ୍ରିମ ବୁଦ୍ଧିମତା ଏବଂ ସନ୍ତ୍ରାସବାଦକୁ ଦମନ କରିବା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ପରିସରଭୁକ୍ତ ହେବ। ଚଳିତ ଜି-୨୦ ସମ୍ମିଳନୀରେ ୮ଟି ମୁଖ୍ୟ ପ୍ରସଙ୍ଗ ଉପରେ ବିଶ୍ବର ନେତୃବୃନ୍ଦ ଆଲୋଚନା କରିବେ। ସେହି ବିଷୟ ଗୁଡ଼ିକ ମଧ୍ୟରେ ରହିଛି। ବିଶ୍ବ ଅର୍ଥନୀତି, ବାଣିଜ୍ୟ ଏବଂ ନିବେଶ, ନୂଆ ଚିନ୍ତାଧାରାର ପ୍ରବର୍ତ୍ତନ, ପରିବେଶ ଏବଂ ଶକ୍ତି, ନିଯୁକ୍ତି, ବିକାଶ ଏବଂ ସ୍ବାସ୍ଥ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ବୈଠକ ପରିପ୍ରେକ୍ଷୀରେ ୧୦ଟି ଦେଶ ସହିତ ଦ୍ବିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେହି ଦେଶଗୁଡ଼ିକ ମଧ୍ୟରେ ଜାପାନ ସମେତ ଫ୍ରାନ୍ସ, ଇଣ୍ଡୋନେସିଆ, ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି। ଏଥିସହିତ ବ୍ରିକ୍ସ ଏବଂ ଜେଏଆଇ(ଜାପାନ, ଆମେରିକା ଏବଂ ଭାରତ) ମଧ୍ୟରେ ଏକ ବୈଠକ ହେବ ବୋଲି ଜଣାଯାଇଛି। ୨୦୨୨ରେ ଭାରତ ଏହାର ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ସହିତ ସେହିବର୍ଷ ଜି-୨୦ ବୈଠକ ଆୟୋଜନ କରିବ। ସେଥିପାଇଁ ଓସାକା ଜି-୨୦ ସମ୍ମିଳନୀ ଏକ ପାହାଚ ସଦୃଶ ବୋଲି ମୋଦୀ କହିଛନ୍ତି।

ସମ୍ମିଳନୀର ଅଂଶଗ୍ରହଣକାରୀ
ୟୁରୋପୀୟ ସଂଘ ଓ ୧୯ଟି ଦେଶ ଜି-୨୦ର ସଦସ୍ୟ ରହିଛନ୍ତି। ୧୯ଟି ଦେଶ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, କୋରିଆ, ଦକ୍ଷିଣ ଆଫ୍ରିକା, ରୁଷିଆ, ସାଉଦି ଆରବ, ତୁର୍କୀ, ବ୍ରିଟେନ ଏବଂ ଆମେରିକା। ଏହାଛଡ଼ା ଅନ୍ୟ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନକୁ ବୈଠକକୁ ଆମନ୍ତ୍ରିତ କରାଯାଇଥାଏ।

କାର୍‌ରୁ ବୁଲେଟ୍ ଟ୍ରେନ୍ ଯାଏଁ ନିର୍ମାଣରେ ଜାପାନ ସହଯୋଗ କରୁଛି
ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଲେ ମୋଦୀ
କୋବେ: ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘଦିନ ହେଲା ଉତ୍ତମ ସମ୍ପର୍କ ହୋଇଛି। ଯେଉଁଦିନ ଠାରୁ କାର ନିର୍ମାଣ ନିର୍ମାଣ ପାଇଁ ଜାପାନ ଭାରତକୁ ସହଯୋଗ କରିଲା ସେବେଠାରୁ ଏହି ସମ୍ପର୍କ ସୁଦୃଢ଼ ରହିଛି। ଭାରତରେ ବୁଲେଟ୍ ଟ୍ରେନ୍ ନିର୍ମାଣ ପର୍ଯ୍ୟନ୍ତ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ରହିଛି। କୋବେଠାରେ ପ୍ରବାସୀ ଜାପାନୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଭାରତର ଅର୍ଥନୈତିକ ବିକାଶରେ ଜାପାନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବାରୁ ଜାପାନ ସହିତ ଭାରତର ଦ୍ବିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି ମୋଦୀ କହିଛନ୍ତି। ଭାରତର ଏଭଳି କୌଣସି ସ୍ଥାନ ବା ଅଞ୍ଚଳ ନାହିଁ ଯେଉଁଠି ଜାପାନ ନିବେଶ କରିନାହିଁ। ଅନ୍ୟପକ୍ଷରେ ପ୍ରତିଭା ଏବଂ ମାନବ ସମ୍ବଳ ଯୋଗାଣ କ୍ଷେତ୍ରରେ ଜାପାନକୁ ମଧ୍ୟ ଭାରତ ସହଯୋଗ କରିଆସୁଛି।

ସମ୍ବନ୍ଧିତ ଖବର