‘ଆମର ଶେଷ ସମୟ ଆସିଯାଇଛି’ ସହାୟତା ପାଇଁ ୟୁକ୍ରେନୀୟ କମାଣ୍ଡରଙ୍କ ଆକୁଳ ନିବେଦନ

କିବ୍ : ୟୁକ୍ରେନ ସହର ମାରିଓପୋଲରେ ଥିବା ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ପକ୍ଷରୁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଛି । ମାତ୍ର ୟୁକ୍ରେନୀୟ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରିବା ସହ ଜୀବନର ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ମାରିଓପୋଲର ଏକ ଷ୍ଟିଲ ପ୍ଲାଣ୍ଟ ପରିସରରେ ଲୁଚିଥିବା ୟୁକ୍ରେନୀୟ ସୈନ୍ୟମାନେ ଜୀବନର ଅନ୍ତିମ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ରୁଷ ସୈନ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି । ୟୁକ୍ରେନୀୟ ସୈନ୍ୟ କମାଣ୍ଡର କେରହିଭ ବୋଲିନା କହିଛନ୍ତି ଯେ ସେମାନଙ୍କ ଜୀବନର ଅନ୍ତିମ କିଛି ଦିନ ବାକି ରହିଯାଇଛି । ରୁଷୀୟ ସୈନ୍ୟଙ୍କ ସଂଖ୍ୟା ସେମାନଙ୍କ ତୁଳନାରେ ୧୦ ଗୁଣ ରହିଛି । ଏଣୁ ସେ ସହାୟତା ପାଇଁ ବିଶ୍ବ ସମୁଦାୟକୁ ନିବେଦନ କରିଛନ୍ତି ।

ରୁଷ ଗଣମାଧ୍ୟମର ଦାବି ଅନୁସାରେ ଉକ୍ତ ଷ୍ଟିଲ ପ୍ଲାଣ୍ଟ ପରିସରରେ ପ୍ରାୟ ୨୫୦୦ ୟୁକ୍ରେନୀୟ ସୈନ୍ୟ ଓ ୪୦୦ ବିଦେଶୀ ସୈନ୍ୟ ଲୁଚି ରହିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସେହି ଷ୍ଟିଲ ପ୍ଲାଣ୍ଟରେ ୧ ହଜାରରୁ ଅଧିକ ସାଧାରଣ ନାଗରିକ ରହିଛନ୍ତି ।

ରୁଷ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ ଆହ୍ବାନ ଦିଆଯାଇଥିଲେ ବି ୟୁକ୍ରେନ ପକ୍ଷରୁ ତାହାକୁ ଅଗ୍ରାହ୍ୟ କରିଦିଆଯାଇଛି । ଏଣୁ କୌଣସି ସମୟରେ ରୁଷ ସେନା ଆଜଭଷ୍ଟାଲ ନାମକ ଉକ୍ତ କାରଖାନା ଉପରେ ଚଢଉ କରିବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର