ନୂଆଦିଲ୍ଲୀ: ଶନିବାର ସକାଳେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ଘନ କୁହୁଡ଼ି ଲାଗି ରହିଥିବାରୁ ଏବଂ ଦୃଶ୍ୟମାନତା (ଭିଜିବିଲିଟି) କମ୍‌ ଥିବାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଅନେକ ବିମାନ ବିଳମ୍ବିତ ହୋଇଛି ଏବଂ ୧୮ରୁ ଅଧିକ ବିମାନକୁ ଲକ୍ଷ୍ନୌ, ଅହମ୍ମଦାବାଦ ଏବଂ ଅମୃତସର ଭଳି ଅନ୍ୟ ସହରକୁ ଡାଇଭର୍ଟ (ଗତିପଥ ପରିବର୍ତ୍ତନ) କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢ଼େ ୭ଟାରୁ ସାଢ଼େ ୧୦ଟା ମଧ୍ୟରେ ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ ଓ ଅମୃତସରକୁ ୧୮ଟି ବିମାନକୁ ଡାଇଭର୍ଟ କରା ଯାଇଥିଲା।

ସ୍ପାଇସ୍‌ ଜେଟ୍‌ ଏୟାରଲାଇନ୍‌ସ କହିଛି, ଦିଲ୍ଲୀରେ ଖରାପ ପାଗ କାରଣରୁ ଏହାର ସମସ୍ତ ବିମାନର ପ୍ରସ୍ଥାନ/ଆଗମନ ବିଳମ୍ବିତ ହୋଇଛି। ଏବଂ ଏହାର ଫଳ ସ୍ୱରୂପ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ। ତେଣୁ, ଯାତ୍ରୀମାନେ ସେମାନଙ୍କ ବିମାନ ସ୍ଥିତି ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।

ସେହିପରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଜିବିଲିଟି କମ୍‌ ଥିବାରୁ ଭିସ୍ତାରା ଏୟାରଲାଇନ୍‌ସ ଶନିବାର ଏହାର ଦୁଇଟି ବିମାନକୁ ଡାଇଭର୍ଟ କରିବାକୁ ବାଧ୍ୟ ହୋଇଥିଲା। ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ବିମାନ ୟୁକେ୯୦୬ ଅହମ୍ମଦାବାଦ ଫେରି ଆସିଥିବା ବେଳେ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବିମାନ ୟୁକେ୯୬୪ର ଗତିପଥକୁ ଜୟପୁରକୁ ପରିବର୍ତ୍ତନ କରାଯାଇଥିଲା।

ପ୍ରତିକୂଳ ପାଣିପାଗ ପରିସ୍ଥିତିର ସିଧାସଳଖ ପ୍ରତିକ୍ରିୟାରେ ଜାତୀୟ ରାଜଧାନୀରେ ଦୃଶ୍ୟମାନତା ହ୍ରାସ କରିଥିଲା। ଫଳରେ ବିମାନ ଅବତରଣରରେ ବାଧା ସୃଷ୍ଟି ହେବା ସହ ଦିଲ୍ଲୀ ଅଭିମୁଖେ ଆସୁଥିବା ଅନେକ ବିମାନ ଗତିପଥକୁ ପରିବର୍ତ୍ତନ (ଡାଇଭର୍ଟ) କରାଯାଇଛି।