ନୂଆଦିଲ୍ଲୀ: ଖଣିଜ ରୟାଲ୍ଟି ମାମଲାରେ ସୁପ୍ରିମକୋର୍ଟ ବୁଧବାର ରାଜ୍ୟମାନଙ୍କ ସପକ୍ଷରେ ଏକ ବଡ଼ ରାୟ ଦେଇଛନ୍ତି। କେନ୍ଦ୍ର ସରକାର ଓ ଖଣି କମ୍ପାନିଗୁଡ଼ିକଠାରୁ ପିଛିଲା ରୟାଲ୍ଟି ଅସୁଲ କରିବାକୁ କୋର୍ଟ ରାଜ୍ୟମାନଙ୍କୁ ଅନୁମତି ଦେଇଛନ୍ତି। ଏହା ଦ୍ବାରା ଓଡ଼ିଶା ଓ ଝାଡ଼ଖଣ୍ଡ ଭଳି ଖଣି ଥିବା ରାଜ୍ୟଗୁଡ଼ିକ ଉପକୃତ ହେବେ। କିନ୍ତୁ ଖଣି କମ୍ପାନିଗୁଡ଼ିକ ଲାଗି ଏହା ବହୁତ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି। କୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଖଣି କଂପାନିଙ୍କୁ ପାଖାପାଖି ୨ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝ ସହିବାକୁ ପଡ଼ିବ।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ସମ୍ବିଧାନ ପୀଠ କହିଛନ୍ତି ଯେ ରାଜ୍ୟଗୁଡ଼ିକ ପ୍ରାପ୍ୟ ରୟାଲ୍ଟି ପିଛିଲା ତାରିଖରୁ ଆଦାୟ କରିପାରିବେ। ଆଉ ପାଦେ ଆଗକୁ ଯାଇ କୋର୍ଟ କହିଥିଲେ ଯେ ରାଜ୍ୟଗୁଡ଼ିକ ୨୦୦୫ ଏପ୍ରିଲ୍ ପରଠାରୁ ରୟାଲ୍ଟି ଅସୁଲ କରିପାରିବେ। ତା’ ପୂର୍ବ ଅବଧି ଲାଗି ରୟାଲ୍ଟି ଦାବି ଉପସ୍ଥାପନ କରିପାରିବେ ନାହିଁ। ତେବେ ୨୦୨୬ ଏପ୍ରିଲ ପହିଲାରୁ ରାଜ୍ୟମାନେ ଏହି ବକେୟା ଟିକସ ଆଦାୟ ଦାବି କରିପାରିବେ। କେବଳ ସେତିକି ନୁହେଁ, ଏହି ରୟାଲ୍ଟି କଂପାନିଗୁଡ଼ିକ ୧୨ବର୍ଷ ମଧ୍ୟରେ ବିଭିନ୍ନ କିସ୍ତିରେ ଦେଇପାରିବେ। ତେବେ ବକେୟା ରୟାଲ୍ଟି ଉପରେ ରାଜ୍ୟ ସରକାର କୌଣସି ଜରିମାନା ଓ ସୁଧ ଲାଗୁ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଦାବି ପ୍ରତ୍ୟାଖ୍ୟାତ, ଖଣି କମ୍ପାନିଙ୍କୁ ଝଟ୍କା
ଓଡ଼ିଶା, ଝାଡ଼ଖଣ୍ଡ ଭଳି ରାଜ୍ୟ ଉପକୃତ ହେବେ
୧୨ବର୍ଷରେ ବକେୟା ରୟାଲ୍ଟି ଦେବାକୁ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ
ରାଜ୍ୟମାନେ ଜରିମାନା, ସୁଧ ଆଦାୟ କରିପାରିବେ ନାହିଁ
ଖଣିଜ ରୟାଲ୍ଟି ଅସୁଲ କରିବାର ଅଧିକାର ରାଜ୍ୟମାନଙ୍କ ରହିଥିବା ନେଇ ସୁପ୍ରିମ୍କୋର୍ଟ ଜୁଲାଇ ୨୫ରେ ଐତିହାସିକ ରାୟ ଶୁଣାଇଥିଲେ। ସମ୍ବିଧାନ ଖଣ୍ଡପୀଠ
୮-୧ ସଂଖ୍ୟାଗରିଷ୍ଠତାରେ ଏହି ନିଷ୍ପତ୍ତି ନେଇଥିଲେ। ଖଣି ଥିବା ଜମି ଉପରେ ମଧ୍ୟ ରାଜ୍ୟଗୁଡ଼ିକ ଟିକସ ଲାଗୁ କରିପାରିବେ ବୋଲି କୋର୍ଟ କହିଥିଲେ। ସେହି ରାୟକୁ ଆହୁରି ସ୍ପଷ୍ଟ କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। ସେତେବେଳେ ଉକ୍ତ ରାୟକୁ ପିଛିଲା ଭାବେ ଲାଗୁ କରିବାକୁ ଖଣି କମ୍ପାନିଗୁଡ଼ିକ ବିରୋଧ କରିଥିଲେ। କୋର୍ଟଙ୍କ ରାୟକୁ ପିଛିଲା ଭାବେ ଲାଗୁ ନ କରିବାକୁ କେନ୍ଦ୍ର ମଧ୍ୟ ଚାହୁଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ସେହି ଦାବିକୁ ସମର୍ଥନ କରିଥିଲେ। ତେବେ ବୁଧବାର ସେହି ମାମଲାର ଶୁଣାଣି କରି ସମ୍ବିଧାନ ଖଣ୍ଡପୀଠ ଏସବୁ ଦାବିକୁ ଖାରଜ କରିଦେବା ସହିତ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ୧୯୮୯ରେ ସୁପ୍ରିମକୋର୍ଟର ୭ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ‘ଇଣ୍ଡିଆ ସିମେଣ୍ଟ ବନାମ ତାମିଲନାଡ଼ୁ’ ମାମଲାରେ ରାୟ ଶୁଣାଇଥିଲେ ଯେ ରୟାଲ୍ଟି ହେଉଛି ଏକ ଟିକସ ଏବଂ ଆଇନ ଦୃଷ୍ଟିରୁ ତାହାକୁ ଲାଗୁ କରିବା ଦକ୍ଷତାର ଅଭାବ ରାଜ୍ୟଗୁଡ଼ିକ ପାଖରେ ରହିଛି। ଗତ ଜୁଲାଇରେ ସମ୍ବିଧାନ ପୀଠ ସେହି ରାୟକୁ ବଦଳାଇ ଦେଇଥିଲେ।