୭ ରାଜ୍ୟର ପରିବହନ ନିଗମ ଚାଲିଛି ଲାଭରେ, ସପ୍ତମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ:  ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ସର୍ବମୋଟ ୫୬ଟି ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କ ମଧ୍ୟରୁ କେବଳ ୭ଟି ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି। ଲାଭ କରିଥିବା  ଏହି ୭ଟି ରାଜ୍ୟ ସଡ଼କ ପରିବହନ ନିଗମ ମଧ୍ୟରେ ଓଡ଼ିଶା ରହିଛି। ୨୦୧୬-୧୭ରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି ମୋଟ ୧.୭୯ କୋର୍ଟ ଟଙ୍କା। ଲାଭ ହାସଲ କରିଥିବା ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କର ତାଲିକାରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ୨୦୧୬-୧୭ରେ ୫.୮୧ କୋଟି ଟଙ୍କାର କର ପୈଠ କରିବା ପରେ ୧.୭୯ କୋଟି ଟଙ୍କାର ଲାଭ ହାସଲ କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସଦ୍ୟ ପ୍ରକାଶିତ “ରିଭ୍ୟୁ ଅଫ ଦ ପରଫର୍‌ମାନ୍ସ ଅଫ୍ ଟେଷ୍ଟ ରୋଡ ଟ୍ରାନ୍ସପୋର୍ଟ ଅଣ୍ଡର ଟେକିଂ” ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି। ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟ ସଡ଼କ ପରିବହନ ନିଗମ ୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। ୨୦୧୬-୧୭ରେ ଅନ୍ୟ ୬ଟି ରାଜ୍ୟ ସଡ଼କ ପରିବହନ ନିଗମ ଯେଉଁମାନଙ୍କର ଲାଭ ହୋଇଥିଲା। ସେଥିରେ ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, କାନପୁର ସିଟି ଓ ସିକିମର ରାଜ୍ୟ ସଡ଼କ ପରିବହନ ସାମିଲ ଅଛି।

ଅପରପକ୍ଷରେ ୪୯ଟି ରାଜ୍ୟ ସଡ଼କ ପରିବହନଙ୍କର ୨୦୧୬-୧୭ରେ କ୍ଷତିର ପରିମାଣ ୧୩୯୫୭ କୋଟି ଟଙ୍କା ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୫-୧୬ ତୁଳନାରେ କ୍ଷତିର ପରିମାଣରେ ୨୪ ପ୍ରତିଶତ ବୃଦ୍ଧି ହୋଇଥିବାର ରିପୋର୍ଟରେ ଉଲ୍ଲେଖ ଅଛି।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରିପୋର୍ଟରେ ଏହା ସ୍ପଷ୍ଟରୂପେ ଉଲ୍ଲେଖ କରାଯାଇଛି। ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟର ପାଣ୍ଠି ଉପରେ ଅଧିକ ନିର୍ଭର କରିଛି। ରାଜ୍ୟ ସଡ଼କ ପରିବହନ ନିଗମ ପାଇଁ ରାଜ୍ୟ ସରକାର ୧୬୬.୫୧ କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାଙ୍କର ଅନୁଦାନ ରହିଛି ୧୫.୯୨ କୋଟି ଟଙ୍କା। ରିପୋର୍ଟ ଅନୁସାରେ ରାଜ୍ୟ ସଡ଼କ ପରିବହନ ଦ୍ବାରା କୌଣସି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନମାନଙ୍କ ଠାରୁ ଋଣ ମଧ୍ୟ ନିଆଯାଇ ନାହିଁ।
ରିପୋର୍ଟ ଅନୁସାରେ ୨୦୧୬-୧୭ରେ ରାଜ୍ୟ ପରିବହନ ନିଗମ ଦ୍ବାରା ଯାତ୍ରୀମାନଙ୍କ ଠାରୁ ଯାତାୟତ ବାବଦରେ ୭୭୬୯.୨୫ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ୨୦୧୫-୧୬ ତୁଳନାରେ ଏହାର ପରିମାଣରେ ସାମାନ୍ୟ ବୃଦ୍ଧି ହୋଇଥିଲା। ୨୦୧୫-୧୬ରେ ଯାତ୍ରୀ ମାନଙ୍କଠାରୁ ୭୨୯୮.୩୨ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା। ୨୦୧୬-୧୭ରେ ଯାତାୟାତ ରାଜସ୍ବ ବାବଦରେ ୪୩୫.୭୪ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୧୫-୧୭ରେ ଏହାର ପରିମାଣ ୩୭୬.୯୯ ଲକ୍ଷ ଟଙ୍କା ଥିଲା। ରାଜ୍ୟ ପରିବହନ ନିଗମ ଦ୍ବାରା ୨୦୧୬-୧୭ରେ ବିଜ୍ଞାପନ ବାବଦରେ ୨୧.୭ ଲକ୍ଷ ଟଙ୍କା ହାସଲ ହୋଇଥିଲା। ଅପରପକ୍ଷେ ୨୦୧୫-୧୬ରେ ବିଜ୍ଞାପନରେ ରାଜ୍ୟ ସଡ଼କ ପରିବହନ ନିଗମକୁ ୧୪.୧ ଲକ୍ଷ ଟଙ୍କା ମିଳିଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ଏତିକି ନୁହେଁ ଜରିମାନାରୁ ରାଜ୍ୟ ସଡ଼କ ପରିବହନ ନିଗମକୁ ୨୦୧୬-୧୭ରେ ୨.୫ ଲକ୍ଷ ଟଙ୍କା ମିଳିଥିବାର ରିପୋର୍ଟରେ କୁହାଯାଇଛି।
ରାଜ୍ୟ ପରିବହନ ନିଗମ ଅନ୍ତର୍ଗତ ୨୦୧୬-୧୭ରେ ୮୩.୩୦ ପ୍ରତିଶତ ବାହାନ ଗୁଡ଼ିକର ବ୍ୟବହାର କରାଯାଇଥିବାର ରିପୋର୍ଟରେ କୁହାଯାଇଛି। ୨୦୧୬-୧୭ରେ ରାଜ୍ୟ ପରିବହନ ନିଗମର ୨୮ଟି ଦୁର୍ଘଟଣା ହୋଇଥିଲା। ରିପୋର୍ଟରେ ରାଜ୍ୟ ସଡ଼କ ପରିବହନ ନିଗମରେ ୨୦୧୬-୧୭ରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୧୬୫୧ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର