କାହିଁକି ଭାରତରେ ରହିବାକୁ ପସନ୍ଦ କରୁନାହାନ୍ତି ଲୋକେ? ପ୍ରତିବର୍ଷ ୧ଲକ୍ଷ ଭାରତୀୟ ଦେଶ ଛାଡ଼ୁଛନ୍ତି

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ନାଗରିକମାନେ ବିଦେଶୀ ନାଗରିକତ୍ୱ ଗ୍ରହଣ କରିବାର ଧାରା ବହୁତ ବୃଦ୍ଧି ପାଇଛି। ଉତ୍ତମ ଶିକ୍ଷା ବ୍ୟବସ୍ଥା ଏବଂ ଉନ୍ନତ ଚାକିରିର ସନ୍ଧାନରେ ବିଦେଶକୁ ଯାଇଥିବା ଅଧିକାଂଶ ଲୋକ ବର୍ତ୍ତମାନ ସେଠାକାର ନାଗରିକତ୍ୱ ନେବା ଆରମ୍ଭ କରିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧ଲକ୍ଷ ଭାରତୀୟ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରୁଛନ୍ତି। କିଛି ମାସ ପୂର୍ବେ ଦେଶର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଭାରତୀୟ ନାଗରିକଙ୍କ ବିଦେଶୀ ନାଗରିକତ୍ୱ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ ଯାହା ପ୍ରକୃତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ମିଳିଥିବା ସୂଚନା ଅନୁସାରେ. ୨୦୧୫ମସିହାରେ, ୧,୪୧,୦୦୦ ଲୋକ ଭାରତୀୟ ନାଗରିକତା ଛାଡ଼ିଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୧,୪୪,୦୦୦ ଅତିକ୍ରମ କରିଥିଲା ​। ୨୦୧୯ରେ ୧ ଲକ୍ଷ ୪୪ ହଜାର ଜଣ ନିଜର ଭାରତୀୟ ନାଗରିକତା ଛାଡ଼ିଥିବାବେଳେ ୨୦୨୦ରେ ତାହା ୮୫,୨୫୬କୁ ହ୍ରାସ ପାଇଥିଲା । କରୋନା ମହାମାରୀ ଯୋଗୁଁ ୨୦୨୦ରେ ସଂଖ୍ୟା ହ୍ରାସ ପାଇଥିଲା । ବିଶେଷକରି ଲକଡାଉନ ଜାରି ହେବା ପରେ କେତେକଙ୍କ ଆବେଦନ ବକେୟା ରହିଥିଲା ଓ ସେଗୁଡ଼ିକୁ ୨୦୨୧ରେ ମଂଜୁର କରାଯିବା ଯୋଗୁଁ ଏହି ବର୍ଷର ଚୂଡ଼ାନ୍ତ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଲା ।

୨୦୧୭ରୁ ୨୦୨୧ମଧ୍ୟରେ, ଭାରତୀୟ ଜନସଂଖ୍ୟାର ୪୨% ଙ୍କ ପ୍ରଥମ ପସନ୍ଦ ରହିଛି ଆମେରିକା। ଅନ୍ୟପକ୍ଷରେ, କାନାଡା ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାକୁ ଗତ ୫ବର୍ଷ ମଧ୍ୟରେ ୯୧,୦୦୦ଜଣ ଭାରତୀୟ ନାଗରିକତା ଛାଡ଼ି ସେଠାକାର ନାଗରିକତା ଗ୍ରହଣ କରିଛନ୍ତି। ସେହିଭଳି ୮୬,୦୦୦ ଭାରତୀୟ ଅଷ୍ଟ୍ରେଲିଆର ନାଗରିକତା ଗ୍ରହଣ କରିଥିବା ବେଳେ ୬୬,୦୦୦ ଭାରତୀୟ ଇଂଲଣ୍ଡର ନାଗରିକତା ଏବଂ ୨୩,୦୦୦ ଭାରତୀୟ ଇଟାଲୀର ନାଗରିକତା ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର