ମାର୍ଚ୍ଚ-ଜୁନ ମଧ୍ୟରେ ୧ କୋଟି ପ୍ରବାସୀ ଶ୍ରମିକ ଚାଲି ଚାଲି ଘରକୁ ଫେରିଥିଲେ : ସରକାରୀ ତଥ୍ୟ

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ-ଏପ୍ରିଲ ମାସରେ ସରକାର ଲାଗୁ କରିଥିବା ଲକଡାଉନ ଯୋଗୁଁ ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ସରକାରୀ ତଥ୍ୟ ଅନୁସାରେ ମାର୍ଚ୍ଚମାସରୁ ଜୁନ ମାସ ମଧ୍ୟରେ ପ୍ରାୟ ୧ କୋଟି ପ୍ରବାସୀ ଶ୍ରମିକ ପାଦରେ ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରିଥିଲେ ।

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଅନେକ ପ୍ରବାସୀ ଶ୍ରମିକ ନିଜର କର୍ମସ୍ଥଳୀ ରାଜ୍ୟରୁ ନିଜ ଗୃହରାଜ୍ୟକୁ ଫେରିଥିଲେ । ଶ୍ରମ ମନ୍ତ୍ରାଳୟର ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଯେ ମାର୍ଚ୍ଚ-ଜୁନ ମଧ୍ୟରେ ପ୍ରାୟ ୧ କୋଟି ୬ ଲକ୍ଷ ଲୋକ ଚାଲି ଚାଲି ନିଜ ଘରକୁ ଫେରିଥିଲେ ।

ତେବେ ମାର୍ଚ୍ଚ-ଜୁନ ମାସରେ ୮୧,୩୮୫ଟି ସଡ଼କ ଦୁର୍ଘଟଣା ହୋଇଛି, ସେଥିରେ ୨୯୪୧୫ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ସଡ଼କରେ କେତେକ ଜଣ ପ୍ରବାସୀ ମୃତ୍ୟୁବରଣ କରିଛନ୍ତି ସେ ସମ୍ପର୍କିତ ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି । ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଥ ପ୍ରାନ୍ତରେ ଆଶ୍ରୟ ଓ ଖାଦ୍ୟ ସୁବିଧା ପ୍ରଦାନ କରୁଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର