ନିର୍ବାଚିତ ୧୭୦୦ରୁ ଅଧିକ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୩,୦୪୫ ଅପରାଧିକ ମାମଲା: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂପ୍ରତି ନିର୍ବାଚିତ ହୋଇ କ୍ଷମତାରେ ଥିବା ୧୭୦୦ରୁ ଅଧିକ ସାଂସଦ ଓ ବିଧାୟକଙ୍କ ବିରୋଧରେ ୩,୦୪୫ଟି ଅପରାଧିକ ମାମଲା ଦେଶର ବିଭିନ୍ନ ନ୍ୟାୟାଳୟମାନଙ୍କରେ ବିଚାରାଧୀନ ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ଅପରାଧିକ ମାମଲା ରହିଥିବା ସାଂସଦ ଓ ବିଧାୟକଙ୍କ ତାଲିକାରେ ଉତ୍ତର ପ୍ରଦେଶ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ରହିଛନ୍ତି ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ। ଉତ୍ତର ପ୍ରଦେଶର ୨୪୮ ଜଣ ସାଂସଦ ଓ ବିଧାୟକ ବିରୋଧରେ ଏବେ ଅପରାଧିକ ମାମଲାର ବିଚାର ଚାଲିଥିବା ବେଳେ, ତାମିଲନାଡ଼ୁର ୧୭୮, ବିହାରରର ୧୪୪ ଓ ପଶ୍ଚିମବଙ୍ଗର ୧୩୯ ଜଣ ସାଂସଦ ଓ ବିଧାୟକ ବିରୋଧରେ ଏବେ ଅପରାଧିକ ମାମଲାର ବିଚାର ଚାଲିଛି। ଆନ୍ଧ୍ରପ୍ରଦେଶ, କେରଳ ଓ ତେଲେଙ୍ଗାନା ଏହି ତିନିଟି ରାଜ୍ୟରୁ ୧୦୦ରୁ ଅଧିକ ସାଂସଦ ଓ ବିଧାୟକ ବିରୋଧରେ ଏବେ ଅପରାଧିକ ମାମଲାର ବିଚାର ଚାଲିଛି।

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକମାନଙ୍କର ଏହି ତାଲିକା ସୁପ୍ରମ୍‌ କୋର୍ଟରେ ଦାଖଲ କରିଛନ୍ତି। ୨୦୧୪ରୁ ୨୦୧୭ ମଧ୍ୟରେ ୧୭୬୫ ଜଣ ନିର୍ବାଚିତ ସାଂସଦ ଓ ବିଧାୟକ ସେମାନଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ନ୍ୟାୟାଳୟରେ ସାମନା କରିଥିଲେ। ଏହି ୧୭୬୫ ଜଣ ନିର୍ବାଚିତ ଦାଗୀ ସାଂସଦ ଓ ବିଧାୟକଙ୍କ ବିରୋଧରେ ୩୮୧୬ଟି ଅପରାଧିକ ମାମଲା ନ୍ୟାୟାଳୟମାନଙ୍କରେ ବିଚାରାଧୀନ ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର