ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଫସିଥିବା ୧,୩୦୦ରୁ ଅଧିକଙ୍କୁ ଉଦ୍ଧାର କଲା ଏନଡିଆରଏଫ

ନୈନିତାଲ: ଦେଶର ପାହାଡୀ ରାଜ୍ୟ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ତଦ୍‌ଜନିତ ବନ୍ୟା ସେଠାରେ ତାଣ୍ଡବ ରଚିଛି। ଏପରିସ୍ଥିତିରେ ସେଠାର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଫସି ରହିଥିବା ୧୩୦୦ରୁ ଅଧିକ ଲୋକଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ଯବାନମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏଥିସହ ଉତ୍ତରାଖଣ୍ଡର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଏନଡିଆରଏଫ ସେଠାରେ ମୁତୟନ ଥିବା ଏହାର ଉଦ୍ଧାରକାରୀ ଦଳକୁ ୧୫ରୁ ୧୭କୁ ବୃଦ୍ଧି କରଥିବା ବୁଧବାର ସନ୍ଧ୍ୟାରେ କହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଜନିତ ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି।

NDTV

ଏପର୍ଯ୍ୟନ୍ତ ଏନଡିଆରଏଫ ଉଦ୍ଧାରକାରୀମାନେ ଉଧମ ସିଂ ନଗର ଏବଂ ନୈନିତାଲରୁ ୧୩୦୦ରୁ ଅଧିକ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ସେମାନେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ସାମଗ୍ରୀ ମଧ୍ୟ ବଣ୍ଟନ କରୁଛନ୍ତି ବୋଲି ଏନଡିଆରଏଫ ମୁଖପାତ୍ର କହିଛନ୍ତି। ସେ କହିଥିଲେ ଯେ ଉଧମ ସିଂ ନଗରରେ ଛଅଟି ଦଳ ନିୟୋଜିତ ଅଛନ୍ତି, ଦୁଇଟି ଲେଖାଏଁ ଦଳ ଉତ୍ତରକାଶୀ, ଚାମୋଲିରେ ଏବଂ ଗୋଟିଏ ଲେଖାଏଁ ଦଳ ଡେରାଡୁନ, ଚମ୍ପାୱତ ପିଥୋରାଗଡ ଏବଂ ହରିଦ୍ୱାରରେ ଅବସ୍ଥାପିତ ଅଛନ୍ତି।

ଏନଡିଆରଏଫ ପଶ୍ଚିମବଙ୍ଗରେ ନଅଟି ଦଳକୁ ମଧ୍ୟ ନିୟୋଜିତ କରିଛି ଯାହା ସମାନ ଭାବରେ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଏନଡିଆରଏଫ ମୁଖପାତ୍ର କହିଛନ୍ତି, ଉଦ୍ଧାରକାରୀମାନେ ଜଳପାଇଗୁଡି ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର