କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ଖାଲି ପଡ଼ିଛି ୧ ଲକ୍ଷରୁ ଅଧିକ ପଦବୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ପରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌)ରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ କର୍ମଚାରୀଙ୍କ ଅବସର, ଇସ୍ତଫା ଏବଂ ମୃତ୍ୟୁ କାରଣରୁ ଏହି ପଦବୀ ସବୁ ଖାଲି ପଡ଼ିଛି ବୋଲି ଆଜି (ସୋମବାର) ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସଂସଦର ରାଜ୍ୟସଭାରେ ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ବିଏସଏଫରେ ସର୍ବାଧିକ ସଂଖ୍ୟକ ପଦବୀ ରହିଛି (୨୮,୯୨୬), ତା’ପରେ ସିଆରପିଏଫ୍‌ (୨୬,୫୦୬), ସିଆଇଏସ୍‌ଏଫ୍‌ (୨୩,୯୦୬), ଏସ୍‌ଏସ୍‌ବି (୧୮,୬୪୩), ଆଇଟିବିପି (୫,୭୮୪) ଏବଂ ଆସାମ ରାଇଫଲ୍‌ସ (୭,୩୨୮)।
ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି ଯେ ଅବସର, ଇସ୍ତଫା, ମୃତ୍ୟୁ, ନୂତନ ପଦବୀ, ନୂତନ ପଦବୀ ସୃଷ୍ଟି, କ୍ୟାଡର ସମୀକ୍ଷା ଇତ୍ୟାଦି କାରଣରୁ ସିଏପିଏଫ୍‌ ଏବଂ ଆସାମ ରାଇଫଲରେ ପଦବୀ ଖାଲି ପଡିଛି। ସେ କହିଛନ୍ତି ଯେ ନିଯୁକ୍ତି ନିୟମର ବିସ୍ତୃତ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟକ୍ଷ ନିଯୁକ୍ତି, ପଦୋନ୍ନତି ଏବଂ ଡେପୁଟେସନ ମାଧ୍ୟମରେ ଏହି ପଦବୀ ପୂରଣ ପାଇଁ ଏକ ସୁ-ସ୍ଥାପିତ ପଦ୍ଧତି ଅଛି।
ମନ୍ତ୍ରୀ କହିଛନ୍ତି ଯେ ସିଏପିଏଫଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି, ଯାହାକି ଏକ ନିରନ୍ତର ପ୍ରକ୍ରିୟା। ବର୍ତ୍ତମାନ, ୬୦,୨୧୦ କନଷ୍ଟେବଳ ପଦବୀ ଓ ୨୫୩୪ ପୋଷ୍ଟ ସବ୍‌-ଇନ୍‌ସପେକ୍ଟର ପଦବୀରେ ନିଯୁକ୍ତି କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଏବଂ ୩୩୦ ସହକାରୀ କମାଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା କେନ୍ଦ୍ର ଜନସେବା ଆୟୋଗ ମାଧ୍ୟମରେ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର