ନୂଆଦିଲ୍ଲୀ : ସରକାରଙ୍କ ବିରୋଧରେ ଉଠିଥିବା ସ୍ୱରକୁ ଚାପିଦେବା ପାଇଁ ସଂସଦରେ ବିରୋଧୀ ଦଳର ସାଂସଦମାନଙ୍କ ଅଡିଓ କୁ ମ୍ୟୁଟ୍ କରାଯାଇଛି ବୋଲି ଶୁକ୍ରବାର କଂଗ୍ରେସ ଅଭିଯୋଗ କରିଛି । ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ଦଳ ଏକ କ୍ଲିପ୍ ସେୟାର କରିଛି, ଯେଉଁଥିରେ ଲୋକସଭାର ଅଡିଓ ବନ୍ଦ ଥିବା ଜଣାପଡୁଥିବା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ଦଳମାନେ ମଧ୍ୟ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ଭିଡିଓ କ୍ଲିପରେ ବିରୋଧୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପୋଡିୟମ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ଏବଂ ଶାସକ ଦଳର ପ୍ରାୟ ସମସ୍ତ ସଦସ୍ୟ ନିଜ ନିଜ ସ୍ଥାନରେ ଠିଆ ହୋଇଛନ୍ତି।
ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଗୃହରେ କୌଣସି ଅଡିଓ ଶୁଣିବାକୁ ମିଳିନଥିଲା। ସ୍ପିକର କହିବା ଆରମ୍ଭ କରିବା ପରେ ହିଁ ଅଡିଓ ଫେରିଲା । ପ୍ରଥମେ ସେ ସାଂସଦମାନଙ୍କୁ ଚିତ୍କାର ବନ୍ଦ କରିବାକୁ କହୁଥିଲେ, ତା'ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ଏହି ଅଡିଓ ଲୋକସଭାରେ କାହିଁକି ନଥିଲା ସେ ନେଇ ସରକାର କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ହିନ୍ଦୀରେ ଟୁଇଟ୍ କରି କଂଗ୍ରେସ କହିଛି, ପୂର୍ବରୁ ମାଇକ୍ ବନ୍ଦ ଥିଲା, ଆଜି ଗୃହକାର୍ଯ୍ୟ ନିରବ ହୋଇଯାଇଛି ।
ଅଦାନି-ହିଣ୍ଡେନବର୍ଗ ବିବାଦର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିକୁ ଦମନ କରିବା ପାଇଁ ଜାଣିଶୁଣି ଗୃହ ମାଇକ୍ ବନ୍ଦ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧିଙ୍କୁ ସଂସଦରେ କହିବାକୁ ଦିଆଯିବ ନାହିଁ ବୋଲି ବିଜେପି ନିଷ୍ପତ୍ତି ନେଇଛି ବୋଲି ଦଳ ଅଭିଯୋଗ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-17-at-15.53.51.jpeg)
