ଭାରତର ଆରୋଗ୍ୟ ହାର ୩୧.୭ %, ମୃତ୍ୟୁହାର ବିଶ୍ୱହାର ଠାରୁ କମ : ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଦେଶର କରୋନା ସଂପର୍କିତ ଆରୋଗ୍ୟ ହାର କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି । ଏବେ ତାହା ୩୧.୭ ପ୍ରତିଶତରେ ପହଞ୍ଚିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଆମର ଆରୋଗ୍ୟ ହାର କ୍ରମାଗତ ଭାବେ ବଢିଚାଲିଥିବାବେଳେ ଆମର ମୃତ୍ୟୁହାର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ୱରେ କରୋନା ଜନିତ ମୃତ୍ୟୁହାର ୭ରୁ ୭.୫ ପ୍ରତିଶତ ଥିବାବେଳେ ଭାରତର ମୃତ୍ୟୁହାର ମାତ୍ର ୩.୨ ପ୍ରତିଶତ ରହିଛି ।

ଆଜି ପ୍ରକାଶିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଟପିଯାଇଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୬୦୦୮ ଥିବାବେଳେ ମୃତ୍ୟୁସଂଖ୍ୟା ୨୨୯୩ ରହିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୨୨୪୫୪ ଜଣ ଆରୋଗ୍ୟ ଲାଭ କଲେଣି ବୋଲି ମନ୍ତ୍ରାଳୟ ପକ୍ଷରୁ ଆଜି ସକାଳେ ଜାରି ତଥ୍ୟରୁ ଜଣାପଡ଼ିଛି । ଏହା ଫଳରେ ଦେଶର ଆରୋଗ୍ୟ ହାର ୩୧.୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହାକି ମାସକ ତଳେ ମାତ୍ର ୮ ପ୍ରତିଶତ ଥିଲା । କିନ୍ତୁ ମୃତ୍ୟୁହାର ଗତ ପ୍ରାୟ ଏକ ମାସ ହେଲା ସ୍ଥିର ରହିଛି ।

ଦେଶରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂକ୍ରମଣ ମାମଲା ଥିବାବେଳେ ତା ପଛକୁ ଗୁଜୁରାଟ ଓ ଦିଲ୍ଲୀ ଅଛନ୍ତି ।

ସମ୍ବନ୍ଧିତ ଖବର