ଆମ ତଥ୍ୟ ଏତେ ଅସୁରକ୍ଷିତ!:ନମୋ ଆପ୍‌, କଂଗ୍ରେସ ଆପ୍‌କୁ ନେଇ ଉଠିଲା ପ୍ରଶ୍ନ

‘ବିଗ୍‌ ବସ୍‌’ ବନାମ ‘ଛୋଟା ଭୀମ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ତାଙ୍କ ନମୋ ଆପ୍‌ ଦ୍ୱାରା ଆମେରିକା କମ୍ପାନିକୁ ତଥ୍ୟ ହଡ଼ପ ହୋଇଯାଉଛି ବୋଲି ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ଆଣିଥିବା ଅଭିଯୋଗ ଏବେ ତାଙ୍କ ପାଇଁ ବୁମେରାଂ ପାଲଟିଛି। ତଥ୍ୟଚୋରି ଉପରେ ବିଶେଷ ଅନୁଧ୍ୟାନ କରିଥିବା ଫରାସୀ ଅନୁସନ୍ଧାନକାରୀ ଏଲିଅଟ୍‌ ଆଲ୍‌ଡରସନ୍‌ଙ୍କ ଦାବିକୁ ଭରସା କରି ରାହୁଲ୍‌ ମୋଦିଙ୍କ ବିରୋଧରେ ସଂଗିନ ତଥ୍ୟଚୋରି ଆରୋପ ଲଗାଇଥିବା ବେଳେ ରବିବାର ରାତିରେ ଏଲିଅଟ୍‌ କଂଗ୍ରେସର ଆନୁଷ୍ଠାନିକ ଆପ୍‌ ଉପରେ ମଧ୍ୟ ଅନୁରୂପ ଅଭିଯୋଗ ଲଦିଛନ୍ତି। ଏବେ ନିଜ ନିଜର ଆପ୍‌ ସମ୍ପର୍କରେ ଉଭୟ କଂଗ୍ରେସ ଓ ବିଜେପି ସୋସିଆଲ୍‌ ମିଡିଆରେ ସଫେଇ ଦେଇ ଚାଲିଥିବା ବେଳେ ସାଧାରଣ ଜନତା ନିଜ ତଥ୍ୟ କେତେ ସୁରକ୍ଷିତ ବୋଲି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଣେ କଂଗ୍ରେସର ଆପ୍‌ ଅନ୍ତର୍ଦ୍ଧାନ ହୋଇଯିବା ଘଟଣା ବିଜେପି ପାଇଁ ଘେରିବାକୁ ଖୋରାକ ଯୋଗାଇଛି।
ସୂଚନା ଥାଉ କି, ନମୋ ଆପ୍‌ ଦ୍ୱାରା ତଥ୍ୟ ଚୋରି ହୋଇଯାଉଛି ବୋଲି ଗତ ଶନିବାର ଫରାସୀ ତଥ୍ୟ ହଡ଼ପ ଅନୁସନ୍ଧାନକାରୀ ଏଲିଅଟ୍‌ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମୋବାଇଲ୍‌ ଆପ୍‌ରେ ଜଣେ ସ୍ୱାକ୍ଷର କଲା ମାତ୍ରେ ବ୍ୟବହାରୀଙ୍କର ଇମେଲ୍‌ ଠିକଣା, ଫଟୋ, ନାମ, ଲିଙ୍ଗ ଆଦି ବ୍ୟକ୍ତିଗତ ସୂଚନାଗୁଡ଼ିକ ତାଙ୍କ ବିନା ଅନୁମତିରେ କୁଆଡ଼େ ଆମେରିକାର ଏକ ତୃତୀୟ ପକ୍ଷକୁ ସ୍ୱୟଂକ୍ରିୟ ଭାବେ ପ୍ରେରିତ ହୋଇଯାଉଛି। ଏହାକୁ ଉଲ୍ଲେଖ କରି ରାହୁଲ୍‌ ଗଣମାଧ୍ୟମକୁ ସମାଲୋଚନା କରିବା ସହ ମୋଦିଙ୍କୁ ଟ୍ଵିଟରରେ ଖୁବ୍‌ ଘେରିଥିଲେ। ତେବେ ରାହୁଲ୍‌ଙ୍କ ଏହି ଆଭିମୁଖ୍ୟ ବେଶି ସମୟ ତିଷ୍ଠିପାରିନି। ରବିବାର ରାତିରେ ଖୋଦ୍‌ ଏଲିଅଟ୍‌ ଦାବି କରିଥିଲେ ଯେ କଂଗ୍ରେସ ଦଳର ଅଫିସିଆଲ୍‌ ଆଣ୍ଡ୍ରଏଡ୍‌ ଆପ୍‌ ସୁରକ୍ଷିତ ନଥିବାରୁ ବ୍ୟବହାରୀକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସବୁ ହଡ଼ପ ହୋଇଯାଇପାରିବ। ଏପରିକି କଂଗ୍ରେସ ବ୍ୟବହାର କରୁଥିବା ଆପ୍‌ର ସର୍ଭରଟି ସିଙ୍ଗାପୁରରେ ସ୍ଥାପିତ ଏବଂ ଏହା ଭାରତରେ ହୋଇଥିଲେ ଅପେକ୍ଷାକୃତ ଅଧିକ ସୁରକ୍ଷିତ ହୋଇପାରିଥାନ୍ତା ବୋଲି ଏଲିଅଟ୍‌ ମଧ୍ୟ ପରାମର୍ଶ କରିଛନ୍ତି।
ଏଲିଅଟ୍‌ଙ୍କର ଏଭଳି ଦାବି ପରେ ବିଜେପିର ସୂଚନା ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଗତକାଲିର ରାହୁଲ୍‌ଙ୍କ ଶୈଳୀରେ ତାଙ୍କୁ କଟାକ୍ଷ କରିଛନ୍ତି। ରାହୁଲ ଯେପରି ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଅମିତ୍‌ ଠିକ୍‌ ସେହିଭଳି ଟ୍ଵିଟ୍‌ କରିଛନ୍ତି, ‘ହାଏ! ମୋ’ ନାଁ ରାହୁଲ ଗାନ୍ଧୀ। ମୁଁ ଭାରତର ସବୁଠୁ ପୁରୁଣା ରାଜନୈତିକ ଦଳର ଅଧ୍ୟକ୍ଷ। ତୁମେ ଯେତେବେଳେ ଆମ ସରକାରୀ ଆପ୍‌ରେ ସ୍ୱାକ୍ଷର କରୁଛ, ତୁମ ସଂକ୍ରାନ୍ତ ସମସ୍ତ ତଥ୍ୟ ମୁଁ ମୋର ସିଙ୍ଗାପୁରରେ ଥିବା ବନ୍ଧୁଙ୍କୁ ଦେଇଦେଉଛି।’ ତେବେ କଂଗ୍ରେସ ଏଥିରେ ପ୍ରତିକ୍ରିୟା ରଖି ଉକ୍ତ ଆପ୍‌ ଆଉ କାର୍ଯ୍ୟକ୍ଷମ ନାହିଁ ବୋଲି ସଫେଇଦେଇଛି। ଅପରପକ୍ଷେ, ଅଭିଯୋଗ ପରେ କଂଗ୍ରେସ ତାହାକୁ ହଟାଇନେଇଛି ବୋଲି ବିଜେପି କହିଛି। ଏହାଦ୍ୱାରା କଂଗ୍ରେସ କ’ଣ ଲୁଚାଇବାକୁ ଚାହୁଛି ବୋଲି ମାଲବ୍ୟ ପଚାରିଛନ୍ତି।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଉପରେ ତଥ୍ୟଚୋରି ଆରୋପ ଲଗାଇ ଗତକାଲି ଗର୍ଜୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ନିଜ ଦଳ ଉପରେ ଅନୁରୂପ ଅଭିଯୋଗ ଆସିବା ପରେ ଆଜି ତାଙ୍କ ଆକ୍ରମଣର କୌଶଳ ବଦଳାଇ ଦେଇଛନ୍ତି। ମୋଦି ବିଗ୍‌ ବସ୍‌ ସାଜି ଭାରତୀୟଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି ବୋଲି ରାହୁଲ୍‌ ଆଜି ସଦ୍ୟ ଆକ୍ଷେପ କରି କହିଛନ୍ତି। ମୋଦିଙ୍କ ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍‌ ପ୍ରୟୋଗଶାଳା ‘ନମୋ ଆପ୍‌’ ବ୍ୟବହାରକାରୀର ସବୁ କଥା, ଛବି ଏବଂ ଅନ୍ୟାନ୍ୟ ତଥ୍ୟ ଗୋପନରେ ରେକର୍ଡିଂ କରି ରଖିବା ସହ ଜିପିଏସ୍‌ ମାଧ୍ୟମରେ ଉପସ୍ଥିତି ମଧ୍ୟ ଠଉରେଇପାରୁଛି। ମୋଦି ୧୩ ଲକ୍ଷ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ଆପ୍‌ ବ୍ୟବହାର କରିବାକୁ ବାଧ୍ୟ କରିଛନ୍ତି। ଏହାଦ୍ୱାରା ଏହି ବିଗ୍‌ ବସ୍‌ ପିଲାଙ୍କ ଉପରେ ମଧ୍ୟ ଗୁଇନ୍ଦାଗିରି କରିବାକୁ ଚାହୁଛନ୍ତି ବୋଲି ରାହୁଲ୍‌ ଅଭିଯୋଗ କରିବା ସହ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମୋଦି ନିଜ ପଦବିର ଅପବ୍ୟବହାର କରି ଲକ୍ଷ ଲକ୍ଷ ଭାରତୀୟଙ୍କ ତଥ୍ୟକୁ ଅପବ୍ୟବହାର କରୁଛନ୍ତ ବୋଲି ରାହୁଲ କହିଛନ୍ତି।
ଅପରପକ୍ଷେ, ରାହୁଲ୍‌ଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିବା ସହ ତାଙ୍କୁ ମଧ୍ୟ ଘେରିବାକୁ ଶାଣିତ ଶବ୍ଦ ପ୍ରଯୋଗ କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଏଥିପାଇଁ ନିରୀହ କାର୍ଟୁନ୍‌ ଚରିତ୍ର ଛୋଟା ଭୀମ୍‌କୁ ଉଦ୍ଧାର କରି ସୂଚନା ଓ ତଥ୍ୟ ସମ୍ପକରେ ରାହୁଲ୍‌ଙ୍କ ଅଜ୍ଞତାକୁ ଇସାରା କରିଛନ୍ତି। ସ୍ମୃତିଙ୍କ କହିବା ଅନୁସାରେ, ଛୋଟା ଭୀମ୍‌ ମଧ୍ୟ ଜାଣିଛି ଯେ ଆପ୍‌ ଅନୁମତି ମାନେ ଗୁଇନ୍ଦାଗିରି ନୁହେଁ। ସେହିପରି ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ରାହୁଲ୍‌ଙ୍କୁ ସମାଲୋଚନା କରି ସେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ସମ୍ପୂର୍ଣ୍ଣ ନିରକ୍ଷର ବୋଲି କହିଛନ୍ତି। ତଥ୍ୟ ବିଶ୍ଳେଷଣର ଅର୍ଥ କେବେହେଲେ ଗୁଇନ୍ଦାଗିରି ସହ ସମାନ ନୁହେଁ। ବର୍ତ୍ତମାନର ସମୟ ହେଉଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗ, ଯାହା ରାହୁଲ୍‌ ଗାନ୍ଧୀ ବୁଝିପାରିବେନି ବୋଲି ସମ୍ବିତ୍‌ କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର