ପଶ୍ଚିମବଙ୍ଗ: ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ ପାଇଁ ଲଢ଼ୁଥିବା ୩୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ହେଉଛନ୍ତି ‘ଦାଗୀ’ ପ୍ରାର୍ଥୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୪୩ଟି ଆସନ ପାଇଁ ୩୦୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ତେବେ, ଏହି ୩୦୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣ (୨୮%) ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ବୋଲି ପଶ୍ଚିମବଙ୍ଗ ନିର୍ବାଚନ ୱାଚ୍‌ ଏବଂ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠକୁ ବିଶ୍ଲେଷଣ କଲାପରେ ଏହି ତଥ୍ୟ ଜଣାପଡ଼ିଛି। ୩୦୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୭(୨୮%) ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ (୨୩%) ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଥିବା ମଧ୍ୟ ଘୋଷଣା କରିଛନ୍ତି।

ଅପରାଧିକ ମାମଲା ଥାଇ ନିର୍ବାଚନ ଲଢ଼ୁଥିବା ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ସିପିଆଇ(ଏମ୍‌)ର ୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪(୬୧%), ବିଜେପିର ୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୫(୫୮%), ତୃଣମୂଳ କଂଗ୍ରେସର ୨୪ (୫୬%) ଓ କଂଗ୍ରେସର ୧୨ ଜଣଙ୍କ ମଧ୍ୟରୁ ୫ (୪୨%) ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ଏମାନଙ୍କ ମଧ୍ୟରୁ ୧୯ ଜଣ ପ୍ରାର୍ଥୀ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ମାମଲାରେ ସଂପୃକ୍ତ ଥିବାବେଳେ ଜଣେ ପ୍ରାର୍ଥୀ ତାଙ୍କ ବିରୋଧରେ ବଳାତ୍କାର ସମ୍ବନ୍ଧୀୟ ମାମଲା ରହିଥିବା ଘୋଷଣା କରିଛନ୍ତି। ଏହାବାଦ୍‌ ୨୨ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମ୍ବନ୍ଧୀୟ ମାମଲା ରହିଥିବା ଦାଖଲ ସତ୍ୟପାଠରେ ସ୍ୱୀକାର କରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ରାଜନୈତିକ ଦଳଗୁଡିକ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। କାରଣ ସେମାନେ ଅପରାଧିକ ମାମଲା ସହିତ ପ୍ରାୟ ୨୮% ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବାର ପୁରୁଣା ଅଭ୍ୟାସକୁ ଅନୁସରଣ କରିଛନ୍ତି। ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରମୁଖ ଦଳ ୪୨%ରୁ ୬୧% ପ୍ରାର୍ଥୀ ଦେଇଛନ୍ତି ଯେଉଁମାନେ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର