ଆଫଗାନିସ୍ତାନରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ୨୮୦ ମୃତ, ୬୦୦ ଆହତ, ପାକିସ୍ତାନରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁ‌ଷରେ ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୮୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଓ ୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା କଥା ସେଠାକାର ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ରିକ୍ଟର୍‌ ସ୍କେଲ୍‌ରେ ୬.୧ ତୀବ୍ର ବୋଲି ରେକର୍ଡ ହୋଇଥିବା ଉକ୍ତ ଭୂମିକମ୍ପ ପାକ୍‌ତିକା ପ୍ରଦେଶରେ ସଂଘଠିତ ହୋଇଥିଲା। ହେଲିକପ୍ଟର୍‌ ଯୋଗେ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା କଥା ରାଷ୍ଟ୍ରାୟତ ବଖ୍‌ତର୍‌ ନିଉଜ୍‌ ଏଜେନ୍‌ସି ରିପୋର୍ଟ କରିଛି।

ଆଫଗାନିସ୍ତାନ ଏବଂ ପାକିସ୍ତାନର ଜନାକୀର୍ଣ୍ଣ ପ୍ରାନ୍ତରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ‘ୟୁ.ଏସ୍. ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟ କରିଛି। ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋସ୍ତ ନଗରୀଠାରୁ ୪୪ କିଲୋମିଟର୍‌ ଦୂରରେ ସଂଘଠିତ ଏହି ଭୂମିକମ୍ପ ଭୂଗର୍ଭର ୫୧ କିଲୋମିଟର୍‌ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।

‘ୟୁରୋପିୟାନ୍‌ ମେଡିଟରେନିୟାନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ ଟୁଇଟ୍‌ କରି ଲେଖିଛି, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଭାରତ ସମେତ ୫୦୦ କିଲୋମିଟର୍‌ ପରିମିତ ଅଞ୍ଚଳରେ ଉକ୍ତ ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା।

Image Courtesy of BBC

ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ ଏବଂ ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦ୍‌ରେ ଉକ୍ତ ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା ବୋଲି କେତେକ ବ୍ୟକ୍ତି ଟୁଇଟ୍‌ କରିଥିବା କଥା ‘ୟୁରୋପିୟାନ୍‌ ମେଡିଟରେନିୟାନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ କହିଛି।

ତ‌ାଲିବାନ ପ୍ରଶାସନର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖ୍ୟ ମହମ୍ମଦ୍‌ ନସିମ୍‌ ହକାନି କହିଛନ୍ତି, ଅଧିକାଂଶ ମୃତ୍ୟୁ ପାକ୍‌ତିକା ପ୍ରଦେଶରେ ଘଟିଛି। ସେଠାରେ ୧୦୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।

ପୂର୍ବାଞ୍ଚଳ ପ୍ରଦେଶ ନଙ୍ଗରହାର ଏବଂ ଖୋସ୍ତ ପ୍ରଦେଶରେ ମଧ୍ୟ କିଛି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର