ନୂଆଦିଲ୍ଲୀ: ଭାରତରେ ଶୀତଋତୁର ପଦାର୍ପଣ ସହ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) ସମେତ ଅନେକ ସ୍ଥାନରେ ବାୟୁପ୍ରଦୂଷଣର ମାତ୍ରା ବିପଜ୍ଜନକ ସ୍ତରଠାରୁ ଉପରେ ରହିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବାୟୁରେ ବହଳିଆ ଧୂଆଁର ମାତ୍ରା ଅଧିକ ରହିବାରୁ ନିଃଶ୍ବାସପ୍ରଶ୍ବାସ ନେବା କଷ୍ଟକର ହୋଇପଡ଼ୁଛି। ସଦ୍ୟ ପ୍ରକାଶିତ ବିଶ୍ବ ବାୟୁମାନ ସୂଚକାଙ୍କ ଅନୁଯାୟୀ ସମଗ୍ର ଏସିଆ ମହାଦେଶରେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ କେବଳ ଭାରତରେ ରହିଛି ୮ଟି ସହର। ତେବେ ବାୟୁମାନ ଦୃଷ୍ଟିରୁ ସର୍ବୋତ୍ତମ ୧୦ଟି ସହର ମଧ୍ୟରେ କେବଳ ଭାରତର ଗୋଟିଏ ସହର ସ୍ଥାନ ପାଇଛି ଏବଂ ତାହା ହେଉଛି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ)। ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୬୭୯ ସହ ଖରାପରେ ସବୁଠାରୁ ଉପରେ ରହିଛି ଗୁରୁଗ୍ରାମର ସ୍ଥାନ। ତା’ ତଳକୁ ରହିଛି ରେୱାଡ଼ି ନିକଟସ୍ଥ ଧାରୁହେଡ଼ା ସହର (ଏକ୍ୟୁଆଇ ୫୪୩) ଏବଂ ମୁଜାଫରପୁର (ଏକ୍ୟୁଆଇ ୩୧୬)। ତେବେ ପ୍ରଦୂଷଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀ ଏଥର ଏହି ତାଲିକାରୁ ବାହାରେ ରହିବାରେ ସଫଳ ହୋଇପାରିଛି। ତାଲିକାରେ ରହିଥିବା ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ହେଉଛନ୍ତି ଲକ୍ଷ୍ନୌ (ଏକ୍ୟୁଆଇ ୨୯୮), ଡିଆର୍ସିସି ଆନନ୍ଦପୁର, ବେଗୁସରାଇ (୨୬୯), ଭୋପାଳ ଚୌରାହା, ଦେୱାସ (୨୬୬), ଖଡ଼କପଦା, କଲ୍ୟାଣ (୨୫୬), ଦର୍ଶନ ନଗର, ଛାପ୍ରା (୨୩୯)। ଏହି ତାଲିକାରେ ଚୀନ୍ର ଲୁଝୁ ଅନ୍ତର୍ଗତ ସାଓସିସାଙ୍ଗ ବନ୍ଦର (୨୬୨) ଏବଂ ମଙ୍ଗୋଲିଆର ବାୟାଙ୍ଖୋସୁ ମଧ୍ୟ ସ୍ଥାନ ପାଇଛନ୍ତି।
ସୂଚନାଯୋଗ୍ୟ, ବାୟୁମାନ ସୂଚକାଙ୍କ ବା ଏକ୍ୟୁଆଇ ୦ରୁ ୫୦ ଭିତରେ ରହିଲେ ଉତ୍ତମ, ୫୧-୧୦୦ ମଧ୍ୟମ, ୧୦୧-୧୫୦ ସମ୍ବେଦଶୀଳ ବ୍ୟକ୍ତିଙ୍କ ପାଇଁ ଅସ୍ବାସ୍ଥ୍ୟକର, ୧୫୧-୨୦୦ ଅସ୍ବାସ୍ଥ୍ୟକର, ୨୦୧-୩୦୦ ଅତି-ଅସ୍ବାସ୍ଥ୍ୟକର ଏବଂ ୩୦୦+ ହେଲେ ବିପଜ୍ଜନକ ବା ମାରାତ୍ମକ ବୋଲି ଧରାଯାଏ। ସାଧାରଣତଃ ଶୀତଦିନେ ଧୂଳିକଣାଗୁଡ଼ିକ ବାୟୁମଣ୍ଡଳରେ ଉଡ଼ିବୁଲନ୍ତି। ଲୋକମାନେ ଅଧିକ ନିଆଁ ଜାଳିବା ଓ ନଡ଼ା ପୋଡ଼ିବା ଯୋଗୁ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇଥାଏ। ଏହାଛଡ଼ା ଶୀତଦିନେ ପଡ଼ୁଥିବା ଦୀପାବଳି, ବଡ଼ଦିନ, ନୂଆବର୍ଷ ପରି ପର୍ବପର୍ବାଣିରେ ଲୋକମାନେ ବାଣ ଫୁଟାନ୍ତି, ଯାହା ବାୟୁମଣ୍ଡଳକୁ ସାଂଘାତିକ ଭାବେ ପ୍ରଦୂଷିତ କରିଥାଏ ବୋଲି ଆଇଆଇଟିଏମ୍- ସିଷ୍ଟମ୍ ଅଫ୍ ଏୟାର କ୍ବାଲିଟି ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (ଏସ୍ଏଏଫ୍ଏଆର୍)ର ପ୍ରକଳ୍ପ ନିର୍ଦ୍ଦେଶକ ଡ ବିଏସ୍ ମୂର୍ତ୍ତି କହିଛନ୍ତି।
ମୁମ୍ବାଇରେ ବାୟୁ ପ୍ରଦୂଷଣ, ସହରୀ ଆୟୁ ୩.୭ ବର୍ଷ ହ୍ରାସ
ମୁମ୍ବାଇ: ଶୀତର ଆଗମନ ସଂଗେସଂଗେ ମୁମ୍ବାଇବାସୀଙ୍କ ଚିନ୍ତା ବଢ଼ିଯାଇଛି। ତେବେ ତାହା ବାୟୁମଣ୍ଡଳର ଶୀତଳତା ବୃଦ୍ଧି ପାଇଁ ନୁହେଁ ବରଂ ବାୟୁମଣ୍ଡଳରେ ଧୂଳି ଓ ଧୂଆଁ ପରି ସୂକ୍ଷ୍ମ ପ୍ରଦୂଷକ କଣିକା (ପିଏମ୍୨.୫)ଗୁଡ଼ିକର ପରିମାଣ ବୃଦ୍ଧି ପାଇଁ। ସହରବାସୀ ନିଃଶ୍ବାସପ୍ରଶ୍ବାସ ନେବା ପାଇଁ ବି କଷ୍ଟ ଅନୁଭବ କରୁଛନ୍ତି। ଏହାଦ୍ବାରା ମୁମ୍ବାଇବାସୀଙ୍କ ପରମାୟୁ ୩.୭ ବର୍ଷ ହ୍ରାସ ପାଉଛି ବୋଲି ସିକାଗୋ ବିଶ୍ବବିଦ୍ୟାଳୟ ଅଧୀନ ଏନର୍ଜି ପଲିସି ଇନ୍ଷ୍ଟିଚ୍ୟୁଟ୍ର ଗବେଷକମାନେ ପ୍ରକାଶ କରିଛନ୍ତି।
ସମ୍ପ୍ରତି ପ୍ରକାଶିତ ବିଶ୍ବ ବାୟୁମାନ ସୂଚକାଙ୍କ ଅନୁଯାୟୀ ମୁମ୍ବାଇ ବିଶ୍ବର ସବୁଠୁ ପ୍ରଦୂଷିତ ସହର ତାଲିକାରେ ସବୁଠୁ ଖରାପ ଆଡ଼ୁ ଗଣିଲେ ୧୪ଶ ସ୍ଥାନରେ ରହିଛି। ଏହାର ହାରାହାରି ପିଏମ୍୨.୫ କଣିକାର ସ୍ତର ୪୫.୧ ମିଗ୍ରା/ଘନମିଟର ରହିଛି। ଗତବର୍ଷ ଦିଲ୍ଲୀ ସବୁଠୁ ପ୍ରଦୂଷିତ ତାଲିକାରେ ଶୀର୍ଷରେ ଥିବା ବେଳେ ମୁମ୍ବାଇ ୫ ନମ୍ବର ସ୍ଥାନରେ ଥିଲା। ମୁମ୍ବାଇ ପରେ ମହାରାଷ୍ଟ୍ରର ଅନ୍ୟ ସହର ପୁନେ ଓ ନାଗପୁରର ପ୍ରଦୂଷଣ ସ୍ତର ମଧ୍ୟ ଚିନ୍ତାଜନକ ଥିବା ଜଣାପଡ଼ିଛି।