୨୦୧୯ରେ ଭୀଷଣ ବାୟୁ ପ୍ରଦୂଷଣ ଯୋଗୁଁ ୧ ଲକ୍ଷରୁ ଅଧିକ ଶିଶୁ ମାସ‌େ ମଧ୍ୟ ବଞ୍ଚିପାରିଲେ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ: ୨୦୧୯ରେ ଭୀଷଣ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା କାରଣରୁ ୧୧୬, ୦୦୦ରୁ ଅଧିକ ଶିଶୁ ଜନ୍ମ ହେବାର ମାସକ ମଧ୍ୟରେ ପ୍ରାଣ ହରାଇଥିବା କଥା ‘ଷ୍ଟେଟ୍‌ ଅଫ୍ ଗ୍ଲୋବାଲ୍ ଏୟାର୍‌ ୨୦୨୦’ ରିପୋର୍ଟରୁ ଜଣାପଡ଼ିଛି। ଶିଶୁ ସ୍ବାସ୍ଥ୍ୟ ଉପରେ ଉତ୍କଟ ବାୟୁ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ଏଭଳି ପ୍ରଥମ ବିଶ୍ଳେଷଣାତ୍ମକ ରିପୋର୍ଟ ବୁଧବାର ଦିନ ପ୍ରକାଶ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ‘ହେଲ୍‌ଥ୍‌ ଇଫେକ୍ଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ୍‌ ଗ୍ଲୋବାଲ୍‌ ବଡର୍ଣ୍ଣ ଅଫ୍ ଡିଜିଜ୍’।

ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ସର୍ବାଧିକ ଶିଶୁମୃତ୍ୟୁ ଘଟିଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି। ସେହିଭଳି ବାୟୁ ପ୍ରଦୂଷଣ ଯୋଗୁଁ ନାଇଜେରିଆରେ ୬୭,୯୦୦, ପାକିସ୍ତାନରେ ୫୬, ୫୦୦, ଇଥିଓପିଆରେ ୨୨, ୯୦୦ ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ୧, ୨୦୦ ଶିଶୁଙ୍କର ମୃତ୍ୟୁ ଘଟିଛି।

ଗର୍ଭଧାରଣ ଦିନରୁ ଆରମ୍ଭ କରି ୩୭ ସପ୍ତାହ ପୂର୍ବରୁ ୨, ୫୦୦ ଗ୍ରାମ୍‌ରୁ କମ୍‌ ଓଜନବିଶିଷ୍ଟ ଯେଉଁ ଅପରିପକ୍ବ ଶିଶୁ ଜନ୍ମ ହେଉଛନ୍ତି ସେମାନଙ୍କ ପାଇଁ ପ୍ରଦୂଷିତ ବାୟୁ ଅଧିକ ବିପଦର କାରଣ ହେଉଛି। ଗର୍ଭଧାରଣ କରିଥିବା ସମୟରେ ମାଆମାନେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଗର୍ଭସ୍ଥ ଶିଶୁ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି। କମ୍ ଓଜନ ଓ ଅପରିପକ୍ବ ଶିଶୁମାନେ ଶ୍ବାସନଳୀ ସଂକ୍ରମଣ, ହଇଜା, ମସ୍ତିଷ୍କ ନଷ୍ଟ, ରକ୍ତ ବିକାର ଏବଂ କାମଳ ଭଳି ସାଙ୍ଘାତିକ ସଂକ୍ରମଣଜନିତ ରୋଗରେ ପଡୁଛନ୍ତି।

Image Courtesy of Hindustan Times

ରିପୋର୍ଟରେ କୁହାଯାଇଛି, ଉପରୋକ୍ତ ସଂକ୍ରମଣ ସକାଶେ କୌଣସି ଜୈବିକ କାରଣ ଅଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପ୍ରଦୂଷିତ ବାୟୁ ଅନ୍ତଃସତ୍ତ୍ବା ମହିଳା ଓ ତାଙ୍କ ଗର୍ଭରେ ବଢୁଥିବା ଭ୍ରୂଣ ଉପରେ ଧୂମପାନ ଭଳି କୁପ୍ରଭାବ ପକାଉଛି ବୋଲି ଗବେଷକମାନେ ମନେକରୁଛନ୍ତି।

‘ଆଇସିଏମ୍ଆର୍‌’ର ‘ଆଡ୍‌ଭାନ୍ସଡ୍‌ ରିସର୍ଚ ଅନ୍ ଏୟାର୍‌ କ୍ବାଲିଟି’, ‘କ୍ଲାଇମେଟ୍‌ ଆଣ୍ଡ୍‌ ହେଲ୍‌ଥ୍‌’ର ନିର୍ଦେଶିକା କଳ୍ପନା ବାଲକୃଷ୍ଣନ୍‌ କହିଛନ୍ତି, ବାୟୁର ମାନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ନିର୍ଦ୍ଧାରିତ ମାନକ ଅନୁସାରେ ଥିଲେ ପ୍ରାୟ ୧୧୬,୦୦୦ ଶିଶୁମୃତ୍ୟୁ ରୋକା ଯାଇପାରିଥାଆନ୍ତା। ଭାରତରେ ‘ଆଇସିଏମ୍ଆର୍‌’ କରିଥିବା ଅଧ୍ୟୟନ ସମେତ ୭୦ରୁ ଅଧିକ ଅଧ୍ୟୟନରୁ ଏହି ରିପୋର୍ଟ ପ୍ରମାଣ ସଂଗ୍ରହ କରିଛି। ବାୟୁ ପ୍ରଦୂ‌ଷଣ ବ୍ୟତୀତ କୁପୋ‌ଷଣ, ରକ୍ତହୀନତା, ପୁରୁଣାକାଳିଆ ରୀତିନୀତି ଭଳି କାରଣରୁ ମଧ୍ୟ ଭାରତରେ ଗର୍ଭସ୍ଥ ଶିଶୁଙ୍କ ଉପରେ କୁପ୍ରଭାବ ପଡ଼ିଥାଏ।

ସମ୍ବନ୍ଧିତ ଖବର