ଦିଲ୍ଲୀ ହିନ୍ଦୁ ମହାପଞ୍ଚାୟତରେ ଘୃଣ୍ୟ ଭାଷଣ ଦେବା ଅଭିଯୋଗରେ ଯତୀ ନରସିଂହାନନ୍ଦଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀରେ ଆୟୋଜିତ ‘ହିନ୍ଦୁ ମହାପଞ୍ଚାୟତ’ରେ ଘୃଣ୍ୟ ଭାଷଣ ଦେଇଥିବା ଅଭିଯୋଗରେ ଧାର୍ମିକ ନେତା ଯତୀ ନରସିଂହାନନ୍ଦଙ୍କ ନାମରେ ପୁଣି ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ପୂର୍ବରୁ ହରିଦ୍ବାରରେ ଘୃଣ୍ୟ ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ଓ ସେ ଜାମିନରେ ଆସିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ଦିନ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଆୟୋଜିତ ‘ମହାପଞ୍ଚାୟତ’ରେ କ୍ରୋଧ ଉଦ୍ରେକକାରୀ ଉଦ୍‌ବୋଧନ ଦେଇଥିବା ଅଭିଯୋଗରେ ଡାସନା ଦେବୀ ମନ୍ଦିରର ପୂଜକ ଯତୀ ନରସିଂହାନନ୍ଦଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରିଛି।

Image Courtesy of Free Press Journal

ଯତୀ ନରସିଂହାନନ୍ଦ ଘୃଣ୍ୟ ଭାଷଣ ଦେଉଥିବା ସମୟର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସେଥିରେ ସେ କହୁଛନ୍ତି, ଭଉଣୀ ଓ ଝିଅମାନଙ୍କୁ ରକ୍ଷା କରିବା ପାଇଁ ଅସ୍ତ୍ର ଧରନ୍ତୁ। ହାତରେ ଯେ ଅସ୍ତ୍ର ଧରେ ଓ ଅସ୍ତ୍ରକୁ ଶ୍ରଦ୍ଧା କରେ ସେ ହିଁ ବାସ୍ତବ ମାନବ।

ଭାଷଣରେ ସେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ କିଛି ବିବାଦୀୟ କଥା ଉଲ୍ଲେଖ କରିବା ସହ ‘ଦି କଶ୍ମୀର ଫାଇଲ୍‌ସ୍‌’ ଚଳଚ୍ଚିତ୍ର କଥା ମଧ୍ୟ ଉଲ୍ଲେଖ କରିଥିଲେ। ଜମିବାଡ଼ି, ଧନସମ୍ପତ୍ତି, ଭଉଣୀ ଓ ଝିଅମାନଙ୍କୁ ଛାଡ଼ି କଶ୍ମୀରୀମାନେ ପଳାୟନ କରିବା ଭଳି ପରିସ୍ଥିତି ଭବିଷ୍ୟତରେ ଦେଶର ଅନ୍ୟ ପ୍ରାନ୍ତରେ ଉପୁଜିବ।

ସୂଚନାଯୋଗ୍ୟ, ଗତବର୍ଷ ହରିଦ୍ବାରରେ ଆୟୋଜିତ ଧର୍ମ ସଂସଦରେ ଏକ ନିର୍ଦ୍ଦିଷ୍ଟ ଧର୍ମର ମହିଳାମାନଙ୍କ ଉପରେ ରୁଚିହୀନ ମନ୍ତବ୍ୟ ଦେଇ ଯତୀ ନରସିଂହାନନ୍ଦ ବିବାଦୀୟ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ସେ ଗିରଫ ହୋଇଥିଲେ ଏବଂ ଗୋଟିଏ ସପ୍ତାହ ହାଜତରେ ରହିବା ପରେ ଜାମିନ ପାଇ ମୁକୁଳିଥିଲେ।

ସମ୍ବନ୍ଧିତ ଖବର