ଓଟିଟି କାର୍ଯ୍ୟକ୍ରମରେ ନଗ୍ନତା ରହୁଛି, ଲଗାମ ଜରୁରୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଓଟିଟି ମଞ୍ଚ (ଓଭର ଦି ଟପ୍‌ ପ୍ଲାଟଫର୍ମ)ରେ ପ୍ରଦର୍ଶିତ କିଛି କାର୍ଯ୍ୟକ୍ରମ ଓ ୱେବ୍‌ ଧାରାବାହିକରେ ମଧ୍ୟ ବେଳେ ବେଳେ ନଗ୍ନତା ଦେଖିବାକୁ ମିଳୁଥିବାରୁ ସୁପ୍ରିମକୋର୍ଟ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ପ୍ରଦର୍ଶନ ଆଗରୁ ସେହି ସବୁ କାର୍ଯ୍ୟକ୍ରମର ଆବଶ୍ୟକ ସମ୍ପାଦନା ଅଥବା ସେଥିରେ ଲଗାମ ଲଗାଇ ଭାରସାମ୍ୟ ରଖିବା ପାଇଁ ଅଦାଲତ ସରକାରଙ୍କୁ ପରାମର୍ଶ କରିଛନ୍ତି। ଏଥିପାଇଁ ସରକାର ନିକଟରେ ପ୍ରସ୍ତୁତ କରିଥିବା ନୀତିନିୟମକୁ ଆସନ୍ତାକାଲି ସୁଦ୍ଧା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ କରିଛନ୍ତି। ୱେବ୍‌ ଧାରାବାହିକ ‘ତାଣ୍ଡବ’ ମାମଲାରେ ଆଲାହାବାଦ ହାଇକୋର୍ଟ ଆମାଜନ ପ୍ରାଇମ୍‌ ଭିଡିଓର ବ୍ୟାବସାୟିକ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଅନ୍ତରୀଣ ଜାମିନ ନଦେବା ବିରୋଧରେ ସେ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଆର୍‌ ସୁଭାଷ ରେଡିଙ୍କ ଖଣ୍ଡପୀଠ ଏପରି ଟିପ୍ପଣୀ କରିଛନ୍ତି।

ସୂଚନାଯୋଗ୍ୟ, ତାଣ୍ଡବ ଧାରାବାହିକରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯିବା ସହ ଧାର୍ମିକ ବୈରତାକୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ଆଣି ଉତ୍ତରପ୍ରଦେଶ ପୁଲିସ ଅପର୍ଣ୍ଣା ଓ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ଲକ୍ଷ୍ନୌ ହାଇକୋର୍ଟ ଅପର୍ଣ୍ଣାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଥିଲେ। ଅପରପକ୍ଷେ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଓଟିଟି ମଞ୍ଚରେ ପ୍ରଦର୍ଶିତ କାର୍ଯ୍ୟକ୍ରମଗୁଡ଼ିକ ନିମନ୍ତେ ସରକାର ଗତ ୨୫ ତାରିଖରେ କିଛି ନୂତନ ନୀତିନିୟମ ଆଧାରିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥି ସହିତ ଭାରତରେ ବେପାର କରୁଥିବା ଡିଜିଟାଲ୍‌ ମଞ୍ଚଗୁଡ଼ିକ ଦେଶର ନିୟମ କାନୁନକୁ ମାନିବାକୁ ବାଧ୍ୟ ବୋଲି ମଧ୍ୟ କହିଥିଲେ। ଏହି ନୂତନ ନିୟମ ଅନୁଯାୟୀ, ପ୍ରଦର୍ଶିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ସ୍ଥଳ, ବିଷୟବସ୍ତୁ ଏବଂ ତାହାର କଳେବର ସମ୍ପର୍କରେ ବିଶଦ ସୂଚନା ଦେବାକୁ ସଂପୃକ୍ତ ପ୍ରଯୋଜକ ବାଧ୍ୟ।

ସମ୍ବନ୍ଧିତ ଖବର